ରେଢ଼ାଖୋଲ ଉପଖଣ୍ତରେ ଅଫିମ ଚାଷ

୧୦ ହଜାର ଗଛ ନଷ୍ଟ କରାଗଲା, ୩ ଗିରଫ, ନଷ୍ଟଗଛର ମୂଲ୍ୟ ୬୦ ଲକ୍ଷ

ରେଢ଼ାଖୋଲ/ ନାକ୍‌ଟିଦେଉଳ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ତର ଘଞ୍ଚ ଜଙ୍ଗଲରେ ପୂର୍ବରୁ ଗଞ୍ଜେଇ ଚାଷ ହେଉଥିବାବେଳେ ଏବେ ରେଢ଼ାଖୋଲ ଜଙ୍ଗଲରେ ଅଫିମ (ଆପୁ) ଚାଷ କରାଯାଉଥିବା ଜଣାଯାଇଛି। ରବିବାର ଅବକାରୀ ଓ ପୁଲିସ ପକ୍ଷରୁ ମିଳିତଭାବେ ଚଢ଼ଉ କରି ୧୦ ହଜାର ଗଛ ନଷ୍ଟ କରାଯିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ରେଢ଼ାଖୋଲ ଉପଖଣ୍ତରେ ଅଫିମ ଚାଷହେବା ଏହା ପ୍ରଥମ ବୋଲି କୁହାଯାଉଛି।

ରେଢ଼ାଖୋଲ ଥାନା ଅନ୍ତର୍ଗତ ଡଇଁଚା ପଞ୍ଚାୟତ ଗୋପାଳପୁରରେ ଗ୍ରାମ ନିକଟସ୍ଥ ସରକାରୀ ଜାଗାରେ ଅଫିମ ଚାଷ ହେଉଥିବା ନେଇ କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ରବିବାର ସମ୍ବଲପୁର ଓ ରେଢ଼ାଖୋଲ ଅବକାରୀ କର୍ମଚାରୀ ସହିତ ରେଢ଼ାଖୋଲ ପୁଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇଥିଲା। ଗୋପାଳପୁର ଗ୍ରାମରେ ସରକାରୀ ଜମିରେ ହୋଇଥିବା ପ୍ରାୟ ୪୦ ଡିସିମିଲ ଜମିରୁ ୧୦ ହଜାରରୁ ଅଧିକ ପରିପକ୍ବ ଅଫିମ ଗଛକୁ ନଷ୍ଟ କରାଯାଇ ଥିଲା। ଏଥିରେ ସମ୍ପୃକ୍ତ ଗୋପାଳପୁର ଗ୍ରାମର ଦୁଗେ ଛୁଟିଆ ପୂର୍ତ୍ତି, ପୀତାମ୍ବର କାଣ୍ଡେ ଓ ବିଶରମ ସାମଡଙ୍କୁ ଗିରଫ କରାଯାଇଛି। ସୋମବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ରେଢ଼ାଖୋଲ ଉପଖଣ୍ତରେ ଅଫିମ ଚାଷ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚା ବିଷୟ ହୋଇଯାଇଛି। ନଷ୍ଟ ହୋଇଥିବା ଅଫିମର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

ଚଢ଼ଉରେ ନାକଟିଦେଉଳ ତହସିଲଦାର ସୁକାନ୍ତ ନାୟକ ମାଜି‌ଷ୍ଟ୍ରେଟ୍‌ ଉପସ୍ଥିତ ଥିଲେ। ଏହି ଚଢ଼ଉରେ ସମ୍ବଲପୁର ଅବକାରୀ ଅଧୀକ୍ଷକ ଅଶୋକ ସେଠ୍‌, ଇନ୍‌ସପେକ୍ଟର ଯାଦବ ପ୍ରଧାନ, ଶଶିକାନ୍ତ ଦତ୍ତ, ପବିତ୍ର ମୋହନ ମାଝି, ଏସ୍‌ଆଇ ଦିଲ୍ଲୀପ ଶତପଥୀ, ବିନୋଦିନୀ ବେହେରା, ଶ୍ରୀକାନ୍ତ ପାଣିଗ୍ରାହୀ, ତପସ୍ୱିନୀ ବାଘ, ମୋହନ ବେହେରା, ବନମାଳୀ ନାଏକ କନେଷ୍ଟବଳ ଶ୍ୟାମ ଭୋଇ, ଦେବ ରଞ୍ଜନ ବେହେରା, ବଳଭଦ୍ର ବେହେରା, ଶ୍ରବଣ ମାଝୀ, ପ୍ରଫୁଲ୍ଲ ଭୋଇ ଓ ଶଙ୍କର ନାଏକ ପ୍ରମୁଖ, ଡଇଁଚା ଆର୍‌ଆଇ ଅଶୋକ ଧଳ ସମେତ ବହୁ ଅବକାରୀ ଓ ପୁଲିସ ବିଭାଗର ଅଧିକାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର