ଘେରିଲେ ବିରୋଧୀ : ସରକାର, ବିଏମ୍‌ସିର ଅପାରଗତାକୁ ଦାୟୀ କଲେ

ଭୁବନେଶ୍ୱର : ବର୍ଷାରେ ରାଜଧାନୀ ସ୍ଥିତି ସାଂଘାତିକ ହୋଇଛି। ଏହାକୁ ପ୍ରାକୃତିକ ଦୁର୍ବିପାକ କୁହାଯାଉଥିଲେ ବି ବିଏମ୍‌ସିର ଦୁର୍ବଳ ପ୍ରସ୍ତୁତିକୁ ନେଇ ସହର ସାରା ଅସନ୍ତୋଷ ଦେଖାଦେଇଛି। ବିଏମ୍‌ସି କର୍ତ୍ତୃପକ୍ଷ ଯେତେ ସଫେଇ ଦେଲେ ବି ଲୋକ ଗ୍ରହଣ କରିବାକୁ ନାରାଜ। ଠିକ୍‌ ଏହି ସମୟରେ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାର ଓ ବିଏମ୍‌ସିର ଅପାରଗତାକୁ ଅଙ୍ଗୁଳି ଦେଖାଇଛନ୍ତି। ଭୁବନେଶ୍ୱରକୁ ସ୍ମାର୍ଟ ସିଟି କହି ମସ୍‌ଗୁଲ୍‌ ଥିବା କର୍ପୋରେଟର୍‌ ଓ ଅଧିକାରୀମାନେ କେତେ ପାରଙ୍ଗମ, ତାହା ଧରାପଡ଼ିଗଲା ବୋଲି ସେମାନେ ଆରୋପ ଲଗାଇଛନ୍ତି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ରାଜଧାନୀରେ କୃତ୍ରିମ ବନ୍ୟା ଯୋଗୁଁ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ବର୍ଷା ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ସମସ୍ୟା ଅଧିକ ସଙ୍ଗୀନ ହୋଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଘର ପଛ ପଟେ ଥିବା ପ୍ରାକୃତିକ ନାଳରେ ବର୍ଜ୍ୟଜଳ ପାଣି ଆସିବାରୁ ଯାତାୟତ ବନ୍ଦ ହୋଇଛି। ବିଏମ୍‌ସି ଓ ନଗର ଉନ୍ନୟନ ବିଭାଗ ରାଜଧାନୀରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ କରୁଥିବାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ରାଜଧାନୀବାସୀଙ୍କ ସମସ୍ୟା ବଢ଼ିଚାଲିଛି। ଗୋଟିଏ ଓଳି ବର୍ଷାରେ ଜନଜୀବନ ଠପ୍‌ ହୋଇଯାଉଛି। ସ୍ମାର୍ଟ ସିଟି ପାଇଁ କ୍ରେଡିଟ୍‌ ନେଉଥିବା ସରକାର ଓ ବିଏମ୍‌ସି ଲୋକଙ୍କ ଦୁର୍ଦ୍ଦଶା ପାଇଁ ଉତ୍ତରଦାୟିତ୍ୱ କାହିଁକି ନେଉ ନାହାନ୍ତି? ବିଡିଏ, ବିଏମ୍‌ସି ଓ ଶାସକ ଦଳର କିଛି ନେତାଙ୍କ ମଧୁଚନ୍ଦ୍ରିକାର କୁଫଳ ସହରବାସୀ ଭୋଗୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଆଜି ବିଜେପି ନେତା ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ ଓ ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିଥିଲେ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି, ବିଜେଡିର ଭୋଟ୍‌ ରାଜନୀତିର କୁପ୍ରଭାବ ଆଜି ସହରବାସୀ ଭୋଗୁଛନ୍ତି। ବିଭିନ୍ନ ସ୍ଥାନରେ ଡ୍ରେନ୍‌ ଉପରେ ଜବରଦଖଲ କରାଯାଇଛି। ଏହା ଜାଣି ମଧ୍ୟ ଭୋଟ୍‌ ପାଇଁ ବିଏମ୍‌ସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉନି। ଉପଯୁକ୍ତ ଡ୍ରେନ୍‌ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିବନି। ଇସ୍କନ ସାମ୍ନାରେ ୭ ବର୍ଷ ହେଲା ପାଣି ଜମୁଥିଲା। କିନ୍ତୁ ଆଜି ସେଠାରେ ପାଣି ଜମିନି। ସମାଧାନର ବାଟ ପୁଣି ବାହାରିଲା କିପରି? ଲୋକଙ୍କ ସମସ୍ୟା ପ୍ରତି ସରକାର ଓ ବିଏମ୍‌ସିର ଆନ୍ତରିକତା ନ ଥିବା ସ୍ପଷ୍ଟ ହୋଇଛି।

ସିପିଆଇ-ଏମ୍‌ଏଲ୍‌ ରେଡ୍‌ ଷ୍ଟାର୍‌ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ରଞ୍ଜନ ମିଶ୍ର କହିଛନ୍ତି, ଗୋଟିଏ ରାତିର ବର୍ଷାରେ ସ୍ମାର୍ଟ ସିଟିର ଅସଲ ରୂପ ପଦାରେ ପଡ଼ିଯାଇଛି। ସହରଗୁଡ଼ିକରେ ବ୍ୟାପକ ଯୋଜନା ପ୍ରସ୍ତୁତ କରି ଯୋଜନାବଦ୍ଧ ଉଦ୍ୟମ ବଦଳରେ କେବଳ ସର୍ବସାଧାରଣ ଅର୍ଥ ହରିଲୁଟ୍‌ କରାଯାଉଛି। ସହରର ପ୍ରାକୃତିକ ନାଳ ଜମି ମାଫିଆଙ୍କ କବ୍‌ଜାରେ ଅଛି। ବିଭିନ୍ନ ପ୍ରକଳ୍ପରେ କାମ କରା ନ ଯାଇ ଅର୍ଥ ଭାଗବାଣ୍ଟି ନେଇଯାଉଛନ୍ତି। ଯାହାର ଫଳସ୍ୱରୂପ ଲୋକମାନେ ଆଜି ଭୋକ ଉପାସରେ ଜଳବନ୍ଦୀ ରହିଲେ। ଏଥି ପାଇଁ ମେୟର ଓ ଶାସକ ଦଳ ସମ୍ପୂର୍ଣ୍ଣ ଦାୟୀ। ଆଜିର ଦୁର୍ଦ୍ଦଶା ପାଇଁ ମେୟର ନିଜ ପଦରୁ ଇସ୍ତଫା ଦେବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର