ଭୁବନେଶ୍ବର : ରାଜସ୍ବ ବିଭାଗ ସ୍ଥାଣୁ ପାଲଟିଯାଇଛି। ଭୂ-ସଂସ୍କାର ଆଇନ କି ଜମି ସିଲିଂ ଆଇନ କାର୍ଯ୍ୟକାରୀ ହେଉନି। ସବୁ ତହସିଲରେ ତହସିଲଦାର ନାହାନ୍ତି କି ରାଜସ୍ବ ନିରୀକ୍ଷକ। ବଲାଙ୍ଗୀର ରାଜ ପରିବାର ସିଲିଂ ମାମଲା ଦୀର୍ଘ ୪୦ ବର୍ଷ ଧରି ପଡ଼ିରହିଥିଲେ ବି ଶାଗ ମାଛ ଦରରେ ମୂଲ୍ୟବାନ ସମ୍ପତ୍ତିକୁ ବିକ୍ରି କରିଦିଆଯାଇଛି। ସରକାର ସବୁ ଜାଣି ବି ଚୁପ୍ ବସିଛନ୍ତି।

Advertisment

ଆଜି ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଚଞ୍ଚକତା କରି ରାଜ ପରିବାର ପକ୍ଷରୁ ବଲାଙ୍ଗୀର ଟାଉନ ସମେତ ଅନ୍ୟ ସ୍ଥାନରେ ଥିବା ପ୍ରାୟ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ବିକ୍ରି କରାଯାଇଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଏହାର ତଦନ୍ତ ସିବିଆଇ କିମ୍ବା ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଇବାକୁ ସେ ଦାବି କରିଥିଲେ।

ଆଜି ଶ୍ରୀ ମିଶ୍ର କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସମୟରେ ଜମି ଭୂ-ସଂସ୍କାର ଆଇନ ବଳରେ ରାଜପରିବାରର ଜମିକୁ ସୀମିତ କରିବାକୁ ମାମଲା ହୋଇଥିଲା। ବର୍ଷବର୍ଷ ଧରି ଶହଶହ ଏକର ଜମି ମାଲିକାନା ଥାଇ ବି ଏହି ଆଇନ ଅନ୍ତର୍ଗତ ସର୍ବୋଚ୍ଚ ସୀମା ଅନୁଯାୟୀ ବଳକା ଜମି ସରକାରୀ ଖାତାକୁ ଆସିପାରୁନାହିଁ। ବଲାଙ୍ଗୀର ଟାଉନର କେନ୍ଦ୍ର ସ୍ଥଳୀରେ ଥିବା ପ୍ରାୟ ଶହେ ଏକର ଜମି ରାଜପରିବାରର ନୁେହଁ ବୋଲି ଜଷ୍ଟିସ ଜି.ସି ଦାସ କମିସନ ରିପୋର୍ଟ ଦେଇଥିଲେ। କମିସନଙ୍କ ସୁପାରିସ ଆଧାରରେ ସେ ମୂଲ୍ୟବାନ ଜମି ସରକାରଙ୍କ ଖାତାକୁ ଆସିବା କଥା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଜମି ଶାଗମାଛ ଦରରେ ବିଭିନ୍ନ ଲୋକଙ୍କୁ ବିକ୍ରି କରାଯାଇଛି। ଏସବୁ ସରକାରଙ୍କ ଜାଣତରେ ଘଟିଛି। ବିଧାନସଭାର ପବ୍ଲିକ ଆକାଉଣ୍ଟସ କମିଟି ଏ ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ ବି ସରକାର କଣ ପାଇଁ ଏହାର ତଦନ୍ତ କରୁନାହାନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି।

ଶ୍ରୀ ମିଶ୍ର କହିଥିଲେ, ରାଜସ୍ବ ବିଭାଗ ୩ଟି ରାଜସ୍ବ ଡିଭିଜନରେ ବି ରାଜସ୍ବ ଆୟୁକ୍ତ ନାହାନ୍ତି। ୧୫ ତାରିଖରେ ‘ସମ୍ବାଦ’ ଖବର କାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶିତ ‘ରାଜସ୍ବ ବିଭାଗରେ ମାଫିଆ ରାଜ! ‘ ଶୀର୍ଷକ ଖବରରେ ସତ୍ୟତା ଥିବା ନେଇ ଶ୍ରୀ ମିଶ୍ର କହିଥିଲେ, ରାଜସ୍ବ ବିଭାଗରେ ଥିବା ସବୁ ଅଧିନିୟମକୁ ଏକାଠି କରି ଏ ଯାଏଁ ଓଡ଼ିଶା ଜମି ଓ ରାଜସ୍ବ କୋଡ଼ ପ୍ରସ୍ତୁତ ହୋଇପାରିଲା ନାହିଁ। ଭୂମିହୀନ ଲୋକଟିଏ ସରକାରୀ ଜମିଟିଏ ରଖିଲେ କାର୍ଯ୍ୟାନୁଷ୍ଠାନ ହେଉଛି। କିନ୍ତୁ ବଡ଼ବଡ଼ିଆ ହଜାର ହଜାର ସରକାରୀ ଜମି ମାଡ଼ିବସିଛନ୍ତି ତାଙ୍କ ପାଇଁ ସାତଖୁଣ ମାପ କରିଦିଆଯାଉଛି। ଖୋଦ ବଲାଙ୍ଗୀର ପୌରସଂସ୍ଥା ସହରରେ ପିଡବ୍ଲ୍ୟୁଡି ରାସ୍ତା ଜବରଦଖଲ କରିଛି କିନ୍ତୁ ତାକୁ ଉଚ୍ଛେଦ କରାଯାଉନି। ଏଇ ଗୃହରେ ପାରିତ ହୋଇଥିବା ଜମି ହଡ଼ପ ଆଇନ କେଉଁ ଅବସ୍ଥାରେ ଅଛି ସେ ନେଇ ରାଜସ୍ବ ମନ୍ତ୍ରୀ ଗୃହରେ ଉତ୍ତର ରଖିବେ ବୋଲି ଶ୍ରୀ ମିଶ୍ର ଆହ୍ବାନ କରିଥିଲେ। ଲଘୁ ଖଣିଜ ପଦାର୍ଥ ଗୁଡ଼ିକ ସରକାରୀ ଅଧିକାରୀଙ୍କ ଜାଣତରେ ଚୋରାଚାଲାଣ ହେଉଛି ଅଥଚ ସରକାର ଚୁପ ବସିଛନ୍ତି।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ସରକାର ତୁରନ୍ତ ଜଗନ୍ନାଥଙ୍କ ଜମି ଫେରେଇ ଆଣନ୍ତୁ। ଅନେକ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ଖାତାକୁ ଚାଲିଯାଇଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜସ୍ବ ବିଭାଗରେ ସ୍ବଚ୍ଛତା ଆଣିବା ପାଇଁ ବହୁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ ପରିଚୟ ପାଇଛି। ଜମି ଅଧିଗ୍ରହଣ ଅଧିକାରୀ ପଦବି ଖାଲିପଡ଼ିଥିବାରୁ ଅନେକ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇପାରୁନି। ବାଲି ମାଫିଆଙ୍କ କବଜା ଯୋଗୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ରୋକିବାକୁ ସରକାର ଆହୁରି କଡ଼ାକଡ଼ି ପଦକ୍ଷେପ ନେବା ଆବଶ୍ୟକ।

ଆଲୋଚନା ଶେଷରେ ସଦସ୍ୟମାନଙ୍କ ଉତ୍ତର ରଖି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ, ବିଭାଗରେ କର୍ମଚାରୀ ଓ ଅଧିକାରୀମାନଙ୍କ ଅଭାବ ଦୂର କରିବା ପାଇଁ ପଦୋନ୍ନତି ଭିତ୍ତିରେ ପଦବି ପୂରଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ଖାତାକୁ ଯାଇଥିବା ନେଇ ତାଙ୍କ ଦୃଷ୍ଟିକୁ ଆସିନାହିଁ। ସେ ଏ ନେଇ ଅନୁଧ୍ୟାନ କରିବେ। ସେହିପରି ଲଘୁ ଖଣିଜ ପଦାର୍ଥ ଚୋରି ହେବା ନେଇ ସଦସ୍ୟମାନେ ନିର୍ଦ୍ଦିଷ୍ଟ ଅଭିଯୋଗ ଆଣିଲେ ସେଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଫନି ସହାୟତା ବାବଦରେ କେନ୍ଦ୍ରକୁ ୫ ହଜାର ୨୨୭ କୋଟି ୬୮ ଲକ୍ଷ ଟଙ୍କା ମଗାଯାଇଥିଲା। କିନ୍ତୁ ଅଦ୍ୟାବଧି ମାତ୍ର ଏନଡିଆରଏଫ ପାଣ୍ଠିରୁ ୭୮୮ କୋଟି ୮୭ ଲକ୍ଷ ୫୦ ହଜାର ଟଙ୍କା ମିଳିଛି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସିଲିଂ ମାମଲା ନେଇ ଉଠାଇଥିବା ପ୍ରସଙ୍ଗରେ ଅନୁଧ୍ୟାନ କରିବେ ବୋଲି ଶ୍ରୀ ମାର୍ଣ୍ଡି ଗୃହରେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ରାଜସ୍ବ ବିଭାଗର ୧୧୫୮ କୋଟି ୯୩ ଲକ୍ଷ ୩୧ ହଜାର କୋଟି ଟଙ୍କାର ଖର୍ଚ୍ଚ ଦାବି ଗୃହର ଅନୁମୋଦନ ଲାଭ କରିଛି। ରାଜସ୍ବ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ବିଧାୟକ ପ୍ରଫୁଲ୍ଲ ସାମଲ, ରଘୁରାମ ପୋଡ଼ାଲ, ସନାତନ ବିଜୁଳି, ପ୍ରମୋଦ ମଲ୍ଲିକ, ମୁକେଶ ମହାଲିଙ୍ଗ, କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଭାଗ ନେଇଥିଲେ।