ବାରମ୍ବାର ଅଚଳ ହେଉଛି ଓପିଜିସି : ପୁଣି ବନ୍ଦ ହେଲା ୟୁନିଟ୍‌-୧

ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ବନହରପାଲି ଇବ୍‌ଥର୍ମାଲ ତାପଜ ବିଦ୍ୟୁତ କେନ୍ଦ୍ରର ପ୍ରଥମ ଓ ଦ୍ବିତୀୟ ୟୁନିଟ୍‌ ବାରମ୍ବାର ଅଚଳ ହେଉଛି। ଶନିବାର ଏହାର ପ୍ରଥମ ୟୁନିଟ୍ ସକାଳ ପ୍ରାୟ ୮ଟା ୫୪ ମିନିଟ୍‌ରେ ଅଚଳ ହୋଇପଡ଼ିବାରୁ ୨୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ସୂଚନା ଅନୁଯାୟୀ ୨୦୧୭ରେ ୟୁନିଟ୍‌-୧ ତିନିଥର ଅଚଳ ହୋଇଥିବା ବେଳେ ୟୁନିଟ-୨ ଥରେ, ୨୦୧୮ରେ ୟୁନିଟ୍ ୧ ତିନିଥର, ୨୦୧୯ରେ ୟୁନିଟ୍‌-୧ ଦୁଇଥର, ୟୁନିଟ୍-୨ ଥରେ ଓ ଏବେ ୨୦୨୦ରେ ୭ ମାସ ମଧ୍ୟରେ ୟୁନିଟ୍-୧ ଦୁଇଥର ଏବଂ ୟୁନିଟ୍-୨ ୨ଥର ଅଚଳ ହୋଇ ପୁଣି ସଜଡ଼ାଯାଇଛି। ୟୁନିଟ୍‌ଗୁଡ଼ିକ ବାରମ୍ବାର ଅଚଳ ହେବା ଫଳରେ ଏହି ଦୁଇଟି ୟୁନିଟ୍‌ରୁ ଉତ୍ପାଦିତ ୪୨୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ବଧାପ୍ରାପ୍ତ ହେବା ସହ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ବ ହାନି ଘଟୁଛି। ମିଳିଥିବା ତଥ୍ୟ ଅନୁଯାୟୀ ଗୋଟିଏ ୟୁନିଟ୍‌ ଗୋଟିଏ ଦିନ ଅଚଳ ହେଲେ ପ୍ରାୟ କୋଟିଏ ଟଙ୍କାର କ୍ଷତି ସହିବାକୁ ପଡ଼ିଥାଏ। ଗୋଟିଏ ୟୁନିଟ୍ ଅଚଳ ହେଲେ ତାକୁ ସଚଳ କରିବାକୁ ଅତି କମରେ ୪ ଦିନ ଲାଗିଥାଏ। ଏଣୁ ୨୦୧୭ ପରଠୁ ଯେତେଥର ୟୁନିଟ୍ ଦୁଇଟି ଅଚଳ ହେବାକଥା କୁହାଯାଇଛି; ସବୁକୁ ଗଣନା କଲେ ଓପିଜିସିକୁ କେତେ କୋଟି କ୍ଷତି ସହିବାକୁ ପଡ଼ିଛି ତାହା ସହଜରେ ଅନୁମେୟ।

ଏହି ୟୁନିଟଗୁଡ଼ିକର ରକ୍ଷଣାବେକ୍ଷଣ ସକାଶେ ସରକାରଙ୍କ ଅନୁମତି କ୍ରମେ ବର୍ଷକରେ ଥରେ ୟୁନିଟ ଦୁଇଟିକୁ ଗୋଟିଏ ପରେ ଗୋଟିଏ ସଟ୍‌ଡାଉନ୍‌ କରି ଯନ୍ତ୍ରପାତି ସଜଡ଼ାଯିବା କଥା। ସେହିପରି ଚାରି ବର୍ଷରେ ଥରେ କ୍ୟାପିଟାଲ ଅଭର୍ ଅଏଲିଂ ହେବାକଥା। ଆଗରୁ ଏସବୁ ହୋଇ ଆସିଥିବାବେଳେ ଗତ ୨୦୧୭ ମସିହା ପରଠୁ ଆଜି ଯାଏ ସଟ୍‌ଡାଉନ୍ ନିଆଯାଇ ଯନ୍ତ୍ରପାତି ବାର୍ଷିକ ମରାମତି କରାଯାଇ ନଥିବା କୁହାଯାଇଛି। ଫଳରେ ଯନ୍ତ୍ରପାତିର ପ୍ରକୃତ ରକ୍ଷଣାବେକ୍ଷଣ ଅଭାବରୁ ୟୁନିଟ୍‌ଗୁଡ଼ିକ ବାରମ୍ବାର ଅଚଳ ହୋଇପଡୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର