କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଟ୍ରକ୍‌ ଗୁଡ଼ିକ ଲୋଡିଂ ନପାଇ ଛିଡ଼ା ହେଉଥିବାବେଳେ ବାହାର ରାଜ୍ୟର ଟ୍ରେଲରରେ ବିପୁଳ ପରିମାଣରେ ଲୁହାପଥର ପରିବହନ ଚାଲିଛି। ଫଳରେ ଜିଲ୍ଲାର ଟ୍ରକ୍‌ ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି କେନ୍ଦୁଝର ଜିଲ୍ଲାର ୬ ଟ୍ରକ୍‌ ମାଲିକ ସଂଘ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ନିବେଦନ କରିଛନ୍ତି।

Advertisment

ବାହାର ରାଜ୍ୟର ଟ୍ରେଲରରେ ଲୁହାପଥର ପରିବହନକୁ ବନ୍ଦ କରିବା ପାଇଁ ଗତ ୨୫ ତାରିଖରେ ଗୁଆଲିରେ ୬ଟି ଟ୍ରକ୍‌ ମାଲିକ ସଂଘ କେନ୍ଦୁଝର ଜିଲ୍ଲା ଟ୍ରକ୍‌ ମାଲିକ ସଂଘ, ଗୁଆଲିର ମା’ ତାରିଣୀ ଟ୍ରକ୍‌ ମାଲିକ ସଂଘ, ଯୋଡ଼ା ଟ୍ରକ୍‌ ମାଲିକ ସଂଘ, ବାମେବାରୀ ଆଞ୍ଚଳିକ ଟ୍ରକ୍‌ ମାଲିକ ସଂଘ, ବଡ଼ବିଲ ଟ୍ରକ୍‌ ମାଲିକ ଓ ଭଦ୍ରାସାହି ଟ୍ରକ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଏକାଠି ହୋଇ ନିଷ୍ପତ୍ତି ନେଇଥିଲେ। ସମସ୍ତ ସଂଘର କର୍ମକର୍ତ୍ତାଙ୍କୁ ନେଇ ଗଠିତ ହୋଇଥିବା କୋର୍‌ କମିଟି ସୋମବାର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛି।

ଜିଲ୍ଲାରେ ବହୁ ସଂଖ୍ୟାରେ ଯୁବକ ଋଣ କରି ଟ୍ରକ୍‌ ବ୍ୟବସାୟ କରୁଛନ୍ତି। ଗୁଆଲିସ୍ଥିତି ଓଏମ୍‌ସି ଖଣି, ନୂଆଗାଁ ଜେଏସ୍‌ଡବ୍ଲ୍ୟୁ ଖଣି ଓ ଭଦ୍ରାସାହିସ୍ଥିତି କେଏନ୍‌ ରାମ୍‌ ଖଣିରୁ ବାହାର ରାଜ୍ୟର ଟ୍ରେଲରରେ ଲୁହାପଥର ପରିବହନ କରାଯାଉଛି। ଫଳରେ ଜିଲ୍ଲାର ହଜାର ହଜାର ଟ୍ରକ୍‌ ଲୋଡିଂ ପାଉନାହାନ୍ତି। ଏହାଦ୍ୱାରା ରାଜ୍ୟ ବାହାର ଟ୍ରେଲର ମାଲିକ ଏବଂ ଖଣି କମ୍ପାନିମାନେ ଲାଭବାନ ହେଉଥିବାବେଳେ ଜିଲ୍ଲାର ଟ୍ରକ୍‌ ମାଲିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଟ୍ରେଲରରେ ଖଣିଜ ପରିବହନ ବନ୍ଦ କରିବା, ୨୦୧୨ ମସିହାରେ ପ୍ରଶାସନ ଉପସ୍ଥିତିରେ ରେଳ ତଥା ସଡ଼କ ପଥରେ ପରିବହନ ଅନୁପାତକୁ ନେଇ ହୋଇଥିବା ଚୁକ୍ତିନାମା ଲାଗୁ କରିବା, ଉଚିତ ପରିବହନ ମୂଲ୍ୟ ନିର୍ଦ୍ଧାରଣ କରିବା ଏବଂ ଲୋଡିଂ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ଟ୍ରକ୍‌ଗୁଡିକୁ ଅଗ୍ରାଧିକାର ଦେବାକୁ କମିଟି ଦାବି କରିଛି।

ଦାବିପତ୍ର ପ୍ରଦାନ ସମୟରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ କର, ଉପସଭାପତି ଦିଲୀପ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ, ସଂଜୟ କୁମାର ସିଂ, ଯୋଡ଼ା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ, ମାଇନିଂ ଏରିଆ ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ଚନ୍ଦ୍ରପ୍ରସାଦ ଗୁପ୍ତା, କାଳିମାଟି ଆଞ୍ଚଳିକ ଟ୍ରକ୍‌ ମାଲିକ ସଂଘ ସଭାପତି ମନୋଜ ମହାନ୍ତ, ସମ୍ପାଦକ ରାଜେନ୍ଦ୍ର ବାରିକ, ଭଦ୍ରାସାହି ଟ୍ରକ୍‌ ମାଲିକ ସଂଘ ସଭାପତି ସୁନୀଲ ଦତ୍ତ, ଗୁଆଲି ମା’ ତାରିଣୀ ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ହରେକୃଷ୍ଣ ଆପଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।