ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ(ଓପିଏଚଡବ୍ଲୁସି)ର ଡେପୁଟି ମ୍ୟାନେଜରଙ୍କ ଘରେ ଚଢ଼ାଉ ବେଳେ ପ୍ରତାପ କୁମାର ସାମଲ ଏବଂ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ଥିବା ୨୨ଟି ପ୍ଲଟ୍ ଏବଂ ୩ଟି କୋଠା ସମେତ ୨୫ଟି ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି ଭିଜିଲାନ୍ସ ଟିମ୍। ଏହି ସମ୍ପତ୍ତିରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ୧୭ଟି ପ୍ଲଟ୍ ଏବଂ ଦୁଇଟି କୋଠା ଅନ୍ତର୍ଭୁକ୍ତ। ଭିଜିଲାନ୍ସର ବୈଷୟିକଟିମ୍ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଣେ ପ୍ରତାପଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ଘରୁ ୩୮.୧୨ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରତାପ ପଡ଼ୋଶୀ ଘର ଛାତକୁ ଫୋପାଡ଼ି ଦେଉଥିବା ବେଳେ ଏହି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଟିମ୍। ସେ ପ୍ରଥମେ ୨୦ ଲକ୍ଷ ଟଙ୍କାର ବିଡ଼ା ବିଡ଼ା ନୋଟ ଏକ ପେଟିରେ ଭର୍ତ୍ତି କରି ପାଖ ଘର ଛାତକୁ ପକାଇ ଦେଇଥିଲେ, ଯାହାକୁ ଜବତ କରିଛି ଭିଜିଲାନ୍ସ। ସେହିଭଳି ପ୍ରତାପଙ୍କ ଘରୁ ଏଯାବତ ୧୮ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାଛଡ଼ା ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ଗୋଠପାଟଣାରେ ଏକ ପାଞ୍ଚ ମହଲା କୋଠାକୁ ଚିହ୍ନଟ କରିଥିଲେ। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି କୋଠାର ମୂଲ୍ୟ ୩.୮୯ କୋଟି ଟଙ୍କା।
ଉଲ୍ଲେଖଯୋଗ୍ୟ, ପ୍ରତାପ କୁମାର ସାମଲଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି। ପ୍ରତାପଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ୍/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା ଭାଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅମହଲା କୋଠା, ଖଣ୍ଡଗିରିରେ ଏକମହଲା ଭଡ଼ା ଦିଆଯାଇଥିବା ଘର, ଅନନ୍ୟା ଟାୱାରରେ ଥିବା ତାଙ୍କ ସହଯୋଗୀଙ୍କ ଘର, ତାଙ୍କ ପୁଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ବାଲିସାହିଠାରେ ଏକ ତିନି ମହଲା ଆପାର୍ଟମେଣ୍ଟ, ବାଲେଶ୍ୱର ଜିଲ୍ଲାର ସୁମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁରରେ ନିଜର ପୈତୃକ ଘର ଓ ସଂପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି।
ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଅନ୍ୟ କର୍ମଚାରୀମାନଙ୍କୁ ନେଇ ଓଡ଼ିଶା ଭିଜିଲାନ୍ସର ୧୦ଟି ଟିମ୍ ଏହି ଚଢ଼ାଉରେ ସାମିଲ ଥିବା ଜଣାଯାଇଛି।
ପ୍ରତାପ କୁମାର ସାମଲ ଜଣେ ଡିପ୍ଲୋମା ସିଭିଲ ଇଜିନିୟର।ସେ ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନରେ ଜୁନିୟର ଇଜିନିୟର ଭାବେ ୧୯୮୮ମସିହା ଅଗଷ୍ଟ୧୪ ତାରିଖରେ ଯୋଗଦେଇଥିଲେ। ପରେ ସେ ଏଷ୍ଟିମେଟର ଭାବେ ସେହିଠାରେ ୧୯୯୪ରୁ ୧୯୯୫ ଯାଏଁ କାମ କରିଥିଲେ। କେନ୍ଦ୍ରାପଡ଼ା ଓ ଦେବଗଡ଼ ଭଳି ଜିଲ୍ଲାରେ କାମ କରିବା ପରେ ପୁଣି ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ ଅଫିସରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ।