ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠରେ ଆନ୍ତର୍ଜାତିକ ମାନର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ସହ ପୁନେର ଶ୍ରୀ ଭିଲେପର୍ଲ କେଲବାଣୀ ମଣ୍ଡଳ ଟ୍ରଷ୍ଟ(ଏସ୍‌ଭିକେଏମ୍‌) ବୁଝାମଣା‌ପତ୍ର ସ୍ବାକ୍ଷର କରିଛି। ସେହି ଅନୁଯାୟୀ ଆଜି ଇନ୍‌ଫୋଭ୍ୟାଲିରେ ଏହି ଟ୍ରଷ୍ଟ ପକ୍ଷରୁ ନର୍ସିଂ ମୋଞ୍ଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟା‌ନେଜ୍‌ମେଣ୍ଟ୍‌ ଷ୍ଟଡିଜ୍‌ର ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିଳାନ୍ୟାସ କରିଛନ୍ତି। ପ୍ରତିଷ୍ଠାନ ନିର୍ମାଣ ପାଇଁ ରାଜ୍ୟ ସରକାର ୪୦ ଏକର ଜାଗା ଯୋଗାଇ ଦେଇଛନ୍ତି। ମେଧା ଭିତ୍ତରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏଥିରେ ୩୦ ପ୍ରତିଶତ ଆସନ ସଂରକ୍ଷିତ ରହିବ।

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶରେ ଓଡ଼ିଶା ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି। ଫଳରେ ରାଜ୍ୟରେ ଯୁବ ପିଢ଼ିଙ୍କ ପାଇଁ ବିଶାଳ ସୁଯୋଗ ସୃଷ୍ଟି ହୋଇଛି, ଯାହା କି ଦେଶ ତଥା ବିଦେଶରୁ ଦକ୍ଷ ପ୍ରତିଭାମାନଙ୍କୁ ଆକର୍ଷିତ କରୁଛି। ସେହିପରି ଏବେ ବିଶ୍ବରେ ଭାରତର ଏକ ଅଗ୍ରଣୀ ଅର୍ଥନୀତି ରହିଛି, ଯାହା କି ବିଭିନ୍ନ ଦେଶ ମଧ୍ୟରେ ପଞ୍ଚମ। ଏହି ବିଶାଳ ଅର୍ଥନୀତି ଯୁବଶକ୍ତି ଦ୍ବାରା ହିଁ ପରିଚାଳିତ ହେଉଛି। ଯୁବଗୋଷ୍ଠୀ ହିଁ ଆମର ଶକ୍ତି, ଆମର ସମ୍ପତ୍ତି। ବାସ୍ତବରେ ଏବେ ଭାରତର ଯୁବଗୋଷ୍ଠୀ ବିଶ୍ବ ଅର୍ଥନୀତିର ଆଶା ଓ ସମ୍ଭାବନା ଭାବେ ବିବେଚିତ ହେଉଛନ୍ତି। ଆନ୍ତର୍ଜାତିକ କମ୍ପାନିଗୁଡ଼ିକର ସିଇଓ ଓ ମ୍ୟାନେଜ୍‌ମେଣ୍ଟ୍‌ ଚିନ୍ତକମାନେ ସର୍ବାଧିକ ଭାରତରୁ ହିଁ ବାହାରିଛନ୍ତି। ଏହା ଆମ ଭାରତୀୟ ମ୍ୟାନେଜ୍‌ମେଣ୍ଟ୍‌ ପ୍ରତିଷ୍ଠାନଗୁଡ଼ିକର ଅବଦାନ।

ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ୩୦% ଆସନ ସଂରକ୍ଷିତ ରହିବ

ଭାରତୀୟ ମୂଲ୍ୟବୋଧ ବ୍ୟବସ୍ଥା ଯୁକ୍ତ ଗୁଣାତ୍ମକ ମ୍ୟାନେଜ୍‌ମେଣ୍ଟ୍‌ ଶିକ୍ଷା ଯୋଗୁ ଏଠାରୁ ବାହାରୁଥିବା ମ୍ୟାନେଜ୍‌ମେଣ୍ଟ୍‌ ବୃତ୍ତିଧାରୀମାନଙ୍କ ଚାହିଦା ସାରା ବିଶ୍ବରେ ରହିଛି। ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୦୦ ମସିହା ପରଠାରୁ ରାଜ୍ୟରେ ଉଚ୍ଚଶିକ୍ଷାର ଉଲ୍ଲେଖନୀୟ ବିକାଶ ହୋଇଛି। ରାଜ୍ୟରେ ବହୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ସହ ଭିତ୍ତିଭୂମିର ବିକାଶ ହୋଇଛି ଏବଂ ଶିକ୍ଷାର ସବୁ କ୍ଷେତ୍ରରେ ପାଠ୍ୟକ୍ରମ ଏଠାରେ ଉପଲବ୍ଧ ହେଉଛି। ଏହି ଅନୁଷ୍ଠାନ ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ଯୋଡ଼ିବା ସହ ରାଜ୍ୟରେ ଉଚ୍ଚଶିକ୍ଷାର ପରିବେଶକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଏସ୍‌ଭିକେଏମ୍‌ ଟ୍ରଷ୍ଟର ସଭାପତି ଅମରୀଶ ପଟେଲ୍‌ ଉପସ୍ଥିତ ଥିଲେ।