ସଚିବାଳୟରେ ସିବିଆଇ କାହିଁକି ପଶିଲା ସରକାର ସ୍ପଷ୍ଟୀକରଣ ଦିଅନ୍ତୁ: ବିରୋଧୀଦଳ ନେତା ନରସିଂହ ମିଶ୍ର

ଭୁବନେଶ୍ୱର:  କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଅଧିକାରୀ ରାଜ୍ୟ ସଚିବାଳୟକୁ  ଆସିବା ଓ ଜଣେ ମନ୍ତ୍ରୀଙ୍କୁ ପଚରାଉଚରା କରିବା ନେଇ ନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ଜୋର ଧରିବାରେ ଲାଗିଛି।  କଂଗ୍ରେସ ବିଧାୟକ  ତାରା ପ୍ରସାଦ ବାହିନୀ ପତି ଏହି ଘଟଣା ନେଇ ବିଧାନସଭାରେ ହୋ ହଲ୍ଲା କରିବା ସହିତ ଚିଟ୍‌ ଫଣ୍ଡ ମାମଲା କିମ୍ବା  ଖଣି ଦୁର୍ନୀତି ପାଇଁ ସିବିଆଇ ସଚିବାଳୟରେ ପଶିଲା ତାହା ରାଜ୍ୟ ସରକାରେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି। ଏହାକୁ ନେଇ ହୋ ହଲ୍ଲା ହେବା ପରେ ଗୃହକୁ ଅପରାହ୍ଣ ୩ଟା ଯାଏ ମୁଲତବୀ ରଖାଯାଇଛି।

ଅପରପକ୍ଷେ ଏହି ଘଟଣା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସଚିବାଳୟରେ ସିବିଆଇ ପଶିବା ଘଟଣାରେ ମୁହଁ ଖୋଲିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ସଚିବାଳୟରେ ସିବିଆଇ ପଶିବା ଘଟଣାରେ ସରକାର ସ୍ପଷ୍ଟୀକରଣ ଦେବା ଉଚିତ। ସିବିଆେଇ କେଉଁ ମାମଲାର ତଦନ୍ତ ପାଇଁ ସଚିବାଳୟରେ ପଶିଥିଲା  ସରକାର  ତାହା ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଦାବି କରିଛନ୍ତି।

ଅପରପକ୍ଷେ ବିଜେପି  ନେତା ପ୍ରଦୀପ ପୁରୋହିତ କହିଛନ୍ତି ଯେ ରାଜ୍ୟ ସରକାର ସିବିଆଇକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି।  ଖୁବ୍‌ ଶୀଘ୍ର ଚିଟ୍‌ଫଣ୍ଡ ଦୁର୍ନୀତିର ପର୍ଦ୍ଦାଫାସ ହେବ। ଆଉ ଏଥିରେ ବଡ଼ ମାଛ ଫସିବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ତବେ ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର ସେମାନଙ୍କ ରାଜ୍ୟରେ ସିବିଆଇ ପ୍ରବେଶ ଉପରେ ରୋକ ଲଗାଇଥିିବା ବେଳେ  ସିବିଆଇ ଓଡ଼ିଶା ସଚିବାଳୟ ପର୍ଯ୍ୟନ୍ତ ଚାଲିଆସିବା ଘଟଣା ନେଇ ରାଜନୈତିକ ବୟାନବାଜି ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର