ଦେବଗଡ଼: ଦେବଗଡ଼ ଜିଲ୍ଲା ଭୋଜପୁର-ଲଇମୁରା-ବଣେଇ ରାସ୍ତାର ବୁଢ଼ୀକୁଟେନ-ଡିମିରିକୁଦା ଛକ ନିକଟରେ ଗଛ କାଟି ରାସ୍ତାରେ ପକାଇବା ସହ ରାସ୍ତାକଡ଼ରେ ଏକ ଗଛରେ ପୋଷ୍ଟର ଟାଙ୍ଗି ଟାୱାର ସ୍ଥାପନକୁ ବିରୋଧ କରିବା ସହ ଏଥିପାଇଁ ପ୍ରଚେଷ୍ଟା କରୁଥିବା ଅଞ୍ଚଳର ନେତୃବୃନ୍ଦଙ୍କୁ ସାବଧାନ ରହିବାକୁ ଚେତାବନୀ ଦିଆଯାଇଛି। ତେବେ ଉକ୍ତ ପୋଷ୍ଟର ମାଓ ସଂଗଠନ ନା ଆଉ କିଏ ଲଗାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକ ଅନ୍ତର୍ଗତ ଝରାଗୋଗୁଆ, ଗଣ୍ଡମ, ପାରପୋଷି ଡିମିରିକୁଦା ଓ ଝାରମୁଣ୍ଡା ଆଦି ୫ଟି ପଞ୍ଚାୟତରେ ଟେଲିଫୋନ ଟାୱାର ନଥିବାରୁ ଲୋକେ ମୋବାଇଲ ସେବାରୁ ବଞ୍ଚିତ ରହିଛନ୍ତି। ମୋବାଇଲ ସେବା ନଥିବାରୁ ଉକ୍ତ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜରୁରୀକାଳୀନ ସୁବିଧା ସହ ସମସ୍ତ ଅନ୍ଲାଇନ୍ କାର୍ଯ୍ୟ କରିବାରେ ଅଞ୍ଚଳବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ‘ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ’ ଦାବିରେ ଏହି ୫ ପଞ୍ଚାୟତ ବାସିନ୍ଦା ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିପାରି ନଥିଲେ।
ରାଜ୍ୟ ସରକାର ଏହା ମଧ୍ୟରେ ଟାୱାର ନିର୍ମାଣ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା କରିବା ପରେ ଶୁକ୍ରବାର ଝରାଗୋଗୁଆ ଗ୍ରାମରେ ଟାୱାର ନିର୍ମାଣ ସାମଗ୍ରୀ ପହଞ୍ଚିଛି। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। କିନ୍ତୁ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ସେହି ରାତିରେ ହିଁ ମାଓବାଦୀଙ୍କ ନାଁରେ ଭୋଜପୁର- ଲଇମୁରା-ବଣେଇ ରାସ୍ତାର ବୁଢ଼ୀକୁଟେନ-ଡ଼ିମିରିକୁଦା ଛକ ନିକଟରେ ଗଛ କାଟି ରାସ୍ତାରେ ପକାଇବା ସହ ରାସ୍ତାକଡ଼ରେ ଏକ ଗଛରେ ପୋଷ୍ଟର ଟାଙ୍ଗି ଟାୱାର ସ୍ଥାପନକୁ ବିରୋଧ କରିଛନ୍ତି। ଏଥିପାଇଁ ପ୍ରଚେଷ୍ଟା କରୁଥିବା ଅଞ୍ଚଳର ନେତୃବୃନ୍ଦ ସାବଧାନ ରହିବାକୁ ଚେତାବନୀ ଦିଆଯାଇଛି। ଭୋଟ୍ ବର୍ଜନ ନକଲେ ପରିଣାମ ଖୁବ୍ ଭୟଙ୍କର ହେବ ବୋଲି ଏଥିରେ ଚେତାବନୀ ଦିଆଯାଇଛି। ଏପରିକି ମାଓବାଦୀ କରିବେ ଅନ୍ଧାରିଆ ଶାସନ ବୋଲି ଏଥିରେ ଉଲ୍ଲେଖ ରହିଛି।
ସୂଚନା ପାଇ ଆଜି ନିର୍ବାଚନ ପର୍ଯ୍ୟବେକ୍ଷକ ଚନ୍ଦ୍ରମଣି ଗଡ଼ନାୟକ, ଦେବଗଡ଼ ଏସପି ରାଜକିଶୋର ପାଇକରାୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହା ସହିତ ପୁଲିସ ପକ୍ଷରୁ ଉକ୍ତ ବ୍ୟାନରକୁ ଜବତ କରାଯିବା ସହିତ ଏହାକୁ କିଏ ଲଗାଇଛି ଏବଂ କାହାର ଏଥିରେ ସଂପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଆରମ୍ଭ କରାଯାଇଥିବା ଏସପି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2c3c9e86-ee3f-4d37-af71-451314f1dab3.jpg)