ଜେଲ୍‌ରେ ଭିତରୁ ପାଠପଢ଼ା ସୁଯୋଗ : ‘ଓସୁ’ରେ ନାମ ଲେଖାଇଲେ ୧୨ କଏଦୀ

ସମ୍ବଲପୁର : ଜେଲ୍ ଭିତରେ ଥାଇ କଏଦୀମାନଙ୍କୁ ପାଠ ପଢ଼ିବାର ସୁଯୋଗ ମିଳିଛି। ଗୁରୁବାର ସମ୍ବଲପୁର ମଣ୍ଡଳ ଜେଲ୍ ପରିସରରେ ବିଧିବଦ୍ଧ ଭାବେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ଏକ ‌ଷ୍ଟଡି ସେଣ୍ଟର ଖୋଲାଯାଇଛି। ସମ୍ବଲପୁର ମଣ୍ଡଳ ଜେଲ୍‌ର ୧୨ ଜଣ ଅନ୍ତେବାସୀ ସ୍ନାତକ ଓ ସ୍ନାତ‌କୋତ୍ତର ଶ୍ରେଣୀରେ ନାମ ଲେଖାଇଛନ୍ତି। ଅନ୍ତେବାସୀଙ୍କ ବ୍ୟତୀତ ଜେଲ୍‌ର ୭ ଜଣ କର୍ମଚାରୀ ମଧ୍ୟ ଏହାର ସୁଯୋଗ ‌ନେଇଛନ୍ତି। ସେମାନଙ୍କୁ ନିଃଶୁଳ୍କ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି।

ବିଭିନ୍ନ ଅପରାଧ ଘଟାଇ ଏମାନଙ୍କୁ ମଧ୍ୟରୁ କେତେକ କାରାଦଣ୍ଡ ଭୋଗୁଥିବା ବେଳେ ଆଉ କେତେକ ବିଚାରଧୀନ କଏଦୀ ଭାବେ ଜେଲ୍‌ର ଅଛନ୍ତି। ଜେଲ୍‌କୁ ଆସିବା ପରେ ପାଠପଢ଼ାରେ ଡୋରି ବାନ୍ଧିଥିବା ଏହି ବ୍ୟକ୍ତିମାନେ ଜେଲ୍ କତ୍ତୃର୍ପକ୍ଷ ଏବଂ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ ପ୍ରଶାସନର ଉଦ୍ୟମ ଯୋଗୁଁ ଏବେ ପୁଣି ସେମାନଙ୍କ ଉଚ୍ଚଶିକ୍ଷା ସ୍ବପ୍ନ ସାକାର କରିବାକୁ ଯାଉଛନ୍ତି। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଜେଲ୍‌ରେ ଏଭଳି ଷ୍ଟଡି ସେଣ୍ଟର ଖୋଲାଯାଇ ଉଚ୍ଚଶିକ୍ଷାର ସୁଯୋଗ ଯୋଗାଇ ଦିଆଯିବାକୁ ପଦକ୍ଷେପ ନିଆଯାଇଛି। ସମ୍ବଲପୁର ବ୍ୟତୀତ ବାଲେଶ୍ବରରେ ୧୩ ଜଣ, ଚୌଦ୍ବାରରେ ୫୬ ଜଣ, ବ୍ରହ୍ମପୁରରେ ୧୫ ଜଣ ଏବଂ କୋରାପୁଟ ଜେଲ୍‌ର ୨ ଜଣଙ୍କ ନିମନ୍ତେ ଅଧ୍ୟୟନ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

ସମ୍ବଲପୁର ମଣ୍ଡଳ ଜେଲ୍‌ରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ଓସୁ’ର କୁଳପତି ପ୍ରଫେସର ଏ.କେ. ଦାସମହାପାତ୍ର, ଜିଏମ୍‌ୟୁ କୁଳପତି ଏନ୍‌.ନାଗାରାଜୁ, ଜେଲ୍‌ ଡିଆଇଜି ରାଜକିଶୋର ସାହୁ, ଜେଲ୍‌ ଅଧୀକ୍ଷକ ବିରେନ ସାହୁ, ଜେଲର୍‌ ଆଲୋକ ପ୍ରିୟଦର୍ଶୀ କର, ଓସୁର କୁଳସଚିବ ମାନସ ରଂଜନ ପୂଜାରୀ, ସଂଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର