ଭୁବନେଶ୍ବର: ବିଭିନ୍ନ ଜଳ ସେଚନ ପ୍ରକଳ୍ପ ପାଇଁ ପ୍ରତିବର୍ଷ ବଜେଟରେ ହଜାର ହଜାର କୋଟି ଟଙ୍କା ବ୍ୟୟ ବରାଦ ହେଉଛି। କିନ୍ତୁ ଫଳ ଶୂନ୍। ବୃହତ ଜଳସେଚନ ପ୍ରକଳ୍ପଠୁ ଆରମ୍ଭ କରି ମଧ୍ୟମ ଓ କ୍ଷୁଦ୍ର ସେଚ ପ୍ରକଳ୍ପ ସବୁ ଅଧପନ୍ତରିଆ। ଏଲ.ଆଇ ପଏଣ୍ଟଗୁଡ଼ିକ ଅଚଳ। ଛତିଶଗଡ଼ ସରକାର ବିରୋଧରେ ରାଜନୈତିକ ଆନ୍ଦୋଳନ କେବଳ ଭୋଟ ବ୍ୟାଙ୍କ ରାଜନୀତି। ମହାନଦୀର ଉପରମୁଣ୍ଡରେ ଜଳ ସଂରକ୍ଷଣ ପାଇଁ କେତୋଟି ବ୍ୟାରେଜ୍ କରିଛ ଉତ୍ତର ଦିଅ। ସବୁ ବ୍ଲକକୁ ୩୫% ଜଳସେଚନ ପହଞ୍ଚାଇବା ଲକ୍ଷ୍ୟ ପୂରା ହେଲାକି? ଜିଲ୍ଲାଵାରୀ ଯେତିକି ଚାଷ ଜମି ଅଛି ବୋଲି କହିଛ, ତାଠାରୁ ଅଧିକ ଜଳସେଚନ କରିଛ ବୋଲି କେମିତି ଦର୍ଶାଇଛ? ଆଜି ବିଧାନସଭାରେ ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏପରି ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରି ସରକାରଙ୍କୁ ଅଣନିଶ୍ବାସୀ କରିପକାଇଲେ ବିରୋଧୀ। ହେଲେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଉତ୍ତର ସମସ୍ତଙ୍କଠୁ ବଳିଗଲା। ବିରୋଧୀଙ୍କ ଏସବୁ ପ୍ରଶ୍ନର ଉତ୍ତର ନଦେଇ ଜଳସମ୍ପଦ ମନ୍ତ୍ରୀ ୧ ଘଣ୍ଟା ୫ ମନିଟ କାଳ ଖାଲି ସରକାରୀ ଉତ୍ତର ପଢ଼ି ଚାଲିବାରୁ କଂଗ୍ରେସ ସଦସ୍ୟମାନେ ଅସନ୍ତୁଷ୍ଟ ହୋଇ କକ୍ଷତ୍ୟାଗ କରିଥିଲେ।
ମଙ୍ଗଳବାର ଜଳ ସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ କହିଥିଲେ, ତେଲେଙ୍ଗିରି ପ୍ରକଳ୍ପ କାମ ସରିଲାଣି। ପୁଣି ଥରେ ଏଥରକ ବଜେଟରେ ବ୍ୟୟବରାଦ କରିବା ଅର୍ଥ କଣ? ସବୁ ବ୍ଲକକୁ ୩୫% ଜଳସେଚନ ଏ ପର୍ଯ୍ୟନ୍ତ ହୋଇପାରିଲାନି। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ କାମ ଅଧପନ୍ତରିଆ। କେନାଲ ଲାଇନିଂ ଓ ଅସମ୍ପୂର୍ଣ୍ଣ ଜଳ ସେଚନ ପ୍ରକଳ୍ପା କାମ ସମ୍ପୂର୍ଣ୍ଣ ହେଲେ ରାଜ୍ୟରେ କେତେ ଜମି ଜଳସେଚିତ ହେବ ମନ୍ତ୍ରୀ ଗୃହକୁ ଜଣାନ୍ତୁ। ଭୂତଳ ଜଳସ୍ତର ଯେପରି ଦିନକୁ ହ୍ରାସ ପାଉଛି ତାହା ଏବେ ଉଦବେଗର ବିଷୟ ହେଲାଣି। ହେଲେ ଏଥିପ୍ରତି ସରକାରଙ୍କ ନିଘା ନାହିଁ। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ପାଣିକୁ ଅଟକାଇଛନ୍ତି ବୋଲି ଗୃହ ଭିତରେ ଓ ବାହାରେ ସରକାର ଚିତ୍କାର କରୁଛନ୍ତି। ରାଜ୍ୟବାସୀଙ୍କ ହିତ ପାଇଁ ମହାନଦୀର ଉପରମୁଣ୍ଡରେ ସରକାର ଦୀର୍ଘ ୨୦ ବର୍ଷ ଭିତରେ କେତେ ବନ୍ଧ ନିର୍ମାଣ କରିଛନ୍ତି ତାର ଉତ୍ତର ରଖନ୍ତୁ। ଶିଳ୍ପ ସଂସ୍ଥାକୁ ମନଇଚ୍ଛା ପାଣି ଯୋଗାଇ ଦିଆଯାଉଛି, ଅଥଚ ଚାଷ ଓ ପାନୀୟ ଜଳ ପାଇଁ ସରକାର ନିଦାବିଷ୍ଣୁ ସାଜିଥିବା ନେଇ ଶ୍ରୀ ମାଝୀ ସରକାରଙ୍କ ଉପରେ ଅଭିଯୋଗର ପାହାଡ଼ ଲଦିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ୨୦୧୬ ମାର୍ଚ୍ଚ ୨୧ ତାରିଖରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମାନ୍ତରାୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ତତ୍କାଳୀନ ଜଳସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ନିଜେ ଏ ଗୃହରେ ଉତ୍ତର ଦେଇଥିଲେ ତାର ଉତ୍ତର ଏବେଯାଏଁ ମିଳିଲାନି। ପୁରୀ ଓ କଟକ ଜିଲ୍ଲାରେ ଯେତିକି ଚାଷ ଜମି ଅଛି ତାଠାରୁ ଅଧିକ ଜଳସେଚନ ହୋଇଥିବା ନେଇ ଉତ୍ତରରେ ଦର୍ଶାଯାଇଥିଲା। ଜଳସେଚନ ନେଇ ବିଭାଗ ଏପରି ଉତ୍ତର ପ୍ରସ୍ତୁତ କରୁଛି ତାହା କେହି କେବେ ବୁଝିପାରିବନି। ଏଭଳି ଭୁଲକୁ ଦର୍ଶାଇଲେ ବି ସରକାର ସଂଶୋଧନ କରିନାହାନ୍ତି। ଲୋୟର ସୁକତେଲ ପ୍ରକଳ୍ପ କାମ ବର୍ଷେ ହେଲାଣି ବନ୍ଦ ପଡ଼ିଛି। ବଜେଟରେ ଗଭୀର ନଳକୂପ ପାଇଁ ବ୍ୟୟବରାଦ କରାଯାଇଛି ସତ କିନ୍ତୁ ଆଜି ସବୁ ଆଡ଼େ ଭୂତଳ ଜଳସ୍ତର କମିବାରେ ଲାଗିଛି। ମାଟିତଳେ ପାଣି ଥିଲେ ତ ଡିପ୍ ବୋର୍େଵଲ୍ ସ୍ବପ୍ନ ସାକାର ହେବ। ବିଦ୍ୟୁତ ସଂଯୋଗ ନଥିବାରୁ ଆଜି ଅଧିକାଂଶ ଏଲ୍ଆଇ ପଏଣ୍ଟ ଅଚଳ ହୋଇପଡ଼ିଛି। ସେହିପରି ଶାସକଦଳ ସଦସ୍ୟ ପ୍ରଫୁଲ୍ଲ ସାମଲ କହିଥିଲେ, ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଆନନ୍ଦପୁର ବ୍ୟାରେଜ ନିର୍ମାଣ କାମ ସରୁନି। ବିଗତ ୫ ବର୍ଷରେ ରାଜ୍ୟ ସରକାର ୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିପାରିଛନ୍ତି। ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ମନ୍ତ୍ରୀଙ୍କୁ ଗୃହରେ ଅନୁରୋଧ କରିଥିଲେ। ବିଜେଡି ସଦସ୍ୟ ରୋହିତ ପୂଜାରୀ କହିଥିଲେ ହୀରାକୁଦ ଓ ରେଙ୍ଗାଳି ବାସଚ୍ୟୁତଙ୍କୁ ଏ ଯାଏଁ ନ୍ୟାୟ ମିଳିପାରିନି। କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ବେଶୀ ଗୁରୁତ୍ବ ଦେବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ।
ଆଲୋଚନା ଶେଷରେ ଉତ୍ତର ରଖିବାକୁ ଯାଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଲମ୍ବା ଉତ୍ତର ପାଠ କରିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୌସୁମୀ ପ୍ରବାହରେ ଅନିୟମିତତା ଦେଖାଦେଉଛି ଏବଂ ଏହାଦ୍ବାରା ରାଜ୍ୟର ଜଳସମ୍ପଦ ପ୍ରଭାବିତ ହୋଇଛି। ଏବେ ବର୍ଷକୁ ମାତ୍ର ୬୦ରୁ ୭୦ ଦିନ ବର୍ଷା ହେଉଛି। ଏଥିପାଇଁ ସୀମିତ ବର୍ଷାଜଳକୁ ସଂରକ୍ଷଣ କରି ବର୍ଷାସାରା ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରିବା ଜଳସମ୍ପଦ ବିଭାଗ ପାଇଁ ଏକ ଆହ୍ବାନ ପାଲଟିଛି ବୋଲି ଶ୍ରୀ ଦାସ କହିଥିଲେ। ଆସନ୍ତା ୫ ବର୍ଷ ମଧ୍ୟରେ ଜଳସମ୍ପଦ ବିକାଶ ଓ ପରିଚାଳନା ପାଇଁ ୫୦ ହଜାର କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯିବ। ଚଳିତବର୍ଷ ୨.୬୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପାର୍ବତୀ ଗିରି ଉଠା ଜଳସେଚନ ଯୋଜନାରେ ୮୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏ ବାବଦରେ ୧ ହଜାର ୭୭୬ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ଜଳ ସଂରକ୍ଷଣ ପାଇଁ ୨୦୦୦ଟି ଆଡ଼ିବନ୍ଧ ନିର୍ମାଣ କରାଯିବ। ସହରାଞ୍ଚଳରେ ବର୍ଷା ଜଳ ଅମଳ ପାଇଁ କୋଠାଘର ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକ୍ରମରେ ୧୧ଟି ସହରରେ ୫ ହଜାର ୫୦୦ ବେସରକାରୀ ଏବଂ ୬୫ଟି ସରକାରୀ କୋଠାରେ ବର୍ଷାଜଳ ଅମଲ ପ୍ରକଳ୍ପ ନିର୍ମାଣ ଲକ୍ଷ୍ୟ ରଖାଯାଇଛି। ଏହାସହିତ ମହାନଦୀ, ବଂଶଧାରା ଓ ପୋଲାଭରମ ନେଇ ରାଜ୍ୟ ସ୍ବାର୍ଥ ସହ କେବେ ବି ସାଲିସ କରାଯିବନି ବୋଲି ମନ୍ତ୍ରୀ କହିଥିଲେ। ଏଥିସହିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୯ ହଜାର ୭୨୪ କୋଟି ୮୬ ଳକ୍ଷ ୪୪ ହଜାର ଟଙ୍କା ଗୃହର ଅନୁମୋଦନ ଲାଭ କରିଥିଲା। ଜଳସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ଦାସ, ଦେବଶ ଆଚାର୍ଯ୍ୟ, ମୀନାକ୍ଷୀ ମହାନ୍ତ, ଭାସ୍କର ମଢ଼େଇ, ମୁକେଶ ପାଲ ଓ ମଦନ ମୋହନ ଦତ୍ତ ପ୍ରମୁଖ ଭାଗ ନେଇଥିଲେ।