ପରୀକ୍ଷା ଫି ବୃଦ୍ଧିକୁ ବିରୋଧ କରି ଧାରଣା

ପରୀକ୍ଷା ଫି ବୃଦ୍ଧିକୁ ବିରୋଧ କରି ଧାରଣା

ଦଶରଥପୁର:ଦଶରଥପୁର ବ୍ଲକ ଚିତାଳୋସ୍ଥିତ ଚିତାଳୋ ଡିଗ୍ରି ମହାବିଦ୍ୟାଳୟରେ ପରୀକ୍ଷା ଫି ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି। କୌଣସି ପୂର୍ବ ସୂଚନା ନ ଥାଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଯୁକ୍ତ ୩ ଶେଷବର୍ଷ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’କୁ ଅତ୍ୟଧିକ ବୃଦ୍ଧି କରିଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଛାତ୍ରମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କ କହିବା ଅନୁସାରେ ବୁଧବାର ଯୁକ୍ତ ୩ ବାଣିଜ୍ୟ ବିଭାଗ ଶେଷବର୍ଷ ପରୀକ୍ଷା ଫର୍ମ ପୂରଣ ପାଇଁ ଦିନଧାର୍ଯ୍ୟ ହୋଇଥିଲା। ତଦନୁଯାୟୀ ପ୍ରସ୍ତୁତ ହୋଇ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟକୁ ଆସିଥିଲେ।

ମାତ୍ର ଆସିବା ପରେ ଏସ୍‌ଟି, ଏସ୍‌ସି ବର୍ଗ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପାଇଁ ମୋଟ ୧୧୮୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଥିବା ଜାଣିବାକୁ ପାଇଥିଲେ। ସେହିପରି ସାଧାରଣ ଓ ଏସ୍‌ଇବିସି ପିଲାଙ୍କ ଫର୍ମ ପୂରଣ ପାଇଁ ମୋଟ୍ ୪୯୮୦ ଟଙ୍କା ଦେୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଥିଲା। କୌଣସି ପୂର୍ବ ସୂଚନା ନଥାଇ ହଠାତ୍ ଏତେ ପରିମାଣର ଅର୍ଥ ଦାଖଲ କରି ଫର୍ମ ପୂରଣ କରିବା ସମ୍ଭବ ନୁହେଁ ବୋଲି କିଛି ଛାତ୍ରଛାତ୍ରୀ କହିଥିଳେ। ଏଥିସହ ସେମାନେ ଯୁକ୍ତ ୩ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବାକୁ ଚାହିଁଥିଲେ। ମାତ୍ର ଅଧ୍ୟକ୍ଷ ଅଦ୍ବୈତ ପ୍ରସାଦ ମଲ୍ଲିକ କୌଣସି ସନ୍ତୋଷଜନକ ଉତ୍ତର ନଦେବାରୁ ଅସନ୍ତୋଷ ଦେଖାଦେଇଥିଲା। ଛାତ୍ରମାନେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିରହି ବର୍ଦ୍ଧିତ ପରୀକ୍ଷା ଫି’ ପ୍ରତ୍ୟାହାର କରିବାକୁ ନାରାବାଜି କରିଥିଲେ।

ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକମାନେ ଆସି ଧାରଣାରତ ଛାତ୍ରମାନଙ୍କୁ ବୁଝାସୁଝା କରିଥିଲେ। ଧାରଣାରୁ ଓହରିଯିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଛାତ୍ରମାନେ ସେମାନଙ୍କ ଦାବିରୁ ଓହରି ନଥିଲେ। ଫି ପ୍ରତ୍ୟାହାର ଦାବିରେ ଅଡ଼ିବସିଥିଲେ। ପରେ ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକଙ୍କ ପରାମର୍ଶକ୍ରମେ ଧାରଣାରତ ଛାତ୍ରଛାତ୍ରୀମାନେ ବର୍ଦ୍ଧିତ ପରୀକ୍ଷା ଫି ପ୍ରତ୍ୟାହାର କରିବା ପାଇଁ ଏକ ଲିଖିତ ଅନୁରୋଧପତ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମଲ୍ଲିକଙ୍କୁ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶେଷରେ ଛାତ୍ରମାନେ ଧାରଣାରୁ ଓହରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe