ଇବ୍ଥର୍ମାଲ : ଓପିଜିସି ଏକ ଲାଭଜନକ ସଂସ୍ଥା ଥିଲା, ଏଇଏସ୍ କମ୍ପାନିର ତ୍ରୁଟି ଯୋଗୁଁ ଏହାର ତୃତୀୟ ଓ ଚତୁର୍ଥ ୟୁନିଟ୍ କ୍ଷତିରେ ଚାଲୁଥିଲା। ଚଳିତବର୍ଷ କମ୍ପାନି ଲାଭ କରିଛି। କମ୍ପାନିର ସୁପରିଚାଳନା ହେଲେ ଆଗାମୀ ୩୦ ବର୍ଷ ଧରି କମ୍ପାନି ଲାଭ କରିବ। ଏଭଳି ଏକ ଲାଭଜନକ ସଂସ୍ଥାକୁ ଓଡ଼ିଶା ସରକାର ପୁଣିଥରେ ଘରୋଇ ସଂସ୍ଥାକୁ ଟେକିଦେବା ଉଚିତ୍ ହେବନାହିଁ ବୋଲି ଓପିଜିସି ଅଫିସର୍ ଆସୋସିଏସନ୍ର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
ରବିବାର ବନହରପାଲିସ୍ଥିତ ଇବ୍ ତାପଜ ବିଦ୍ୟୁତ କେନ୍ଦ୍ରର ଅଫିସର କ୍ଲବ୍ ପରିସରରେ ଆୟୋଜିତ ଅଫିସର ଆସୋସିଏସନ୍ ଓ ଓପିଜିସି ଏମ୍ପ୍ଲୋଇଜ ୟୁନିୟନର ସଦସ୍ୟମାନଙ୍କ ମିଳିତ ସଭାରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଓପିଜିସିର ମୁଖ୍ୟ ସମସ୍ୟାର ସମାଧାନ ହୋଇସାରିଛି। ଏଇଏସ୍ କମ୍ପାନିକୁ ୪୯ ଭାଗ ସ୍ବତ୍ତ୍ବ ଦେଇ ତାକୁ ସଂପୂର୍ଣ୍ଣ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ସେଠୁ ଓପିଜିସିର ଯାବତୀୟ ସମସ୍ୟା ସୃଷ୍ଟି ହୋଇଥିଲା। ଏଇଏସ୍ର ପରିଚାଳନା ଆଭିମୁଖ୍ୟ ଓ ସଂସ୍କାର ଆମଠାରୁ ଭିନ୍ନ। ଓପିଜିସିକୁ ଆମର ଓଡ଼ିଶାର ଇଞ୍ଜିନିୟରମାନେ ତିଆରି କରିଥିଲେ। ସେମାନେ ଓପିଜିସିକୁ ଭଲ ପାଉଥିଲେ। ମାତ୍ର ଏଇଏସ୍ କମ୍ପାନି ଓପିଜିସି କର୍ମଚାରୀଙ୍କୁ ଭାଗ ଭାଗ କରିଦେଇଥିଲେ। ସେ ସମସ୍ୟା ଏବେ ନାହିଁ। ଓପିଜିସି ବର୍ତ୍ତମାନ ଶତକଡ଼ା ଶହେ ସରକାରଙ୍କ ମାଲିକାନାରେ ରହିଛି। ଋଣ ଶୁଝିବା, ଉତ୍ପାଦିତ ବିଦ୍ୟୁତ୍ର ବିକ୍ରି ଓ କଞ୍ଚାମାଳର ସମସ୍ୟା ନାହିଁ। ଏ କମ୍ପାନି ଯଥେଷ୍ଟ ଲାଭ କରିବ। ଘରୋଇ କମ୍ପାନି ସହଭାଗିତାର ଏକ ତିକ୍ତ ଅନୁଭୂତି ରହିଛି। ସେ ଦୃଷ୍ଟିକୋଣରୁ ଓପିଜିସିକୁ ବେସରକାରୀ କମ୍ପାନି ହାତରେ ଟେକି ଦିଆ ନ ଯାଉ। ଓପିଜିସିକୁ ନେଇ ସରକାର ଏକ ସୁସ୍ଥ ଚିନ୍ତା କରନ୍ତୁ। ଓପିଜିସିକୁ ସବୁଦିନେ ଏକ ଲାଭଜନକ ସଂସ୍ଥା ଭାବରେ ପରିଣତ କରି ରଖିବା ପାଇଁ ସଂକଳ୍ପ କରିବାକୁ ଶ୍ରୀ ପଟ୍ଟନାୟକ କର୍ମଚାରୀମାନଙ୍କୁ ଆହ୍ଵାନ ଦେଇଥିଲେ। ଏ ଅବସରରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଓପିଜିସିର କର୍ମଚାରୀମାନଙ୍କ ସମସ୍ୟା ସମାଧାନ ଦିଗରେ ସବୁପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଓପିଜିସି ଅଫିସର ସଂଘର ଅନ୍ୟତମ ଉପଦେଷ୍ଟା ଧନଞ୍ଜୟ ପଧାନ କହିଲେ, ବିଗତ ୬ ବର୍ଷର ନିରନ୍ତର ସଂଘର୍ଷ ଫଳରେ ଆମର ଅନେକ ଦାବିକୁ ଓପିଜିସି କର୍ତ୍ତୃପକ୍ଷ ମାନି ନେଇଛନ୍ତି। କର୍ମଚାରୀମାନଙ୍କ ପେନସନ୍ ପାଇଁ ଏକ କମିଟି ଗଠନ କରାଯାଇଛି। ମାତ୍ର ଆମକୁ ଦୁଇଟି ଇନ୍କ୍ରିମେଣ୍ଟ ପରିବର୍ତ୍ତେ ଗୋଟିଏ ଇନ୍କ୍ରିମେଣ୍ଟ ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି। ସପ୍ତମ ବେତନ କମିସନର ଇନ୍କ୍ରିମେଣ୍ଟ ଜୁଲାଇ ୨୦୨୨ ପରିବର୍ତ୍ତେ ଏହାକୁ କର୍ମଚାରୀମାନଙ୍କ ପାଇଁ ୧.୪.୨୦୧୫ ମସିହା ଓ ଅଧିକାରୀମାନଙ୍କ ୧.୧. ୨୦୧୬ ମସିହାରୁ ପିଛିଲା ଭାବେ ଲାଗୁ କରାଯାଉ। ଅଫିସର ଆସୋସିଏସନ୍ର ସଭାପତି କୃଷ୍ଣଚନ୍ଦ୍ର ସାମନ୍ତରାୟ ଓପିଜିସି ଯୋଗୁଁ ଓଡ଼ିଶା ସରକାରଙ୍କ ପାଇଁ ଶସ୍ତାରେ ବିଜୁଳି ଯୋଗାଇ ଦେବା ସମ୍ଭବ ପର ହେଉଛି। ତାହାକୁ ଦୃଷ୍ଟିରେ ରଖି କୌଣସି ଘରୋଇ କମ୍ପାନି ହାତରେ ଟେକି ନ ଦେଇ ଏହାର ସୁପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ନେବାସହ କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ। ଓପିଜିସି କର୍ମଚାରୀ ସଂଘର ସାଧାରଣ ସଂପାଦକ ଦିପ୍ତୀ ମହାପାତ୍ର ଓପିଜିସି କର୍ମଚାରୀ ସଂଘର ସଦସ୍ୟମାନଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ପୂର୍ବକ ସେମାନଙ୍କ ପାଇଁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଥିଲେ। ଅଫିସର ଆସୋସିଏସନ୍ର ସାଧାରଣ ସଂପାଦନ ଧରଣୀଧର ବେହେରା ବିଗତ ୬ ବର୍ଷର ସଂଘର୍ଷର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବା ସହ ତୁରନ୍ତ ପେନସନ ଲାଗୁ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମତ ପ୍ରକାଶ କରିଥିଲେ। ଏହି ସଭାରେ ବରିଷ୍ଠ ସଦସ୍ୟ ବିଜୟ ମିଶ୍ର କର୍ମଚାରୀମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଓପିଜିସି କର୍ମଚାରୀ ସଂଘର କାର୍ଯ୍ୟକାରୀ ସଂପାଦକ ଶ୍ରୀରାମଚନ୍ଦ୍ର ଶତପଥି ଧନ୍ୟବାଦ ଦେଇଥିଲେ। ସଞ୍ଚୟ ମିଶ୍ର, ସୁଧାକର ସ୍ବାଇଁ, ସତ୍ୟପ୍ରିୟ ବେହେରା, ସେନାପତି ପଧାନ, ଦିଲ୍ଲୀପ ପ୍ରଧାନଙ୍କ ସମେତ ଶତାଧିକ କର୍ମଚାରୀ ଓ ଅଧିକାରୀ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/opgc.jpg)