ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଧାରଣା

କୋରେଇ: କୋରେଇ ଶିକ୍ଷାମଣ୍ତଳ ଅନ୍ତର୍ଗତ ଜହ୍ନା ପଞ୍ଚାୟତ ଜହ୍ନାକୋଣା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଆଜି ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦୀର୍ଘ ୧୨ ଘଣ୍ଟା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ଦେବାରୁ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ। ୧୯୫୬ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସରକାରୀ ପ୍ରାଥମିକ ବିଦ୍ୟାଳୟଟି ବନ୍ଦହେବା ନେଇ ବିଭାଗୀୟ ଆଦେଶ ହୋଇଥିଲା। ହେଲେ ଏହା ପ୍ରତ୍ୟାହାର ଦାବିରେ ଜହ୍ନା ସରପଂଚ ସଂଯୁକ୍ତା ସାହୁ ଓ ବିଜେଡି ଯୁବନେତା ପ୍ରୀତିରଞ୍ଜନ ସାହୁଙ୍କ ସମେତ ବିଦ୍ୟଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଆଜି ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ସ୍କୁଲ ବନ୍ଦ ନ କରି ଆମକୁ ପାଠ ପଢିବାର ସୁଯୋଗ ଦିଅ ଆଦି ସ୍ଲୋଗାନ ଦେଇଥିଲେ।

ଖବର ପାଇ କୋରେଇ ବିଡିଓ ରଞ୍ଜନ କୁମାର ପରିଡା ପହଞ୍ଚି ବୁଝାସୁଝା କରିବା ସହ ସରକାରଙ୍କ ନିୟମ ସ୍କୁଲ ପାଳନ କରୁଥିବାରୁ ଏହା ବନ୍ଦ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଡିଓ ଶ୍ରୀ ପରିଡା ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି କହିଥିଲେ। ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସ୍କୁଲଟି ବନ୍ଦ କରିବା ପାଇଁ ପତ୍ରସଂଖ୍ୟା–୩୦୫୮/୬.୯.୨୨ ରେ ଜିଲ୍ଲା ଶିକ୍ଷା ଅଧିକାରୀ କୋରେଇ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।  କୋରେଇ ବିଇଓ ମଧ୍ୟ ପତ୍ର ସଂଖ୍ୟା–୧୩୧୪/ ୨୬.୯.୨୨ ରେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ସ୍କୁଲକୁ ବନ୍ଦ କରାଯାଇ ନିକଟସ୍ଥ ଜହ୍ନା ୟୁଜିଏମ୍ଇ ସ୍କୁଲ ସହ ମିଶ୍ରଣ ହୋଇଥିବା  ସୂଚନା ଦେଇଥିଲେ।  ହେଲେ ଅଭିଭାବକମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।  ମାନ୍ୟବର ହାଇକୋର୍ଟ ଏକ କମିଟି ଗଠନ କରି ଏହାର ତଦନ୍ତ କରାଯିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ଆଜି ସଂଧ୍ୟାରେ କଳିଙ୍ଗନଗର ଏଡିଏମ୍ ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ ଏବଂ ଅକ୍ଷୟ କୁମାର ମଲ୍ଲିକ ଧାରଣାକାରୀଙ୍କୁ ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର