ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନାରେ ବିରୋଧୀଙ୍କ ଟାର୍ଗେଟ୍: ବଜେଟ୍ ଆକାର ବଡ଼, କିନ୍ତୁ ଟଙ୍କା ଖର୍ଚ୍ଚ ହୋଇପାରୁନି

କେନ୍ଦ୍ର ଅବହେଳା କଥା ଉଠାଇଲେ ଶାସକ ଦଳ ସଭ୍ୟ

ଭୁବନେଶ୍ବର : ରାଜ୍ୟ ବଜେଟ୍ ଆକାର ବଡ଼। ୨ ଲକ୍ଷ କୋଟି ଟଙ୍କା ଟପିଯାଇଛି। କିନ୍ତୁ ଅର୍ଥ ଖର୍ଚ୍ଚ ହୋଇପାରୁନି। ସରକାରୀ ପଦବି ଖାଲି ପଡ଼ିଛି। ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି ପରି ପ୍ରମୁଖ କ୍ଷେତ୍ରରେ ବିକାଶ ଆଶାନୁରୂପ ନୁହେଁ। ଆଜି ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ବେଳେ ସରକାରଙ୍କୁ ଏମିତି ସମାଲୋଚନା କରିଛନ୍ତି ବିରୋଧୀ ଦଳ ସଭ୍ୟମାନେ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, କେନ୍ଦ୍ରୀୟ ଅନୁଦାନ ଉପରେ ରାଜ୍ୟ ବଜେଟ୍ ନିର୍ଭରଶୀଳ। ଦାରିଦ୍ର୍ୟର ମୁକାବିଲା ପାଇଁ ବଜେଟ୍‌ରେ ଠୋସ୍ ବ୍ୟବସ୍ଥା କରାଯାଇନି। ଗୁଣାତ୍ମକ ଶିକ୍ଷା ପାଇଁ ବଜେଟ୍‌ରେ ସେତିକି ବ୍ୟବସ୍ଥା ନାହିଁ। ଗୃହ ବିଭାଗ ପାଇଁ ୨.୪% ବ୍ୟୟବରାଦ କରାଯାଇଛି, ଯାହା କି ଯଥେଷ୍ଟ ନୁହେଁ। ସ୍ବାସ୍ଥ୍ୟସେବାରେ ଭିତ୍ତିଭୂମି ଠିକ୍ ନାହିଁ। ଦେଶର ଜଳସମ୍ପଦର ୧୧% ଓଡ଼ିଶାରେ ଥିଲେ ବି ତାହାର ସୁପରିଚାଳନା ହୋଇନାହିଁ। କର୍ମନିଯୁକ୍ତିର ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇନି। ମୁକେଶ ମହାଲିଙ୍ଗ କହିଲେ, ସରକାର ଖଣି ରାଜସ୍ବକୁ ନିଜର ଆୟର ଉତ୍ସ ଭାବି ଦେଇଛନ୍ତି। ଲଘୁ ଖଣିଜଦ୍ରବ୍ୟ, ପର୍ଯ୍ୟଟନ ଓ କୃଷିଭିତ୍ତିକ ଶିଳ୍ପରୁ ଯେତିକି ରାଜସ୍ବ ସଂଗ୍ରହ ହେବା କଥା ତାହାକୁ ଗୁରୁତ୍ବ ଦେଇନାହାନ୍ତି। କେବିକେ ଅଞ୍ଚଳ ଗଲେ ସରକାରଙ୍କର ବିକାଶର ଗୋଲାପୀ ଚିତ୍ର ଧରାପଡ଼ିଯିବ। ବିଜେପି ପକ୍ଷରୁ ଭାସ୍କର ମଢ଼େଇ, ସୁବାସ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ ଓ ସନାତନ ବିଜୁଳି ଆଲୋଚନାରେ ଭାଗ ନେଇଥିଲେ।

