ଓପିଜିସି ଲାଭ ହଜାରେ କୋଟି ଛୁଇଁବ

ଭୁବନେଶ୍ବର : ୨୦୨୦ ଡିସେମ୍ବରରେ ଏଇଏସ୍‌ କମ୍ପାନି ଓପିଜିସିରୁ ବିଦାୟ ନେଇଥିଲା। ଏହି ସମୟରେ ଓପିଜିସିର ପରିସ୍ଥିତି ସଙ୍କଟାପନ୍ନ ରହିବା ସହ କାର୍ଯ୍ୟକାରୀ ହୋଇଥିବା ଦୁଇଟି ନୂତନ ୟୁନିଟ୍‌ର ପ୍ଲାଣ୍ଟ ଲୋଡ୍‌ ଫାକ୍ଟୋ(ପିଏଲ୍‌ଏଫ୍‌) ୫୧% ରହିଥିଲା। ଏହାବ୍ୟତୀତ କେତେକ ପ୍ରକଳ୍ପର କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିଲା। ରାଜ୍ୟ ସରକାରଙ୍କ ସହଯୋଗରେ ବର୍ତ୍ତମାନ ଓପିଜିସିର ପିଏଲ୍‌ଏଫ୍‌ ୮୦%କୁ ବୃଦ୍ଧି ପାଇବା ସହ ୪୭ କିମି ମେରି ଗୋ ରାଉଣ୍ଡ(ଏମ୍‌ଜିଆର) ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଫଳରେ ଓପିଜିସିର ଦ୍ବିତୀୟ ପର୍ଯ୍ୟାୟ ଅନ୍ତର୍ଗତ ୟୁନିଟ୍‌-୩ ଓ ୪ର କୋଇଲା ଆବଶ୍ୟକତା ପୂରଣ ହୋଇପାରୁଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓପିଜିସି ୧୦୦୦ କୋଟି ଟଙ୍କା ଲାଭ କରିବ ବୋଲି ଆକଳନ କରାଯାଇଛି। ଏଥିସହ ଓପିଜିସିର ତୃତୀୟ ପର୍ଯ୍ୟାୟ ସମ୍ପ୍ରସା‌ରଣ ଓ ପୁରାତନ ୟୁନିଟ୍‌(୧ ଓ ୨)ର ନବୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଯାହାକି ଆସନ୍ତା ୩ରୁ ୪ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଓପିଜିସି ଏମ୍‌ଡି ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି।

ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଓସିପିଏଲ୍‌ର ପୁନର୍ଗଠନ ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରାଳୟ ପାଖରୁ ରାଜ୍ୟ ସରକାର ସ୍ପଷ୍ଟୀକରଣ ମାଗିଥିଲେ। ସେହି ଅନୁଯାୟୀ ଓପିଜିସିର ୪୯% ଅଂଶଧନ ବିକ୍ରି ପରେ ମଧ୍ୟ କୋଲ୍‌ ବ୍ଲକର ମାଲିକାନା ସ୍ବତ୍ବ ରାଜ୍ୟ ସରକାର ହରାଇବେ ନାହିଁ ବୋଲି ନିଶ୍ଚିନ୍ତ ହେବା ପରେ, ଓପିଜିସିର ଅଂଶଧନ ବିକ୍ରି ବାବଦରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ତେଣୁ କୋଇଲା ବ୍ଲକ ହରାଇବାର ଆଶଙ୍କା ଭିତ୍ତିହୀନ। ଓପିଜିସିର ମୂଲ୍ୟାୟନ ପ୍ରକ୍ରିୟା ଏବେ ଚାଲୁ ରହିଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ସିନିଅର ଭାଇସ୍‌ ପ୍ରେସିଡେଣ୍ଟ(ଅପରେସନ) ନିଯୁକ୍ତି ନେଇ ହୋଇଥିବା ବିବାଦ ଉପରେ ଓପିଜିସି ମାନବସମ୍ବଳ(ଜିଏମ୍‌) ଅନିତା ମହାପାତ୍ର କହିଛନ୍ତି ଯେ ଏଇଏସ୍‌ କମ୍ପାନି ଯିବା ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୨୦୨୧ ଏପ୍ରିଲ ୧୬ରେ ସିନିଅର ଭାଇସ୍‌ ପ୍ରେସିଡେଣ୍ଟ(ଅପରେସନ) ପଦବି ଲାଗି ବିଜ୍ଞାପନ ପ୍ରକାଶ ପାଇଥିଲା। ସେହି ଅନୁଯାୟୀ ନିଯୁକ୍ତିରେ ସ୍ବଚ୍ଛତା ରଖାଯିବା ସହ ଓପିଜିସିରେ ପ୍ରଚଳିତ ପେ-ବ୍ୟାଣ୍ଡ୍‌ ଅନୁସାରେ ଦରମା ଧାର୍ଯ୍ୟ ହୋଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଓପିଜିସି ଏକ ଲାଭଜନକ ସଂସ୍ଥାରେ ପରିଣତ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦୦ କୋଟି ଟଙ୍କା ଲାଭ ହେବ ବୋଲି ଆକଳନ କରାଯାଇଛି। ତା’ସତ୍ତ୍ବେ ରାଜ୍ୟ ସରକାର କାହିଁକି ଓପିଜିସିର ୪୯% ଅଂଶଧନ ବିକ୍ରି କରାଯିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଓପିଜିସି କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି।

ସମ୍ବନ୍ଧିତ ଖବର