ଓପିଜିସି ୟୁନିଟ୍ ୧ ଓ ୨ ଅଚଳ, ଉତ୍ପାଦନ ଠପ୍

ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ତାପଜ ବିଦ୍ୟୁତ୍ କେନ୍ଦ୍ର ୟୁନିଟ୍‌ ୧ ଶନିବାର ଅଚଳ ହୋଇଯିବାପରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ହୋଇଯାଇଛି। ବଏଲର୍ ଟ୍ୟୁବ୍‌ ଲିକ୍‌ ହେବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି। ସେପଟେ ୟୁନିଟ୍‌ ୨କୁ ବାର୍ଷିକ ମରାମତି ସକାଶେ ଜାନୁଆରି ୧୪ରୁ ବନ୍ଦ କରାଯାଇଛି। ଯଦିଓ ସେତେବେଳେ ଏହା ୨୦ ଦିନରେ କାର୍ଯ୍ୟକ୍ଷମ ହୋଇଯିବ ବୋଲି କୁହାଯାଇଥିଲା। ୟୁନିଟ୍‌ ୨କୁ କାର୍ଯ୍ୟକ୍ଷମ କରାଇବାକୁ ଆହୁରି ୧୦ ଦିନ ସମୟ ଅଧିକ ମଗାଯାଇ କାମ ଚାଲିଛି। ଫଳରେ ୪୨୦ ମେଗାଓ୍ବାଟ୍ ସଂପନ୍ନ ଉଭୟ ୟୁନିଟ୍‌ ଅଚଳ ହୋଇପଡିବାରୁ ବିଦ୍ୟୁତ୍ ଉତ୍ପାଦନ ଠପ୍ ହୋଇ ପଡ଼ିଛି। ୟୁନିଟଗୁଡ଼ିକ ବର୍ଷକରେ ଏକାଧିକ ଥର ଅଚଳ ହୋଇପଡିବାରୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ସମାନ ଅବସ୍ଥା ଦେଖା ଦେଇଥିଲା। ୟୁନିଟ ୧ ଅଚଳ ହୋଇ ପଡିଥିଲା ଓ ୟୁନିଟ ୨କୁ ବାର୍ଷିକ ମରାମତି ସକାଶେ ୨୧ ଦିନ ପାଇଁ ବନ୍ଦ କରାଯାଇଥିଲା। ଏବେ ଚାରି ମାସ ନପୂରୁଣୁ ୟୁନିଟ ୨କୁ ପୁଣି ବାର୍ଷିକ ମରାମତି ପାଇଁ ବନ୍ଦ କରାଯାଇଛି। ସମାନ ଭାବେ ଯଦି ଓପିଜିସି କର୍ତୃପକ୍ଷ ବଏଲର, ଟର୍ବାଇନ୍, ଜେନେରେଟର୍, ଟ୍ରାନ୍‌ସସଫର୍ମର୍ ତଥା ଅନ୍ୟାନ୍ୟ ଯନ୍ତ୍ରାଂଶର କାମ କରିଥିଲେ, ତା ହେଲେ ୟୁନିଟ ୨ର ବାର୍ଷିକ ମରାମତି ପୁଣି ଆବଶ୍ୟକ କାହିଁକି ପଡ଼ିଲା ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବାର୍ଷିକ ମରାମତି ବର୍ଷକ ପରେ ହେବା କଥା ୪/୫ ମାସରେ ନୁହଁ ବୋଲି ମତ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ ଗତ ବର୍ଷ ୟୁନିଟ ୧ ତିନି ଥର ଓ ୨ ମଧ୍ୟ ତିନି ଥର ଅଚଳ ହୋଇଥିଲା। ସେତେବେଳେ କାରଣ ପଚାରିବାରୁ ପ୍ଲାଣ୍ଟ ପୁରୁଣା ହୋଇଗଲାଣି ବୋଲି କର୍ତୃପକ୍ଷ ଆଳ ଦେଖାଇ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ଗୋଟିଏ ବର୍ଷର କଥା ନୁହେଁ ପ୍ରାୟ ବର୍ଷମାନଙ୍କରେ ୟୁନିଟ୍‌ଗୁଡ଼ିକ ଅନେକଥର ଅଚଳ ହେବା ଓ ଅଚଳର କାରଣ ପ୍ରାୟତଃ ବଏଲର ଟ୍ୟୁବ୍‌ରେ ଲିକେଜ୍ ହେବା ସାଧାରଣରେ ସନ୍ଦେହକୁ ଘନିଭୂତ କରୁଛି। ଉଚିତ ରକ୍ଷଣାବେକ୍ଷଣ କରାଗଲେ ହୁଏତ ପ୍ଲାଣ୍ଟ ଠିକ୍ ଚାଲିବା ସହ ସରକାରଙ୍କୁ ରାଜସ୍ବ କ୍ଷତି ସହିବାକୁ ପଡ଼ନ୍ତା ନାହିଁ ବୋଲି ମତ ପ୍ରକାଶ ପାଇଛି।

ୟୁନିଟ୧କୁ ସଚଳ କରିବାକୁ କାମ ଚାଲିଛି ଓ ଏହା ୭୨ ଘଣ୍ଟାରେ ଠିକ୍ ହୋଇଯିବ ବୋଲି ଆଶା ରଖାଯାଇଛି। ବିଦ୍ୟୁତ ଉତ୍ପାଦନ ୧ଓ୨ ୟୁନିଟ୍‌ରେ ବାଧାପ୍ରାପ୍ତ ହୋଇଥିଲେ ବି ଏବେ ୟୁନିଟ୍ ୪ ଭଲ ଚାଲିଛି। ପ୍ରାୟ ୬୦୦ ମେଗାଓ୍ବାଟ୍ ଉପରେ ଉତ୍ପାଦନ ହେଉଥିବାବେଳେ ୟୁନିଟ ୩ ରେ ମଧ୍ୟ ୪୦୦ ମେଗାଓ୍ବାଟ ଉତ୍ପାଦନ ହେଉଛି। ଏଣୁ ପୁରୁଣା ୟୁନିଟ ଦ୍ବୟ ଏବେ ପାଇଁ ଅଚଳ ଥିଲେ ହେଁ ୩ୟ ଓ୪ର୍ଥ ୟୁନିଟରୁ ହାରାହାରି ୧ହଜାର ୟୁନିଟ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା ଓ ବିତରଣରେ ଅସୁବିଧା ନଥିବା ଓପିଜିସି ଜନ ସଂପର୍କ ଅଧିକାରୀ ହିମାଂଶୁ ବେହେରାଙ୍କଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର