ଇବ୍ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ତାପଜ ବିଦ୍ୟୁତ୍ କେନ୍ଦ୍ରର ୧ ନମ୍ବର ୟୁନିଟ୍ ପୁଣି ଅଚଳ ହୋଇପଡ଼ିଛି। ଗତ ମାସ ୧ ତାରିଖରେ ଏହି ୟୁନିଟ୍ ଅଚଳ ହୋଇଥିଲା। ବଏଲର୍ ଟ୍ୟୁବ୍ ଲିକେଜ୍ ଏହାର କାରଣ ବୋଲି ସେତେବେଳେ କୁହାଯାଇଥିଲା। ପରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ଦିନ କେଇଟା ମଧ୍ୟରେ ଏହା ପୁଣି ଅଚଳ ହୋଇଛି। ଏଥର (ଶୁକ୍ରବାର) ସମାନ କାରଣ ଯୋଗୁଁ ୟୁନିଟ୍ ୧ ଅଚଳ ହୋଇଥିବା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେପଟେ ୟୁନିଟ୍ ୨କୁ ବାର୍ଷିକ ମରାମତି ପାଇଁ ଗତ ୧ ତାରିଖରୁ ୨୧ ଦିନ ପାଇଁ ବନ୍ଦ ରଖାଯାଇଛି। ଆଜି ପୁଣି ୟୁନିଟ୍ ୧ ଅଚଳ ହୋଇଥିବାରୁ ଏଠାରେ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି। ୪୨୦ ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ପ୍ରକଳ୍ପ ବାରମ୍ବାର ଏଭଳି ଅଚଳ ହେବା ନେଇ ସାଧାରଣରେ ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ‘ପ୍ଲାଣ୍ଟ ବୁଢ଼ା ହୋଇଗଲାଣି’ ବୋଲି ଜଣେ ବରିଷ୍ଠ ଅଧିକାରୀ ମନ୍ତବ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଜୁଲାଇ ୨୧ ତାରିଖରେ ୟୁନିଟ୍ ୨ ବଏଲର୍ ଟ୍ୟୁବ୍ ଲିକେଜ୍ ଯୋଗୁଁ ଅଚଳ ହୋଇଯାଇଥିଲା। ଏହାପୂର୍ବରୁ ଜୁନ୍ ୮ ତାରିଖରେ ଉଭୟ ୧ ଓ ୨ ଦୁଇଟି ଯାକ ୟୁନିଟ୍ ଅଚଳ ହୋଇପଡ଼ିଥିଲା। ୨୦୨୦ ମସିହାର ନ ମାସ ନ ପୂରୁଣୁ ୟୁନିଟ୍-୧ ତିନିଥର ଏବଂ ୟୁନିଟ୍-୨ ବାର୍ଷିକ ମରାମତିକୁ ଧରିଲେ ୩ ଥର ଅଚଳ ହେଲାଣି। ବାର୍ଷିକ ମରାମତି ବେଳେ ୨୦ରୁ ୨୫ ଦିନ ପ୍ଲାଣ୍ଟ୍ ବନ୍ଦ କରାଯାଏ। ଏହି ସମୟରେ ଓପିଜିସି କର୍ତୃପକ୍ଷ ବଏଲର୍, ଟର୍ବାଇନ୍, ଜେନେରେଟର୍, ଟ୍ରାନ୍ସଫର୍ମର୍ ତଥା ଅନ୍ୟ ଯନ୍ତ୍ରପାତିକୁ ସଂପୃକ୍ତ କଂପାନିଙ୍କ ଯନ୍ତ୍ରୀ ଓ ବିଶେଷଜ୍ଞଙ୍କ ସହଯୋଗରେ ମରାମତି କରାଇଥାନ୍ତି। କିନ୍ତୁ ବାର୍ଷିକ ମରାମତିର ମାତ୍ର ୬ ମାସ ନ ପୂରୁଣୁ ପ୍ଲାଣ୍ଟ୍ର ଗୋଟିଏ ପରେ ଗୋଟିଏ ୟୁନିଟ୍ ୬ ଥର ଅଚଳ ହେବାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି।
କେବଳ ଏହି ବର୍ଷ ନୁହେଁ, ୨୦୧୭ରେ ମଧ୍ୟ ୟୁନିଟ୍-୧ ତିନି ଥର, ୟୁନିଟ୍-୨ ଥରେ, ୨୦୧୮ରେ ୟୁନିଟ୍ ୧ ତିନିଥର, ୨୦୧୯ରେ ୟୁନିଟ୍ ୧ ଦୁଇଥର ଏବଂ ୟୁନିଟ୍ ୨ ଦୁଇଥର ଅଚଳ ହେଇଥିଲା। ଫଳରେ ରାଜ୍ୟ ସରକାରଙ୍କ ରାଜସ୍ବ କ୍ଷତି ସହିତ ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏକଦା ଓପିଜିସି ଏକ ଲାଭଦାୟକ ସଂସ୍ଥା ଭାବେ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ବାରମ୍ବାର ଅଚଳ ଓ ଅନ୍ୟାନ୍ୟ କାରଣରୁ ସରକାର କୋଟି କୋଟି ଟଙ୍କା କ୍ଷତି ସହୁଥିବା ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।
ଅନ୍ୟପକ୍ଷରେ ୟୁନିଟ୍ଗୁଡ଼ିକ ବାରମ୍ବାର କାହିଁକି ଓ କେମିତି ଅଚଳ ହେଉଛି ବୋଲି ପ୍ରଶ୍ନ କରାଯିବାରୁ ବରିଷ୍ଠ ପରିଚାଳକ (ଏଚ୍ଆର୍ ଆଣ୍ଡ ଆଡମିନ୍) ପି କେ ପାତ୍ର କହିଛନ୍ତି ଯେ ‘ପ୍ଲାଣ୍ଟ ବୁଢ଼ା ହେଲାଣି। ଆଉ କଣ ହେବ?’ ପ୍ରଶ୍ନର ଗୁରୁତ୍ବକୁ ସେ ଏକରକମ ଏଡ଼ାଇ ଯାଇଥିବା ବେଳେ ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସି ଆର୍ ସ୍ବାଇଁ କହିଛନ୍ତି ୟୁନିଟ୍ ଅଚଳ ହେବା ଏହା ବୈଷୟିକ ବିଷୟ। ସେକଥା ବୈଷୟିକ ବିଭାଗ କର୍ମଚାରୀ ହିଁ କହି ପାରିବେ। ୟୁନିଟ୍ ୧ ଠିକ୍ ହେବାକୁ କେତେ ସମୟ ଲାଗିବ ବୋଲି ପଚରା ଯିବାରୁ ଏଥିଲାଗି ୭୨ ଘଣ୍ଟା ସମୟ ଲାଗିପାରେ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/opgc-f.jpg)