ରାୟଗଡ଼ା: ୧୩ ବର୍ଷ ହେଲା ଜମି ଅଧିଗ୍ରହଣ ସରିଲାଣି। ୫ ପଇସାର କାମ ହୋଇନି। କାରଖାନା ପ୍ରତିଷ୍ଠା ନାଁରେ ସରକାର ଭୁଆଁ ବୁଲାଇ ଚାଲିଛନ୍ତି। ଏବେ ପୁଣି ନୂଆ ନିଯୁକ୍ତି ସୁଯୋଗ, ଅଞ୍ଚଳର ବିକାଶ ନାଁରେ ସରକାର ଓଏମସି ଜରିଆରେ କୋଡ଼ିଙ୍ଗାମାଳି ଖଣି ସଂପ୍ରସାରଣ ପାଇଁ ଯୋଜନା କରୁଛନ୍ତି। କଂସାରୀଗୁଡାରେ କାରଖାନା ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ଖଣି ସଂପ୍ରସାରଣ ଜନ ଶୁଣାଣିକୁ ତୀବ୍ର ବିରୋଧ ସହ ଖଣି ଖୋଳାଇ ଦେବୁନି। ଏପରି ଚେତାବନୀ ଦେଇଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା।
ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ଉଲାକା ଅଭିଯୋଗ କରିଛନ୍ତି, କୋଡିଙ୍ଗାମାଳି ଖଣି ଖନନ କ୍ଷମତା ବର୍ତ୍ତମାନ ବାର୍ଷିକ ୩ ମିଲିୟନ୍ ଟନ ରହିଛି। ଏହାକୁ ୬ ମିଲିୟନ୍ ଟନକୁ ବୃଦ୍ଧି କରି ପ୍ରାଇଭେଟ୍ କଂପାନିକୁ ଶାଗମାଛ ଦରରେ ଖଣିଜ ସଂପଦ ବିକ୍ରି କରିବାକୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଗୁଜୁରାଟ ସରକାର ଟନ୍ ପିଛା ବକ୍ସାଇଟ୍ ୨୭୦୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଓଡ଼ିଶା ସରକାର ଟନ୍ ପିଛା ଓଡ଼ିଶାରେ ୧ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହା ଦ୍ବାରା କଂପାନିମାନେ ଲାଭବାନ୍ ହେଉଛନ୍ତି। ଓଡ଼ିଶା ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଉଛି। ଏପଟେ ଖଣି ପାଇଁ ଜଳ, ଜମି, ଜଙ୍ଗଲ ହରାଇ ସ୍ଥାନୀୟ ଅଧିବାସୀ ବେରୋଜଗାରୀର ଶିକାର ହେଉଛନ୍ତି। ୨୦୦୭-୦୮ ମସିହାରେ କଂସାରୀଗୁଡାରେ କଂପାନି ପ୍ରତିଷ୍ଠା ପାଇଁ ସରକାର ୧୪୦୦ ଏକର ଜମି ଅଧିଗ୍ରହଣ କରିଛନ୍ତି। ସେହି ସମୟରେ ଜମି କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୩ ଲକ୍ଷ ୪୪ ହଜାର, ଘରବାରି ବାବଦକୁ ଏକର ପିଛା ୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ଉକ୍ତ ଜମିର ମୂଲ୍ୟ ଏବେ ୧୫ ଲକ୍ଷରେ ପହଞ୍ଚିଲାଣି। କଂପାନି ପ୍ରତିଷ୍ଠା ହେଲେ ଜମି ହରାଇଥିବା ଯୁବକ ନିଯୁକ୍ତି ପାଇ ଦୁଇ ପଇସା ରୋଜଗାର କରିବା ଆଶା ରଖିଥିଲେ। ହେଲେ ଏଯାବତ୍ କାମ ଆରମ୍ଭ ହୋଇନି। ୨୦୨୦ ଜାନୁଆରୀରେ ରାଜ୍ୟ ସରକାର କଂସାରୀଗୁଡା ପ୍ରକଳ୍ପ ପାଇଁ ୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ସହ ୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ଘୋଷଣା କରିଥିଲେ। ଯାହା ଆଜି ପର୍ଯ୍ୟନ୍ତ କେବଳ ଘୋଷଣାରେ ସୀମିତ ରହିଛି। ନିଯୁକ୍ତି ଆଶା କ୍ଷୀଣ ହୋଇ ପଡିଥିବା ବେଳେ ସରକାର ପୁଣି ଥରେ ଖଣିଜ ସଂପଦକୁ ହରିଲୁଟ୍ କରିବାକୁ କାଶୀପୁର ବ୍ଲକର ଦୁଇଟି ପଞ୍ଚାୟତର ୯ ଖଣ୍ଡ ଗ୍ରାମବାସୀଙ୍କ ନିକଟରୁ ଜନଶୁଣାଣି ପାଇଁ ଦସ୍ତଖତ ସଂଗ୍ରହ ଜାରି ରଖିଛନ୍ତି। ତାହା ପୁଣି ନଳକୂପ ଖନନ, ରାସ୍ତାଘାଟ ନିର୍ମାଣ ନାଁରେ। ସରକାର ଏସବୁ କାମ କାହା ସ୍ବାର୍ଥରେ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ସାଂସଦ। ସ୍ଥାନୀୟ ଲୋକଙ୍କ ଅନିଚ୍ଛା ସତ୍ତ୍ବେ ଯଦି ଜନଶୁଣାଣି କରାଯାଏ ତାହା ହେଲେ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ। ଏଥି ସହିତ ଏହି ପ୍ରସଙ୍ଗ ସଂସଦରେ ଉଠାଇବାକୁ ସାଂସଦ ଚେତାଇ ଦେଇଛନ୍ତି।
ଖଣି ସଂପ୍ରସାରଣ ପାଇଁ କାଶୀପୁର ବ୍ଲକର ପୋଡାପାଡ଼ି ଓ ବାଙ୍କମ ମଧ୍ୟ ଭାଗରେ ନଭେମ୍ବର ୨୫ ତାରିଖରେ ଏବଂ ଡିସେମ୍ବର ୨ ତାରିଖରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ଗ୍ରାମରେ ଓଏମସିର ଜନ ଶୁଣାଣି କାର୍ଯ୍ୟକ୍ରମ ରହିଛି। ଖଣି ଖନନ ହେଲେ କାଶୀପୁର ବ୍ଲକର ପୋଡାପାଡି, କଂସାରୀଗୁଡା, ପୁହୁଣ୍ଡି, ଖଣ୍ଡସିଲ, ଶୁକ୍ରିପୁଟ, ପୋଡାପାଡି, ଅଡୁଗୁଡା, କୋଡାପଦର, ଖେଦାପଡା ଏବଂ ବାଙ୍କାମ୍ବା ପଂଚାୟତ ଅନ୍ତର୍ଗତ ଫୁଲଜବା ଗ୍ରାମ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଶଙ୍କର୍ଷଣ ମଙ୍ଗରାଜ, ଆପଲସ୍ବାମୀ କାଡ୍ରକା, ପାର୍ଥ ବର୍ଧନ, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ବାପି ପଟ୍ଟନାୟକ, ଆସଲାମ୍ ଖାନ୍, ହୁତାସନ ନାୟକ, କିଶୋର କୁମାର କୁସୁଲିଆ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/RGD_Congress-Press-Meet.jpg)