ଭଦ୍ରକ: ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର)ରେ ଗତ ରବିବାର ଦିନ ଆଲୋଚନାଚକ୍ର ବେଳେ ଉତ୍ତେଜନା ଘଟଣାରେ ସୋମବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବିରୋଧରେ ଭାରତୀୟ ଛାତ୍ର ଫେଡେରେସନ୍‌ (ଏସ୍ଏଫ୍ଆଇ) ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
Advertisment
ଏସ୍‌ଏଫ୍‌ଆଇ କହିଛି ଯେ, ପ୍ରଫେସର ସୁରଜିତ ମଜୁମଦାରଙ୍କ ପରି ଜଣେ ଜଣାଶୁଣା ଆନ୍ତର୍ଜାତିକ ଅର୍ଥନୀତିଜ୍ଞଙ୍କ ଉପରେ ଆକ୍ରମଣ କରି ଓଡ଼ିଶାକୁ ବଦନାମ କରିବା ପାଇଁ ଆରଏସ୍ଏସ୍ ଗେରୁଆ ନକ୍ସା ପ୍ରସ୍ତୁତ କରିଛି। ବିଶେଷ କରି ଭାରତର ଇତିହାସକୁ ଗୈରୀକରଣ କରିବା, ଶିକ୍ଷା ବ୍ୟବସ୍ଥାକୁ ସାଂପ୍ରଦାୟୀକରଣ, କେନ୍ଦ୍ରୀକରଣ, ବ୍ୟବସାୟୀକରଣ କରିବା ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଥିବା କଥାକୁ ଏହି ଆଲୋଚନା ସଭାରେ ତୋଳି ଧରାଯିବାରୁ ଆରଏସ୍ଏସ୍, ଏବିଭିପି ଓ ବିଜେପି କ୍ରୋଧାନ୍ୱିତ ହୋଇ ଏହି ଆକ୍ରମଣ ଭିଆଇଛନ୍ତି ବୋଲି ଏସ୍‌ଏଫ୍‌ଆଇ ଅଭିଯୋଗ ଆଣିଛି।
ଏସ୍‌ଏଫ୍‌ଆଇ କହିଛି ଯେ, ଜାତୀୟ ଶିକ୍ଷା ନୀତି-୨୦୨୦ରେ ଧର୍ମ ନିରପେକ୍ଷତା ଓ ଗଣତନ୍ତ୍ର ଶବ୍ଦଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଉଛେଦ କରାଯାଇଛି। ଏହି ଆଲୋଚନା ସଭାରେ ଭାରତୀୟ ପାଠ୍ୟକ୍ରମର ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ସଂପର୍କରେ ଆଲୋଚନା ହେଉଥିବା ବେଳେ ବ୍ୟକ୍ତି ସ୍ୱାଧୀନତା ଓ ମୁକ୍ତ ଅଧିକାର ଉପରେ ସଂଘ ପରିବାର ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ଘଟାଇଥିବା ମାନସ ସାହୁ ଓ ସଞ୍ଜୟ ମଲ୍ଲିକଙ୍କୁ ଭୁବନେଶ୍ବର ପୁଲିସ ଅଟକ ରଖିଛି। ଦୀର୍ଘ ସମୟ ପରେ ବି ସେମାନଙ୍କୁ କୋର୍ଟ ଚାଲାଣ କରିନାହିଁ। ତେଣୁ ଆସାମୀ ମାନସ ସାହୁ ଓ ସଞ୍ଜୟ ମଲ୍ଲିକଙ୍କୁ ତୁରନ୍ତ କୋର୍ଟ ଚାଲାଣ କରିବା ଓ ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଅନ୍ୟ ଆସାମୀମାନଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଏସ୍ଏଫ୍ଆଇ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରିଛି।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୧୨ ତାରିଖରେ ସିଟିଜେନ୍ସ ଫୋରମ ଭୁବନେଶ୍ବର ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର ପିଜି କାଉନସିଲ ସମ୍ମିଳନୀ କକ୍ଷରେ ‘ସମ୍ବିଧାନର ସୁରକ୍ଷା ଓ ଶିକ୍ଷା’ ସଂକ୍ରାନ୍ତରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ଅର୍ଥନୀତି ବିଭାଗର ପ୍ରଫେସର ଡଃ  ସୁରଜିତ ମଜୁମଦାର, ଓଡ଼ିଶା ଶିକ୍ଷକ ଆନ୍ଦୋଳନର ଅନ୍ୟତମ ନେତା ଅଧ୍ୟାପକ  ସୁରେନ୍ଦ୍ର ଜେନା, ସିଟିଜେନ୍ସ ଫୋରମର ଆବାହକ ପ୍ରଦୀପ୍ତ ନାୟକ, ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଉତ୍କଳ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ହଠାତ୍ ଏବିଭିପି ଓ ଆରଏସ୍ଏସ୍‌ର କିଛି ଯୁବକ ଆଲୋଚନା ସଭା କକ୍ଷକୁ ପଶି ଅଧ୍ୟାପକ ସୁରେନ୍ଦ୍ର ଜେନା ଓ ପ୍ରଦୀପ୍ତ ନାୟକଙ୍କୁ ମାଡ଼ ମାରିଥିଲେ ଓ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଓ ପ୍ରଫେସର ସୁରଜିତ ମଜୁମଦାରଙ୍କୁ ଅସମ୍ମାନିତ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା।।
ପ୍ରତିବାଦ  ସଭାରେ ଏସ୍ଏଫ୍ଆଇ ରାଜ୍ୟ ସଂପାଦକ ଷ୍ଟାଲିନ ଟିଟନ ଲେଙ୍କା, ପୂର୍ବତନ ରାଜ୍ୟ ସଭାପତି ବିକାଶ ନାଥ, ଛାତ୍ରନେତା ଆଲୋକ ନାଥ,  ବିଭୁକେଶରୀ ନାୟକ, ମିଲନ ମୁଦୁଲି, ସିପୁ ପ୍ରଧାନ,ବିକ୍ରମ ନାୟକ  ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଆସାମୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।