ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ପଡୁଛି ଚାପ, ବିଦ୍ରୋହୀ ଖେଳିବେ ଅସଲ ଖେଳ

ଭଦ୍ରକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି। ଭଦ୍ରକ ଜିଲ୍ଲାରେ ମୋଟ ୧୦ ହଜାର ୧୩ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଏବେ ସମସ୍ତଙ୍କ ଅପେକ୍ଷା  ଯାଞ୍ଚ ପ୍ରକ୍ରିୟାର ଶେଷ ରିପୋର୍ଟକୁ।  ଆସନ୍ତା ୨୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ଆରମ୍ଭ ହୋଇଗଲାଣି ଜିଲ୍ଲାରେ ରାଜନୈତିକ ଉଷ୍କତା। ଗାଁ ଗାଁରେ ଭୋଜି-ଭାତର ଆସର ଆରମ୍ଭ ହୋଇଯାଇଛି। ନାଲି ପାଣିର ମଜ୍ଜା ଉଠାଇଲେଣି ଯୁବଗୋଷ୍ଠୀ। କିଛି ଅସନ୍ତୁଷ୍ଟ ଓ ଲୋଭାଗ୍ରସ୍ତ ନେତାଙ୍କୁ ଏବେ ନିଜ ନିଜ ଦଳକୁ ଆଣିବା ପାଇଁ ମନାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।

ବିଶେଷକରି ଦଳ ଡିଆଁ ନେତାଙ୍କ ଉପରେ ସବୁ ଦଳର ନଜର ରହିଛି। ଦଳ ଡିଆଁ ନେତା କେତେବେଳେ କଣ କରିବେ ସେମାନଙ୍କ ଉପରେ ମଙ୍ଗୁଆଳ ନେତାଙ୍କର ଭରସା ପାଉ ନାହିଁ। ଏଇ ନେତା ବର୍ଷା ଜୁଆଡେ ଝତା ସିଆଡେ ଦେଖାଇବା ଅବସ୍ଥାରେ ରହିଛନ୍ତି। ପାନରୁ ଚୁନ୍ ଖସି ଗଲା ବେ‌ଳକୁ ଦଳୀୟ ମଙ୍ଗୁଆଳ ନେତାଙ୍କୁ ଦଳ ଛାଡି ଅନ୍ୟ ଦଳରେ ମିଶି ଯିବାକୁ ‌ ଧମକ ଦେଉଛନ୍ତି। ନିର୍ବାଚନରେ ଭୋଟ ବେଳେ ଦେଖି ନେବୁ ବୋଲି ମଧ୍ୟ ଚେତାବନୀ ଦେଲେଣି। ଏଭଳି କିଛି ହାବିଚୁଆଲଦଳ ଡିଆଁ ନେତାଙ୍କୁ କିଛି ପ୍ରମୁଖ ନେତା ଦୂର ଜୁହାର ହେଲେଣି। ଦଳ ଡେଇଁ ଜୁଆଡେ ଯାଉଛ ପଛେ ଯାଅ ତୁମ ଭଳି କୃତଘ୍ନ ନେତାଙ୍କର ତାଉ ଆଉ ସହି ହେବ ନାହିଁ ବୋଲି କିଛି ପ୍ରମୁଖ ଦଳର ନେତା କହିବା ଆରମ୍ଭ କଲେଣି। କିଛି ଦଳୀୟ ତୁଙ୍ଗ ନେତାଙ୍କର ଉତ୍ତର ହେଉଛି, ଯେଉଁମାନେ ନିଜ ଦଳ ଡେଇଁ ଅନ୍ୟ ଦଳକୁ ଯାଉଛନ୍ତି। ସେମାନଙ୍କର ଭୁମିକା କିଛି ନାହିଁ। ନାଁ ସେମାନଙ୍କ ପା‌ଖରେ ଭୋଟର ଅଛନ୍ତି। ନାଁ ଯେଉଁ ଦଳକୁ ଯାଉଛନ୍ତି ସେଠି ସେମାନଙ୍କର ଆତ୍ମ ସମ୍ମାନ ରହିଛି। ଏଭଳି ଦଳଡିଆଁ ନେତାଙ୍କୁ ପଚାରେ କିଏ ବୋଁଲି କିଛି ଦଳୀୟ ନେତା ପ୍ରଶ୍ନ ବି ଉଠାଇଛନ୍ତି। ଯେଉଁ ଦଳରେ ଥିଲେ ସେଠି ଆତ୍ମଘାତି କାମ କଲେ, ଅଣଦେଖା ହେଲେ, ଯେଉଁ ଦଳକୁ ଯାଉଛନ୍ତି, ସେଠି ମଧ୍ୟ ଆତ୍ମଘାତି କାମ କରିବେ ବୋଲି ଚର୍ଚ୍ଚା ହେଲାଣି।

ସୁବିଧାବାଦୀ ନେତାଙ୍କୁ ନିୀର୍ବାଚନ ବେଳେ ଓ ମିଶ୍ରଣ ପର୍ବ ବେଳେ ସବୁ ଦଳର ମଙ୍ଗୁଆଳ ନେତା ପରଖୁଛନ୍ତି। ଏଭଳି କିଛି ଦଳ ଡିଆଁ ନେତାଙ୍କର ସୁବିଧାବାଦୀ ଆଭିମୁଖ୍ୟ ଦେଖି କିଛି ମଙ୍ଗୁଆଳ ନେତା ସେମାନଙ୍କୁ ଆଉ ପାଖ ପୂରାଇଦେଉ ନାହାନ୍ତି। କିଛି ନେତା ଏବେ ଏବେ କହିଲେଣି ସେ ନେତାଟାକୁ ଆମ ଦଳକୁ ଆଣ ନାହିଁ। ତାକୁ ଆଣିଲେ ବରଂ ଦଳର କ୍ଷତି ହେବ। ଦଳ ଡିଆଁନେତାଙ୍କୁ ନେଇ ଏବେ ଲାଭ କ୍ଷତିର ହିସାବ କଲେଣି ମଙ୍ଗୁଆଳ। କେତେକ ଦଳରେ ଏବେ ଦଳ ଡିଆଁ ନେତାଙ୍କୁ ଆଉ ଅଧିକ ଗୁରୁତ୍ବ ଦିଆଯାଉ ନଥିବା ‌ସ୍ଥଳ ବିଶେଷରେ ଦେଖିବାକୁ ମିଳିଲାଣି। ଦସଳରେ ମିଶାଇ ଅଳିଆ ଗଦାକୁ ପକାଇ ଦିଆଯାଉଥିବାର ଦୃଶ୍ୟ ଭଦ୍ରକ ଜିଲ୍ଲାର ୫ ଟି ନିର୍ବାଚନ ମଣ୍ଡଳୀ ସ୍ପଷ୍ଟ ବାରି ହେଲଣି। ଦଳଡିଆଁ ନେତା ବି ମନେ ମନେର ପ୍ରମାଦ ଗଣିଲେଣି। ଏ କୂଳରେ ହେଲୁ ନା ସେ କୂଳରେ ହେଲୁ। କହେି ଆଉ ଆମକୁ ପଚାରୁ ନାହାନ୍ତି। କଣ କରିବେ ଭାବିଲା ବେଳକୁ ଆଉ ସେମାନଙ୍କର କିଛି ନାହିଁ। ପଞ୍ଚାୟତ ନିର୍ବାଚନରେ କିଛି ଦଳ ଡିଆଁ ନେତାଙ୍କର ଇଜତ ମହତ ସବୁ ଗଲାଣି ବୋଲି ଦାଣ୍ଡରେ ପଡି ହାଟରେ କଥା ଗଡିଲାଣି।

କେବଳ ଦଳ ଡିଆଁ ନେତା ମୁଣ୍ଡ ଖାଉ ନାହାନ୍ତି। ବିଦ୍ରୋହୀ ପ୍ରାର୍ଥୀ ମଧ୍ୟ କିଛି ନେତାଙ୍କର ରକ୍ତଚାପ ବଢାଇ ଦେଲେଣି। ବିଧାୟକମାନେ ଏବେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଏଇ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନେଇ ଅଧିକ ଚାପରେ ରହିଛନ୍ତି। ଗତକାଲି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। ଶେଷ ଦିନରେ ଜିଲ୍ଲାରେ ସର୍ବାଧିକ ୩୫୮ ଜଣ ପ୍ରାର୍ଥୀ ବିଭିନ୍ନ ପଦବି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯେଉଁ ପ୍ରାର୍ଥୀ ଦଳୀୟ ଟିକଟ ପାଇଲା ନାହିଁ, ସେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛି । ଗୋଟିଏ ଗୋଟିଏ ଜୋନ୍ ରେ ଓ ପଞ୍ଚାୟତରେ ସଂଖ୍ୟାଧିକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର