ୟେସ୍ ବ୍ୟାଙ୍କରେ ଠାକୁରଙ୍କ ଟଙ୍କା ଜମା ରଖିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲେ ବିରୋଧୀ

ବିଜୟ, ନରସିଂହଙ୍କ ଟାର୍ଗେଟରେ ନବୀନ, ରତ୍ନଭଣ୍ଡାର କଥା ଉଠାଇଲା କଂଗ୍ରେସ

ଭୁବନେଶ୍ବର : ଶ୍ରୀଜଗନ୍ନାଥଙ୍କ ପ୍ରତି ରାଜ୍ୟ ସରକାର ଚରମ ଅବହେଳା କରିଛନ୍ତି। ଏମିତି ଯେ ଗୋଟିଏ ଘରୋଇ ବ୍ୟାଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଯାଇ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାକୁ ଏବେ ଅସୁରକ୍ଷିତ ଅବସ୍ଥାକୁ ଠେଲି ଦେଇଛନ୍ତି। ରତ୍ନଭଣ୍ଡାରରେ ଚତୁର୍ଧାମୂର୍ତ୍ତିଙ୍କ ଅଳଙ୍କାର ଅଛି କି ନାହିଁ, ତାହା ଜଣାପଡୁନାହିଁ। ମୁଖ୍ୟମନ୍ତ୍ରୀ ନିଜେ ସାମ୍ନାକୁ ଆସନ୍ତୁ ଓ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦିଅନ୍ତୁ ଯେ ମହାପ୍ରଭୁଙ୍କ ଟଙ୍କା ଓ ସୁନା ଅଳଙ୍କାର ସୁରକ୍ଷିତ ରହିଛି। ଆମେ ଏତିକି ଶୁଣିବାକୁ ଚାହୁଁଛୁ।

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ କରି ରାଜ୍ୟ ସରକାର ଗୋଟିଏ ପଟେ ପ୍ରଶଂସା ଗୋଟାଉଥିବା ବେଳେ ଅନ୍ୟପଟରେ ଦେବାଳିଆ ସ୍ଥିତିକୁ ଚାଲିଯାଇଥିବା ୟେସ୍ ବ୍ୟାଙ୍କରେ ଠାକୁରଙ୍କ ଟଙ୍କା ଜମା ରଖିବା ଘଟଣାରେ ବିରୋଧୀ ଏବେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ଢଙ୍ଗରେ ଜବାବ ମାଗିଛନ୍ତି। ସିଧା ସିଧା କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଏମିତି ନ କରନ୍ତି, ତେବେ ମହାପ୍ରଭୁଙ୍କ ଟଙ୍କା ଓ ରତ୍ନ ଅଳଙ୍କାର ଅସୁରକ୍ଷିତ ନେଇ ଲୋକେ ଯେଉଁ ଆଶଙ୍କା ଭିତରେ ଅଛନ୍ତି, ତାହା ଅମୂଳକ ନୁହେଁ ବୋଲି ବୁଝିବାକୁ ହେବ। ରାଜ୍ୟ ସରକାରଙ୍କର ଏହି କେଳେଙ୍କାରୀରେ ବଡ଼ ଭୂମିକା ଅଛି, ଏକଥାକୁ ବି ଏଡାଇ ଦେଇ ହେବନାହିଁ।

ସକାଳେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଅପରାହ୍ନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏଭଳି ଯୁକ୍ତି ରଖି ସରକାରଙ୍କୁ କାଠଗଡାକୁ ଟାଣି ଆଣିଛନ୍ତି।

ଆଜି ପୂର୍ବାହ୍ନରେ ବିଜେପି ନେତା ବିଜୟ ମହାପାତ୍ର କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ରାଜ୍ୟରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହେଇଛି। ଟଙ୍କା ଫେରିବ କି ନାହିଁ ସମଗ୍ର ଜଗନ୍ନାଥ ପ୍ରେମୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଲାଣି। ନିୟମ ଅନୁସାରେ, ହୁଣ୍ଡିରୁ ଆଦାୟ ପାଣ୍ଠି ଓ ଫାଉଣ୍ଡେସନ ଫଣ୍ଡ ପାଣ୍ଠିର ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ହେବା କଥା। ମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏହାର ଖିଲାଫ କରିପାରିବେ ନାହିଁ। ସେ କହିଥିଲେ ଯେ ଶ୍ରୀମନ୍ଦିର ଆଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ହୁଣ୍ଡି ଟଙ୍କା ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ହେବା କଥା। ଆଇନରେ ବ୍ୟବସ୍ଥା ସତ୍ତ୍ୱେ ଉଲ୍ଲଂଘନ ଅଧିକାର କିଏ ଦେଲା ? ତୁରନ୍ତ ସେହି ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ। ସେହିପରି ଧାରା ୭(୪) ଅନୁସାରେ ଫାଉଣ୍ଡେସନ ଫଣ୍ଡ ଟଙ୍କା କେଉଁ ବ୍ୟାଙ୍କରେ ଜମା ହେବ ସରକାର ସେ ନିଷ୍ପତ୍ତି ନେବା କଥା। ଯଦି ସରକାର ଅନୁମତି ଦେଇଛନ୍ତି, ତେବେ ସରକାର ଦାୟୀ, ନହେଲେ ମନ୍ଦିର ପ୍ରଶାସନ ଦାୟୀ।

ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଯାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମହାପାତ୍ର କହିଥିଲେ ଯେ ସେଥିପାଇଁ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ନେଉଛି। କେବଳ କେନ୍ଦ୍ର ସରକାର କିମ୍ବା ରିଜର୍ଭ ବ୍ୟାଙ୍କ ଚାହିଁଲେ ଜଗନ୍ନାଥଙ୍କ ଟଙ୍କା ଫେରିପାରିବ। ଆମକୁ ତାରିଖ ନ ଦେଖେଇ ତୁରନ୍ତ ସ୍ବତନ୍ତ୍ର ଅନୁମତି ବଳରେ ଶ୍ରୀମନ୍ଦିର ପାଣ୍ଠି ଟଙ୍କା ଫେରାଇବାକୁ ସରକାର ଚେଷ୍ଟା କରନ୍ତୁ। ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବ ତୁରନ୍ତ ଯାଇ ଆଲୋଚନା କରନ୍ତୁ। ମାର୍ଚ୍ଚ ୩୧ ସୁଦ୍ଧା ଜଗନ୍ନାଥଙ୍କ ଟଙ୍କାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଦେଖିବାକୁ ଚାହୁଁଛୁ।

ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ଶ୍ରୀ ମିଶ୍ର ଆହୁରି ଶାଣିତ ଭାଷାରେ ସରକାରଙ୍କୁ ସମାଲୋଚନା କରିଥିଲେ। କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖିବା ଲାଗି କିଏ ଅନୁମତି ଦେଇଛନ୍ତି? ଯଦି ସରକାର ଅନୁମତି ଦେଇନାହାନ୍ତି, ତେେବ କାହିଁକି ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି? ସରକାର ଲୋକଙ୍କୁ ଭୁଲ ତଥ୍ୟ ଦେଉଛନ୍ତି େବାଲି ଅଭିଯୋଗ ଆଣି ଶ୍ରୀ ମିଶ୍ର କହିଛନ୍ତି ଯେ ସାଧାରଣ େଲାକଙ୍କ ଭାବେବେଗ ସଗିତ ଜଡିତ ଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଲୋକେ ଉତ୍ତର ଶୁଣିବେନି? ୟେସ୍ ବ୍ୟାଙ୍କ ଦେବାଳିଆ େହାଇଯାଇଛି, ଏହା ଆଜିର ଖବର ନୁହେଁ। ତିରୁପତିରେ ପାଖାପାଖି ୧୪୦୦ କୋଟି ଟଙ୍କା ତାଙ୍କ ସରକାର ଉଠାଇ ନେଲେ। ଆମ ସରକାର ଜାଣିପାରିଲେନି? ଯଦି ନ ଜାଣିପାରିଲେ, ତେବେ କ୍ଷମତାରେ ରହିବାର ଅଧିକାର ନାହିଁ। ଯଦି ଜାଣିବି ଉଠାଇଲେ, ତେବେ ଏହା ପଛରେ କିଛି ଅନ୍ୟ ଉଦ୍ଦେଶ୍ୟ ଅଛି। କିଛି ଅର୍ଥ ଲୋଭରେ ମହାପ୍ରଭୁଙ୍କ ସଂପତ୍ତି ସହିତ ଖେଳ ହୋଇପାରିବ ନାହିଁ।

ସେହିଭଳି ପୂର୍ବରୁ ରତ୍ନଭଣ୍ଡାରରେ ରତ୍ନଅଳଙ୍କାର ପ୍ରସଙ୍ଗରେ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା। କଣ ତଦନ୍ତ ହେଲା, କେହି ଜାଣିପାରିଲେ ନାହିଁ। ସରକାରଙ୍କ ପାଖରେ କ୍ଷମତା ଅଛି, ତୁରନ୍ତ ରତ୍ନଭଣ୍ଡାର ଖୋଲି ପୂର୍ବରୁ ଥିବା ତାଲିକା ସହିତ ରତ୍ନ ଅଳଙ୍କାର େମଳ କରାନ୍ତୁ। ସାନି ତାଲିକା ପ୍ରସ୍ତୁତ କରାଯାଉ। ରାଜ୍ୟବାସୀ ଆଶଙ୍କା କରୁଛନ୍ତି, ସେଠାରୁ ରତ୍ନ ଅଳଙ୍କାର ଲୁଟ୍ ହୋଇଛି। ସରକାର ଯଦି ଏ ନେଇ ନିରବ ରହିବେ, ତେବେ ବୁଝାପଡିବ ଯେ ଏଥିରେ ସରକାର ସାମିଲ ଅଛନ୍ତି। ସରକାରଙ୍କ ଜାଣତରେ ଲୁଣ୍ଠନ ପାଇଁ ଉଦ୍ୟମ େହାଇଛି। ବିଧାନସଭାରେ ଏହି ପ୍ରସଙ୍ଗ ଉଠିବ ବୋଲି ଶ୍ରୀ ମିଶ୍ର ସୂଚାଇବା ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ୟେସ୍ ବ୍ୟାଙ୍କକୁ ନେଇ ଯେଉଁ ଆଶ୍ବସ୍ତି ଦେଖାଇଛନ୍ତି, ତାହାକୁ ରାଜ୍ୟବାସୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି। ଏହି ସାମ୍ବାଦିନ ସମ୍ମିଳନୀରେ ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ, ଶିବାନନ୍ଦ ରାୟ, କୈଳାଶ ଆଚାର୍ଯ୍ୟ ଓ ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ମତ ରଖି ବିଜେଡି ସାଂସଦ ଅମର ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ ୟେସ୍ ବ୍ୟାଙ୍କ ପୂର୍ବରୁ ଅନ୍ୟ ଜାତୀୟକରଣ ବ୍ୟାଙ୍କ ମଧ୍ୟ ଦେବାଳିଆ ହୋଇଛି। ପୂର୍ବରୁ ଆମେରିକାରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଜଗନ୍ନାଥଙ୍କ ଟଙ୍କା ଫେରି ଆସିବ ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ। ଚେଷ୍ଟା ଚାଲିଛି, ଟଙ୍କା ଫେରି ଆସିବ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ବିଜୟ ମହାପାତ୍ରଙ୍କ ମନ୍ତବ୍ୟର କୌଣସି ଯଥାର୍ଥତା ନାହିଁ। ଏହା ଉପରେ ରାଜନୀତି କରିବା ଠିକ୍ ନୁହେଁ। ମୁଁ ବି ଜଗନ୍ନାଥ ମନ୍ଦିରର ଅଡିଟ୍ କରିଥିଲି। ମୁଁ ଜାଣିଛି, ଯେଉଁ ବ୍ୟାଙ୍କରେ ଅଧିକ ସୁଧ, ସେହିଠାରେ ହିଁ ଟଙ୍କା ରଖାଯାଏ। ନହେଲେ କହି ଥାଆନ୍ତେ, କମ୍ ସୁଧରେ କାହିଁକି ରଖିଲ?

ଅର୍ଥ ସଚିବ ଅଶୋକ କୁମାର ମୀନା କହିଛନ୍ତି, ସେ ଆରବିଆଇ ସହ କଥା ହୋଇଛନ୍ତି। ସେମାନେ କହିଛନ୍ତି ଯେ ସମସ୍ତ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି। ସେହି ନ୍ୟାୟରେ ଜଗନ୍ନାଥଙ୍କ ଟଙ୍କା ମଧ୍ୟ ସୁରକ୍ଷିତ। ତଥାପି ଶ୍ରୀମନ୍ଦିର ପ୍ରଶାସନ କହିଲେ ଆମେ ଆରବିଆଇକୁ ପତ୍ର ଲେଖିବୁ। ଶ୍ରୀ ମୀନା କହିଥିଲେ, ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କାର ଅବଧି ପୂରିