ଟାଟାର ସାର ପ୍ରକଳ୍ପକୁ ବିରୋଧ: କାମ ଆରମ୍ଭରୁ ପୁଲିସ – ଗ୍ରାମବାସୀ ଧସ୍ତାଧସ୍ତି

ଛତ୍ରପୁର : ଟାଟା ଷ୍ଟିଲ୍ ସ୍ବତନ୍ତ୍ର ଅର୍ଥନ‌ୈତିକ ଜୋନ୍ (ଏସ୍‌ଇଜେଡ୍) ଅଞ୍ଚଳରେ ଟାଟା ପକ୍ଷରୁ ‘ଦୀପକ’ ଫର୍ଟିଲାଇଜର୍ ପ୍ରକଳ୍ପ ନିର୍ମାଣକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ କାଳିପଲ୍ଲୀ ଓ ବାସନପୁଟି ଗ୍ରାମବାସୀ ଘୋର ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ମଧ୍ୟ ପୁଲିଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।  ଦାବି ପୂରଣ ନ ହେବା ଯାଏ ପ୍ରକଳ୍ପ କାମ ଆରମ୍ଭ ହୋଇପାରିବନି ‌ବୋଲି ଗ୍ରାମବାସୀ ରୋକ୍‌ଠୋକ୍ ଚେତାବନୀ ଦେଇଛନ୍ତି। ଫଳରେ ଅଚଳାବସ୍ଥା ଜାରି ରହିଛି।

ରବିବାର ପୁଣି ପ୍ରକଳ୍ପ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ତାତି ଉଠିଥିଲେ। ଦାବି ବିଷୟରେ ଆଲୋଚନା ନକରି କମ୍ପାନି କର୍ତ୍ତୃପକ୍ଷ କେଉଁ ଆଧାର‌ରେ ପ୍ରକଳ୍ପ କାମ ଆରମ୍ଭ କଲେ ବୋଲି ପ୍ରତିବାଦ କରିବା ସହ ଗ୍ରାମରେ ବୈଠକ ଡାକିଥିଲେ। ଆଉ ନିଷ୍ପତ୍ତି ଅନୁସାରେ ପ୍ରକଳ୍ପ ନିର୍ମାଣସ୍ଥଳରେ ପହଞ୍ଚି ‌ପ୍ରବଳ ହୋହଲ୍ଲା କରିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ଚେଷ୍ଟା କରିବା ଲାଗି ପୁଲିସ ଉଦ୍ୟମ କରିଥିଲା। କିନ୍ତୁ ଏହି ସମୟରେ ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ଶେଷରେ ଗ୍ରାମବାସୀ ପ୍ରକଳ୍ପ କାମକୁ ବନ୍ଦ କରିଥିଲେ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବୁ ଓ ପ୍ରକଳ୍ପ କାମ ହେବାକୁ ଦେବୁନି ବୋଲି ପୁଲିସ ସମ୍ମୁଖରେ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଥିଲେ।

ଅନ୍ୟପକ୍ଷରେ  ବିରୋଧ ଯୋଗୁଁ ପ୍ରକଳ୍ପ କାମ ତ୍ବରାନ୍ବିତ ହୋଇପାରୁନି। ଏହାକୁ ନଜରରେ ରଖି ଆସନ୍ତା ୧୭ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମ୍ପାନି କ ର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ବୈଠକ ଡକାଯିବ। ଏଣୁ ପ୍ରକଳ୍ପ କାମ ଚାଲୁ ରଖିବାକୁ ପୁଲିସ ପକ୍ଷରୁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଥିଲା। ତଥାପି ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିବା ସହ ବୈଠକ ପର୍ଯ୍ୟନ୍ତ ପ୍ରକଳ୍ପ କାମ ବନ୍ଦ ରହିବ ବୋଲି କହିଥିଲେ। ଆଉ ଏଠାରେ ଅସ୍ଥାୟୀ ଟେଣ୍ଟ୍ କରିବୁ ବୋଲି ଚେତାବନୀ ଦେଇଥିଲେ। କମ୍ପାନି ସବୁବେଳ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ କେବଳ ଭୂଆଁ ବୁଲାଉଛି ବୋଲି ଅଭିଯୋଗ କରିଥିଲେ। ପରେ ଗ୍ରାମବାସୀ ପ୍ରକଳ୍ପ କାମରେ ବ୍ୟବହାର ହେଉଥିବା ଜେସିବି ଓ ଟିପର୍ ଗୁଡ଼ିକୁ ବନ୍ଦ କରିବା ସହ ନିର୍ମାଣସ୍ଥଳରେ ହିଁ ଏକ ଜରୁରୀ ବୈଠକ କରିଥିଲେ। କମ୍ପାନି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦାବି ପୂରଣ ନକରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ଖବର ମିଳିବା ସୁଦ୍ଧା ଦ୍ବିତୀୟ ଦିନ‌ରେ ବି ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି। ଦୁଇ ଗ୍ରାମର ଲୋକେ ଏହା ଉପରେ ନଜର ରଖିଛନ୍ତି। ସେହିପରି ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ଗଞ୍ଜାମ ଜିଲ୍ଲା ପୁଲିସର ଅତିରିକ୍ତ ଏସ୍‌.ପି. ପି.କେ.ଦଳାଇ, ଏସ୍‌ଡିପିଓ ଗୌତମ କିଷାନ୍, ତହସିଲଦାର ପ୍ରକାଶ ମିଶ୍ର, ଅତିରିକ୍ତ ତହସିଲଦାର ଜସ୍ମିନ୍ ପ୍ରଧାନ, ଛତ୍ରପୁର, ଚମାଖଣ୍ତି ଓ ଗଞ୍ଜାମ ଥାନାଧିକାରୀଙ୍କ ସହ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ରହିଛନ୍ତି।

ସମ୍ବନ୍ଧିତ ଖବର