ପିଲେଟ ପ୍ଲାଣ୍ଟକୁ ବିରୋଧ: ଇଞ୍ଚେ ଜମି ଛାଡ଼ିବୁ ନାହିଁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ଓ ନୂଆଗାଁ ପଞ୍ଚାୟତ କାଦଗଡ଼ଠାରେ ଏସାର କମ୍ପାନିର ପ୍ରସ୍ତାବିତ ପେଲେଟ୍‌ ପ୍ଲାଣ୍ଟକୁ ସ୍ଥାନୀୟ ଲୋକେ ଜ‌ୋରଦାର ବିରୋଧ କରିଛନ୍ତି। ମରିବୁ ପଛେ କମ୍ପାନିକୁ ଇଞ୍ଚେ ଜମି ଛାଡ଼ିବୁ ନାହିଁ ବୋଲି ଲୋକେ ଶପଥ ନେଇଛନ୍ତି।

କାଦଗଡ଼ଠାରେ ମେସର୍ସ ଏସାର ମିନଟେଡ୍‌ ଲିମିଟେଡ ବାର୍ଷିକ ୧୪.୩ ଏମ୍‌ଟିପିଏ ପେଲେଟ ପିଗ୍‌ ଆଇରନ ଓର୍‌ କନସେଣ୍ଟ୍ରେଟ (ଡ୍ରାଏବେସିସ ଦ୍ବାରା) ଉତ୍ପାଦନ କରିବା ପାଇଁ ଆଇରନ୍ ଓର୍‌ ବେନିଫିଏସନ୍ ପ୍ଲାଣ୍ଟ ସ୍ଥାପନ କରିବ। ଏଥିପାଇଁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ମନ୍ତ୍ରଣାଳୟକୁ ଆବେଦନ କରାଯାଇଛି। ଆସନ୍ତା ୧୦ ତାରିଖରେ ଏଥିପାଇଁ ଜନଶୁଣାଣି ହେବ ବୋଲି ଦିନଧାର୍ଯ୍ୟ ହୋଇଛି। ଟିକରପଡ଼ାବାସୀ ଏହାକୁ ଘୋର ବିରୋଧ କରିଛନ୍ତି। ଆଜି ଗ୍ରାମର ତିନିଶହ ପୁରୁଷ ମହିଳା ଟିକରପଡ଼ା ହୁଡ଼ିରେ ଏକ ପଥର ଖଣ୍ଡକୁ ସ୍ଥାପନ କରି ପୂଜା କରିଛନ୍ତି। ଟିକରପଡ଼ାରେ କୌଣସି ପ୍ଲାଣ୍ଟ ସ୍ଥାପନ କରିବାକୁ ଦେବେ‌ ନାହିଁ ବୋଲି ଲୋକେ ଶପଥ ନେଇଛନ୍ତି।

ଟିକରପଡ଼‌ାରେ କୁମ୍ଭାର ସଂପ୍ରଦାୟର ୯୫ ପ୍ରତିଶତ ଲୋକ ବାସ କରୁଛନ୍ତି। ଅଧିକାଂଶ ପରିବାର ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏଠାରେ କାରଖାନାରେ ହେଲେ ସେମାନେ ବିଭିନ୍ନ ସାମଗ୍ରୀ ତିଆରି ପାଇଁ ଆଉ ଉପଯୁକ୍ତ ମାଟି ପାଇବେ ନାହିଁ। ସେହିପରି ଏଠାରେ ତିନି ଫସଲି ଚାଷ ହୋଇଥାଏ। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ରାଉରକେଲା, ବାରିପଦା ଏବଂ ପଡ଼ୋଶୀ ଝାଡ଼ଖଣ୍ଡକୁ ରାଜ୍ୟକୁ ଶହଶହ ଟ୍ରିପ୍‌ ପରିବା ଏଠାରୁ ଯାଇଥାଏ। ଏଠାରେ ଅନ୍ୟ କୌଣସି କଳକାରଖାନା ନ କରି କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଏଠାରେ କୃଷି ଓ କୃଷକର ବିକାଶ ପାଇଁ ଶୀତଳଭଣ୍ଡାର ନିର୍ମାଣ କରିବାକୁ ମଧ୍ୟ ଲୋକେ ପ୍ରସ୍ତାବ ଦେଇଛନ୍ତି।

ଏନେଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଟିକରପଡ଼ାବାସୀଙ୍କ ସହିତ ମିଶି ଉପଜିଳ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏହି ଅଞ୍ଚଳରେ ଭଲ ଚାଷ ହେଉଛି। ଏଠାରେ କାରଖାନା ସ୍ଥାପନ ନ କରିବାକୁ ଦାବି କରିଛନ୍ତି। ସେହିପରି ଜନଶୁଣାଣିକୁ ବାତିଲ କରିବାକୁ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର