ବେଆଇନ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିକୁ ବିରୋଧ

ରାଜ୍ୟ ରାଜପଥ ଅବରୋଧ କଲେ ଶତାଧିକ ମହିଳା

ଚିତ୍ରଡ଼ା/ଦାନ୍ତିଆମୁହାଁ: ବେନିୟମ ଭାବେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିକୁ ବିରୋଧ କରି ଆଜି ରାଜ୍ୟ ରାଜପଥ ଅବରୋଧ କରି ଧାରଣାରେ ବସିଲେ ଶତାଧିକ ମହିଳା। ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା ପହଞ୍ଚି ୭ ଦିନ ମଧ୍ୟରେ ନିଜେ ଘଟଣାର ତଦନ୍ତ କରିବେ ଓ ଅଭିଯୋଗରେ ସତ୍ୟତା ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ସୂଚନାଯୋଗ୍ୟ; ମୋରଡ଼ା ବ୍ଲକ୍‌ ସମନ୍ବିତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନ ଭାଲିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗ୍ରାମର ଅଙ୍ଗନବାଡ଼ି କର୍ମୀ ନିଯୁକ୍ତିରେ ତଞ୍ଚକତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଆସୁଛନ୍ତି। ସେମାନେ ପ୍ରସ୍ତାବ ଦେଇଥିବା ପ୍ରାର୍ଥୀଙ୍କୁ ଜାଣିଶୁଣି ଚୟନ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇ ସିଡିପିଓ ମିତା ନାୟକ ନିଜ ଇଚ୍ଛାରେ ଜଣଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି। ଗ୍ରାମବାସୀ ଏହାର ବିରୋଧ କରିବା ସହ ସିଡିପିଓ, ଜିଲ୍ଲାପାଳଙ୍କୁ ନିଷ୍ପତ୍ତିର ପୁନର୍ବିଚାର ପାଇଁ ନିବେଦନ କରିଥିଲେ। ତେବେ କୌଣସି ସୁଫଳ ନମିଳିବାରୁ ପ୍ରଥମେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ ଏବଂ ଆଜି ଗ୍ରାମର ଶତାଧିକ ମହିଳା ବାରିପଦା-ଅମର୍ଦା ରାଜ୍ୟ ରାଜପଥକୁ ସକାଳ ୧୦ ଟାରୁ କଲରାଫୁଲିଆଠାରେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାସ୍ତା ଅବରୋଧ ପାଇଁ ୩ ଘଣ୍ଟା ଧରି ଯାତାୟାତ ଠପ୍‌ ହୋଇଯାଇଥିଲା। ଶତାଧିକ ଗାଡ଼ି ମୋଟର ଅଟକି ରହିଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଖବର ପାଇ ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ, ବେତନଟୀ ଥାନା ଏସ୍‌ଆଇ ବଳରାମ ମହାରଣା, ବଡ଼ଜାମବଣି ଫାଣ୍ଡି ଅଧିକାରୀ ନିର୍ମଳ କୁମାର ପୃଷ୍ଟି, ମୋରଡ଼ା ସିଡିପିଓ ମିତା ନାୟକ ପହଞ୍ଚି ସେମାନଙ୍କ ସହିତ ଆଲୋଚନା କରିଥିଲେ। ଶେଷରେ ତହସିଲଦାର ଶ୍ରୀ ହାଁସଦା ପହଞ୍ଚି ତଦନ୍ତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସୁସ୍ମିତା ବେହେରା, ଛାରମଣି ବେହେରା, ମିତା ବେହେରା, ତପସ୍ବିନୀ ବେହେରା, ମନୋରଞ୍ଜନ ବେହେରା ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର