ବାଲି ପରିବହନକୁ ବିରୋଧ

ଧର୍ମଶାଳା : ଧର୍ମଶାଳା ତହସିଲ ରାସ୍ତାରେ ରସୁଲପୁର ଅଞ୍ଚଳର ଲିଜ୍‌ଧାରୀଙ୍କ ବାଲି ପରିବହନକୁ ମଙ୍ଗଳପୁର ପଞ୍ଚାୟତବାସୀ ବହୁଦିନ ହେଲା ବିରୋଧ କରି ଆସୁଛନ୍ତି। ନିୟମାନୁସାରେ ଯେଉଁ ଲିଜ୍ ସୈରାତ୍‌ରୁ ବାଲି ଉତ୍ତୋଳନ ହେଉଛି, ସେହି ତହସିଲ ଅଧୀନ ରାସ୍ତାରେ ବାଲି ପରିବହନ ହେବାକଥା। ମାତ୍ର ମଙ୍ଗଳପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖା ଦେଇଛି। ପ୍ରତ୍ୟହ ଶତାଧିକ ଟ୍ରକ୍, ଟ୍ରାକ୍ଟର, ହାଇୱା ଆଦି ଗାଡ଼ିରେ ବାଲି ପରିବହନ ହେଉଥିବାରୁ ଗାଡ଼ିରୁ ପଡ଼ି ରାସ୍ତା ବାଲିମୟ ହୋଇଯାଉଛି। ସବୁ ବେଳେ ଭାରୀଯାନ ଯାତାୟାତ କରୁଥିବାରୁ ରାସ୍ତା ନଷ୍ଟ ହେବା ସହିତ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଧୂଳିଧୂଆଁରେ ଉକ୍ତ ରାସ୍ତାରେ ଚଳପ୍ରଚଳ କରିବା କଷ୍ଟକର ହେଉଛି। ବିଶେଷ କରି ସ୍କୁଲ୍‌ କଲେଜ୍ ଛାତ୍ରଛାତ୍ରୀ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ, ବ୍ରାହ୍ମଣୀ ନଦୀରୁ ବାଲି ଉତ୍ତୋଳନ ପାଇଁ ରସୁଲପୁର ତହସିଲ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ସୀମା ନିର୍ଦ୍ଧାରଣ କରାଯାଇ ନଥିବାରୁ ଲିଜ୍‌ଧାରୀ ଯେଉଁଠି ଚାହୁଁଛନ୍ତି ସେଠାରୁ ବାଲି ଉଠାଉଛନ୍ତି। ଏପରିକି ରସୁଲପୁର ତହସିଲରୁ ବାଲିଘାଟ ନିଲାମ ନେଇଥିବା ଲିଜ୍‌ଧାରୀ ଧର୍ମଶାଳା ତହସିଲ ଅଞ୍ଚଳରୁ ମନଇଚ୍ଛା ବାଲି ଉଠାଇ ନେଉଛନ୍ତି। ଚାନ୍ଦପୁର ମୌଜାରେ ବାଲି ସୈରାତ୍ ଲିଜ୍ ନେଇଥିବା ରସୁଲପୁର ଲିଜ୍‌ଧାରୀ ଧର୍ମଶାଳା ତହସିଲ ଅଧୀନ କୋଠିଡ଼ିହ ଗାଁ ନିକଟରୁ ୩୦ ହଜାର ଘନମିଟରରୁ ଅଧିକ ବାଲି ଲୁଟି ନେଇଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ପରେ ଧର୍ମଶାଳା ତହସିଲ ପକ୍ଷରୁ ଗତ ଜୁନ୍ ମାସରେ ଚଢ଼ଉ କରାଯାଇ ୭ଟି ବାଲି ବୋଝେଇ ହାଇୱା ଓ ୨ଟି ପୋକଲିନ୍ ମେସିନ୍ ଜବତ କରାଯାଇଥିଲା। ସଂପୃକ୍ତ ବାଲିମାଫିଆ ବିରୋଧରେ ୨କୋଟି ୧ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ଏହି ଜରିମାନା ବର୍ତ୍ତମାନ ସୁଦ୍ଧା ଅନାଦେୟ ରହିଛି। ଏହା ସତ୍ତ୍ବେ ଲଙ୍କାବାଲିସାହି ବାଲିଘାଟ ଲିଜ୍ ନେଇଥିବା ଲିଜ୍‌ଧାରୀ ଏଠାରୁ ପ୍ରାୟ ୧କିମି ଦୂରରୁ ବାଲି ଉଠାଉଛନ୍ତି।

ଏହାକୁ ଗତ ୨୯ ତାରିଖରେ ମଙ୍ଗଳପୁର ପଞ୍ଚାୟତର ନୂଆକୂଳ, ମଙ୍ଗଳପୁର ଓ କୋଠଢିହ ଗ୍ରାମବାସୀ ବିରୋଧ କରିବା ସହିତ ଗୋଟିଏ ବାଲି ବୋଝେଇ ହାଇୱା ଓ ଦୁଇଟି ପୋକଲିନ୍ ମେସିନ୍‌କୁ ଅଟକାଇଥିଲେ। ଉକ୍ତ ବିବାଦର ସମାଧାନ କରିବାକୁ ବ୍ରହ୍ମବରଦା ଫାଣ୍ତି ପୁଲିସ୍‌ ମାଧ୍ୟମରେ ଗତକାଲି ଉଭୟ ତହସିଲର ସୀମା ନିଦ୍ଧାରଣ କରାଯାଇଥିଲା। ଉଭୟ ତହସିଲ ପକ୍ଷରୁ ମାପଚୁପ କରାଯାଇ ଏରିଆ ଚିହ୍ନଟ କରାଯାଇଛି। ରସୁଲପୁର ତହସିଲର ଲିଜ୍‌ଧାରୀଙ୍କ ଗାଡ଼ି ଧର୍ମଶାଳା ତହସିଲ ଅଂଚଳରେ ପ୍ରବେଶ ନକରିବା ସହିତ ବାଲି ନଉଠାଇବାକୁ ନିର୍ଦେଶ ଦିଆଯାଇଛି। ଏତିରେ ବ୍ୟତିକ୍ରମ ହେଲେ ଲିଜ୍‌ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି।

ସମ୍ବନ୍ଧିତ ଖବର