ବରିଷ୍ଠ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ଏ ବର୍ଷ ରାଜ୍ୟର ଋଣ ଭାର ୧ ଲକ୍ଷ କୋଟି ଟଙ୍କାକୁ ଟପିଯିବ। ରାଜ୍ୟରେ ସବୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ପଦବି ଖାଲି ପଡ଼ିଛି। ସ୍କୁଲ୍‌ରେ ଶିକ୍ଷକ ନାହାନ୍ତି କି ହସ୍ପିଟାଲ୍‌ରେ ଡାକ୍ତର ନାହାନ୍ତି। ଖଣି କ୍ଷେତ୍ରରୁ ଅଧିକ ରାଜସ୍ବ ମିଳୁଛି ସତ। କିନ୍ତୁ ଏହି କ୍ଷେତ୍ରରୁ ଯେତିକି ଚୋରି ହେଉଛି, ଏମିତି କୌଣସି ସରକାର ସମୟରେ ହୋଇନି। ଚାଷୀଙ୍କ ପାଇଁ ବହୁ ମିସନ୍ କରାଯାଇଛି। କିନ୍ତୁ ସବୁ ବିଫଳ। ରାଜ୍ୟରେ ଅନାହାର ମୃତ୍ୟୁ ବି ହେଉଛି। ସୁରେଶ ରାଉତରାୟ କହିଲେ, ଏ ସରକାର ଅପାରଗ। ତଳୁ ଉପର ଯାଏ କର୍ମଚାରୀ ସଙ୍କଟ। ଏଠି ବଜେଟ୍ ଆକାର ବଢ଼ୁଛି, କିନ୍ତୁ ଦାଦନ ଖଟିବାକୁ ଲୋକ ବାହାରକୁ ଯାଉଛନ୍ତି। ତାରାପ୍ରସାଦ ବାହିନୀପତି କହିଲେ, ଏ ରାଜ୍ୟରେ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଚାଷୀଙ୍କ ପାଇଁ ଠୋସ୍ ଯୋଜନା ନାହିଁ। କୋଭିଡ୍ ସମୟରେ ଏତେ ଲୋକ ରାଜ୍ୟକୁ ଫେରିଲେ। କିନ୍ତୁ ସେମାନଙ୍କ ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା ହୋଇପାରିଲା ନାହିଁ। ସେମାନେ ପୁଣି ରାଜ୍ୟ ବାହାରକୁ ଚାଲିଗଲେ।

ଶାସକ ଦଳ ସଭ୍ୟ ଅରୁଣ ସାହୁ ଯୁକ୍ତି ବାଢ଼ିଥିଲେ, କରୋନା ଯୋଗୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଭୟଙ୍କର ସ୍ଥିତି ଦେଇ ଗତି କରୁଛନ୍ତି। କିନ୍ତୁ ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରାଜନୈତିକ ଓ ଅର୍ଥନୈତିକ ସ୍ଥିରତା ଆଣି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଭୋକର ଭୂଗୋଳକୁ ବିକାଶର ଭୂଖଣ୍ଡରେ ପରିଣତ କରିଛନ୍ତି। ଆମେ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛୁ। କିନ୍ତୁ କେନ୍ଦ୍ର ସରକାର ଆମକୁ ଲଗାତର ଅବେହଳା କରିଚାଲିଛନ୍ତି। ୩୨୫୧ କୋଟି ଟଙ୍କାର ଜିଏସ୍ଟି କେନ୍ଦ୍ର ଉପରେ ବାକି ପଡ଼ିଛି। ଠିକ୍ ସମୟରେ ସାର ମିଳୁନି। କୋଇଲା ରୟାଲିଟି ସଂଶୋଧନ କରାଯାଉନି। ଆମେ ଏକ ବଡ଼ ମନ ନେଇ କେନ୍ଦ୍ରକୁ ଗଠନମୂଳକ ଓ ସହଯୋଗଭିତ୍ତିକ ସମର୍ଥନ କଥା କହୁଛୁ। ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଜଣାଉଛୁ। କିନ୍ତୁ କେନ୍ଦ୍ର ସରକାର ସେହି ଅନୁଯାୟୀ ସହଯୋଗର ହାତ ବଢ଼ାଉ ନାହାନ୍ତି। ଶାସକ ଦଳ ସଭ୍ୟ ଦେବୀ ପ୍ରସାଦ ମିଶ୍ର ଶିକ୍ଷା, ସ୍ବାସ୍ଥ୍ୟ, କୃଷି କ୍ଷେତ୍ର ପାଇଁ ବ୍ୟୟବରାଦ ବଢ଼ିଛି ବୋଲି କହିଥିଲେ। ଶଶୀଭୂଷଣ ବେହେରା କହିଥିଲେ, ସରକାର ରାଜ୍ୟର ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ରାଜ୍ୟର ବିକାଶକୁ ସମସ୍ତେ ଏବେ ଅନୁଭବ କରୁଛନ୍ତି। ଶାସକ ଦଳ ସଭ୍ୟ ଦିବଶ୍ୟଙ୍କର ମିଶ୍ର, ରାଜକିଶୋର ଦାସ, ପ୍ରଫୁଲ୍ଲ ସାମଲ, ଲତିକା ପ୍ରଧାନ ଓ ପ୍ରଦୀପ ଦିଶାରୀ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର