ସଂରକ୍ଷଣ ଉଚ୍ଛେଦକୁ ବିରୋଧ: ଆଦିବାସୀ – ପୁଲିସ ଧସ୍ତାଧସ୍ତି

୪ଘଣ୍ଟା ରାଜପଥ ଅବରୋଧ, ରାଜ୍ୟ ସରକାରଙ୍କୁ ସହଯୋଗ ନକରିବାକୁ ଚେତାବନୀ

ନୂଆପଡ଼ା: ବିଜେଡି ସରକାର ଆଦିବାସୀ ବିରୋଧୀ, ଏହି ସରକାରର କୌଣସି କାମରେ ସହଯୋଗ କରାଯିବ ନାହିଁ। ଆଗାମୀ ନିର୍ବାଚନରେ କୌଣସି ଆଦିବାସୀ ପ୍ରାର୍ଥିପତ୍ର ଦାଖଲ କରିବେ ନାହିଁ। ବିଜେଡି ସରକାରକୁ ଶାସନରୁ ବାହାର କରାଯିବ। ରାଜ୍ୟ ସରକାରଙ୍କ ନୂତନ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତିକୁ ବିରୋଧ କରିବା ସହ ଏଭଳି କିଛି ନାରା ଦେଇ ନୂଆପଡ଼ା ଜିଲ୍ଲାର ଆଦିବାସୀମାନେ ଗର୍ଜିଛନ୍ତି। ସୋମବାର ଜିଲ୍ଲାର ଆଦିବାସୀମାନେ ଏଥିପାଇଁ ରାଜରାସ୍ତାକୁ ଓହ୍ଲାଇ ଥିଲେ।

ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁପ୍ରତାପ ମାଝୀଙ୍କ ନେତୃତ୍ବରେ ତେଲିପଡ଼ାଠାରୁ ଜିଲ୍ଲାର ୫ ବ୍ଲକ୍‌ ୧୩୧ ପଞ୍ଚାୟତର ହଜାର ହଜାର ଆଦିବାସୀ ଅସ୍ତ୍ରଶସ୍ତ୍ର ଧରି ଏକତ୍ର ହୋଇଥିଲେ। ଏହାପରେ ଏକ ବିରାଟ ଶୋଭାଯାତ୍ରରେ ନୂଆପଡ଼ା ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ୍‌ ‌ଘେରାଉ କରି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଆଦିବାସୀ-ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଆଦିବାସୀମାନେ ଏକତ୍ର ହୋଇ ୩୫୩ ନଂ ଜାତୀୟ ରାଜପଥକୁ ୪ଘଣ୍ଟା ଅବରୋଧ କରିଥିଲେ।

ଉପସ୍ଥିତ ଥିବା କଲ୍ୟାଣ ସଂଘ ସମ୍ପାଦକ ବାଳକୃଷ୍ଣ ଶବର, ଉପଦେଷ୍ଟା ବିହାରୀଲାଲ ବିଶ୍ବାଳ, ଖାମସିଂହ ମାଝୀ, ହୋମ ସିଂହ ମାଝୀ, ଜୟରାମ ଶବର, ନୂଆପଡ଼ା ବ୍ଲକ୍‌ ସଭାପତି ଭକ୍ତବନ୍ଧୁ ଧରୁଆ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ। ବିଜେଡି ଦଳରେ ପଦ ପଦବିରେ ଥିବା ନେତା ଓ କର୍ମୀମାନେ ସାମୂହିକ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପରେ ଘଟଣାସ୍ଥଳକୁ ନୂଆପଡ଼ା ଉପ ଜିଲ୍ଲାପାଳ ତରଣୀସେନ ନାଏକ, ଅତିରିକ୍ତି ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ ପହଞ୍ଚି ଆଦିବାସୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ। ରାଜ୍ୟ ସରକାରଙ୍କୁ ଏ ବିଷୟରେ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ରାସ୍ତା ଅବରୋଧ ଯୋଗୁଁ ହଜାର ହଜାର ଯାନବାହନ ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ଲାଲ ସିଂହ ମାଝୀ, ଭଗତ ସିଂହ ମାଝୀ, ହରି ମାଝୀ, ତିରତ ମାଝି, ପୂର୍ଣ୍ଣଚନ୍ଦ୍ର ମାଝୀ, ଭକ୍ତ ଶବର, କରୁଣା ଶଙ୍କର ମାଝୀ, ବିହାରୀଲାଲ ମରକାମ, ମଝିଆ ମାଝୀ, ‌କମଲେଶ ଠାକୁର, ବିଜୟ ଶଙ୍କର ମାଝୀ, ପବନ ମାଝୀ, କାର୍ତ୍ତିକ ମଲ୍ଲିକ, ନରେଶ ବଞ୍ଜାରାଙ୍କ ସହ ହଜାର ହଜାର ସଂଖ୍ୟାରେ ଆଦିବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର