ସୀମାନ୍ତ ସରଣ୍ଡାରେ ଅଫିମ ଚାଷ: ୨ ଏକର ଅଫିମ ଗଛ ନଷ୍ଟ କଲା ପ୍ରଶାସନ, ତଦନ୍ତ ଜାରି

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ନିକଟସ୍ଥ ଗାଁ ଜମିରେ ଚାଷ ହେଉଥିବା ଅଫିମ ଗଛକୁ ନଷ୍ଟ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ସରଣ୍ଡା ଜିଲ୍ଲା ପୁଲିସ ଓ ବନ ବିଭାଗ ମିଳିତ ଚଢ଼ଉ କରି ଜରେଇକେଲା ଥାନା ଅନ୍ତର୍ଗତ ବିଙ୍ଗିକିରି ଗାଁ ନିକଟ ଦୁଇ ଏକର ଜମିରେ ଚାଷ ହୋଇଥିବା ଅଫିମ ଗଛକୁ ପୋଡି ନଷ୍ଟ କରି ଦେଇଛନ୍ତି। ବିଙ୍ଗିକିରି ଗାଁ ନିକଟ ସରଣ୍ଡାରୁ ଗଛଗୁଡ଼ିକ କଟାଯାଇ ବେଆଇନ ଭାବେ ଅଫିମ ଚାଷ କରାଯାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ଚାଷ ଜମିରୁ ଉତ୍ପାଦିତ ଅଫିମ କେଉଁ କେଉଁ ଅଞ୍ଚଳକୁ ଚାଲାଣ ହେଉଥିଲା, ଏହି କାରବାରରେ କେଉଁମାନଙ୍କର ସମ୍ପୃକ୍ତି ରହିଛି। ପିଏଲ୍‌ଏଫଆଇ ନା ମାଓବାଦୀଙ୍କ ଇଙ୍ଗିତରେ ଚାଷ ହେଉଥିଲା, ଏମିତି ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରଥମ କରି ସରଣ୍ଡା ଜଙ୍ଗଲରେ ବେଆଇନ ଅଫିମ ଚାଷ ହେଉଥିବା ବନ ବିଭାଗ କହିଛି।

ସମ୍ବନ୍ଧିତ ଖବର