ଭାରତମାଳା ପରିଯୋଜନାକୁ ବିରୋଧ: ଜମିହରାଙ୍କୁ ଉଚିତ ଦର ନମିଳିଲେ ରକ୍ତପାତ

କୋରାପୁଟ: ଭାରତମାଳା ପରିଯୋଜନା ସାଧାରଣ ଲୋକ ତଥା ଗରିବ ଲୋକଙ୍କ ପାଇଁ ନାହିଁ । ଯଦି ଜମିହରାଙ୍କୁ ଉଚିତ ଦର ମିଳିବନି ତ ରକ୍ତପାତ ହେବ । ଏହିଠାରେ କାମ କରିବାକୁ ଦିଆଯିବ ନି । ଭାରତମାଳା ପରିଯୋଜନା ପାଇଁ ଉପଯୁକ୍ତ କ୍ଷତିପୂରଣ ନ ମିଳିଲେ ସଡକ ପାଇଁ ଜମି ଦିଆଯିବ ନାହିଁ ବୋଲି କହିଛନ୍ତି ଜୟପୁର ବିଧାୟକ ତଥା ଜମିହରା ମଞ୍ଚର ସଭାପତି ତାରାପ୍ରସାଦ ବାହିନିପତି ।

କୋରାପୁଟ ଦେଇ ରାୟପୁରରୁ ବିଶାଖାପାଟଣା କୁ ମାତ୍ର ସାତ ଘଣ୍ଟାରେ ଯାତ୍ରା କରିବା ପାଇଁ ଭାରତମାଳା ସଡକ ଯୋଜନା କରାଯାଇଥିବା ବେଳେ ଉପଯୁକ୍ତ ଥଇଥାନ ଦାବିରେ ଜମିହରା ଓ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ସୋମବାର ଡୁମୁରିପୁଟ ଠାରେ ଏହି ଯୋଜନାରେ  ଜମିହରାଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି ।

ଏହି ଯୋଜନାରେ ଜମିହରାଙ୍କୁ ଉପଯୁକ୍ତ ନ୍ୟାୟ ମିଳୁନଥିବା ଅଭିଯୋଗ କରି ଏ ସମ୍ପର୍କରେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ନିଷ୍ପତ୍ତି ନିଆଯିବା ସହ ଜୟପୁର ବିଧାୟକ ଶ୍ରୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏକ  କମିଟି ଗଠନ କରାଯାଇଛି ।ଏଥିରେ ଚାରିଟି ବ୍ଲକର ଜମିହରା ଓ ଚାଷୀ ଯୋଗ ଦେଇଥିଲେ। ଉପଯୁକ୍ତ କ୍ଷତିପୂରଣ ନ ମିଳିଲେ ସଡକ ପାଇଁ ଜମି ଦିଆଯିବ ନାହିଁ ଓ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆସୁଥିବା ଅଧିକାରୀଙ୍କୁ ସମ୍ପୁର୍ଣ୍ଣ ରୂପେ ଅସହଯୋଗ କରାଯିବ ବୋଲି ଜମିହରା  ସଂଘର ଆବାହକ ଶରତ ବୁରୁଦା ସୂଚନା ଦେଇଛନ୍ତି ।

ବର୍ତ୍ତମାନ ରାୟପୁର ଓ ବିଶାଖାପାଟଣା ମଧ୍ୟରେ ଦୂରତା ୫୧୪ କିଲୋମିଟର ରହିଥିବା ବେଳେ ନୂତନ ଭାବେ ଏନଏଚଏଆଇ ଦ୍ୱାରା ପ୍ରସ୍ତାବିତ ଭାରତମାଳା ସଡକ ଯୋଜନାରେ ଏହା କମିଯାଇ ୪୬୪ କିଲୋମିଟର ହୋଇଯିବ । ଛଅ ଲେନ ସମ୍ପନ୍ନ ଏହି ରାସ୍ତାରେ ଗାଡ଼ିଗୁଡିକର ହାରାହାରି ସର୍ବନିମ୍ନ  ବେଗ ଘଣ୍ଟାକୁ ୭୦ କିଲୋମିଟର ରହିଛି ଯାହାକି ବର୍ତ୍ତମାନର ହାରାହାରି ବେଗ ଠାରୁ ପ୍ରାୟ ଦୁଇଗୁଣ ରହିଛି । ଏହି ସଡକ ଛତିଶଗଡ଼ ରାଜ୍ୟରେ ୧୨୪.୬୬୧ କିଲୋମିଟର ଅତିକ୍ରମ କରି ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ କରିବ । ନବରଙ୍ଗପୁର ଜିଲ୍ଲାରେ ୧୧୪.୯୮୯ କିଲୋମିଟର ରାସ୍ତା ଅତିକ୍ରମ କରି କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ଦଶମନ୍ତପୁର, କୋରାପୁଟ, ସେମିଳିଗୁଡା ଓ ପଟ୍ଟାଙ୍ଗି ତହସିଲ ବାଟ ଦେଇ ଆନ୍ଧ୍ରପ୍ରଦେଶ ମଧ୍ୟକୁ ପ୍ରବେଶ କରିବାର ଯୋଜନା ରହିଛି ।

ସମ୍ବନ୍ଧିତ ଖବର