ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସୁଯୋଗ ରହିଛି

ଆପିକଲ୍‌ ମାଧ୍ୟମରେ ଉଦ୍ୟୋଗୀ ସୃଷ୍ଟି ପାଇଁ ପ୍ରୟାସ

ଭୁବନେଶ୍ୱର : ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଭରପୂର ସୁଯୋଗ ରହିଛି। ଯୁବ ଉଦ୍ୟୋଗୀମାନେ ସମ୍ପ୍ରତି କୃଷି କ୍ଷେତ୍ରରେ ପ୍ରକଳ୍ପ ପ୍ରତିଷ୍ଠା କରିବା ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି। ଆପିକଲ୍‌ ମାଧ୍ୟମରେ ପ୍ରତି ବ୍ଲକ୍‌ରେ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ଆଜି ଆୟୋଜିତ ଏକ ଭର୍ଚୁଆଲ୍‌ ବୈଠକରେ ମନ୍ତ୍ରୀ ଶ୍ରୀ ସାହୁ ଆପିକଲ୍‌ ଓ ଓଡ଼ିଶା କୃଷି ଶିଳ୍ପ ନିଗମର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମନ୍ତ୍ରୀ କହିଥିଲେ ଯେ ଆପିକଲ୍‌ରେ ପ୍ରତି ଜିଲ୍ଲାରେ ଦାୟିତ୍ବରେ ଥିବା ଜିଲ୍ଲା ମ୍ୟାନେଜର୍‌ମାନେ ଅଧିକ କ୍ରିୟାଶାଳ ହୋଇ ସେମାନଙ୍କ ଜିଲ୍ଲାରେ କୃ‌ଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ରହିଥିବା ସୁଯୋଗ ଓ ସୁବିଧା ସମ୍ପର୍କରେ ତର୍ଜମା କରିବା ଆବଶ୍ୟକ। କୋଭିଡ୍‌-୧୯ ପରି ଅସ୍ବାଭାବିକ ସ୍ଥିତି ଦେଇ ସାରା ବିଶ୍ବ ଗତି କରୁଥିଲା ବେଳେ କୃଷି ଓ ଆନୁଷଙ୍ଗିକ ‌େକ୍ଷତ୍ରରେ ଖାଦ୍ୟ ନିରାପତ୍ତା ସହିତ ରୋଜଗାର ଯୋଗାଣରେ ଏକ ଉତ୍ତମ ବିକଳ୍ପ ଭାବେ ଉଭା ହୋଇଛି। ଯୁବଗୋଷ୍ଠୀଙ୍କୁ ଏଥି ପ୍ରତି ଆଗ୍ରହୀ କରାଇବା ଦିଗରେ ଜନ‌ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। କୃଷି ଓ ଉଦ୍ୟାନ କୃଷି ସମେତ ମତ୍ସ୍ୟ ଓ ପ୍ରାଣୀପାଳନ, କୁକୁଡ଼ା ଚାଷ, ଡାଏରି ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ ସୃଷ୍ଟି ଦିଗରେ ଜିଲ୍ଲା ସ୍ତରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଆଦି ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ନିୟମିତ ବୈଠକ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଉଦ୍ୟୋଗୀମାନେ ଯେପରି ସହଜରେ ବ୍ୟାଙ୍କ ଋଣ ପାଇପାରିବେ, ସେଥି ନିମନ୍ତେ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହ ସମନ୍ବୟ ରକ୍ଷା କରିବା ପାଇଁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। କୃଷି ଉତ୍ପାଦନ କମିସନର୍‌ ରାଜ କୁମାର ଶର୍ମା ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଯେଉଁ ସବୁ ଯୋଜନା ପ୍ରଣୟନ କରିଛନ୍ତି ତାହା ଚାଷୀଙ୍କ ନିକଟରେ ଯେପରି ସହଜରେ ପହଞ୍ଚି ପାରିବ ସେ ଦିଗରେ ଅଧିକାରୀମାନେ ପଦକ୍ଷେପ ନେବାକୁ କହିଥିଲେ। ଏହା ସହିତ କୃଷି ଶିଳ୍ପ ନିଗମ ପକ୍ଷରୁ ସାର, କୀଟନାଶକ ଔଷଧ ଯୋଗାଣ ସମେତ ବିଭିନ୍ନ କୃଷି ଉପକରଣ ଯୋଗାଣ ଏବଂ ଜଳନିଧି(୨) ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବୈଠକରେ ଆପିକଲ୍‌ର ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଆପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ରାଉଳ, କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକଙ୍କ ସମେତ ଜିଲ୍ଲା ମ୍ୟାନେଜର୍‌ମାନେ ଯୋଗ ‌େଦଇଥିଲେ।

ସମ୍ବନ୍ଧିତ ଖବର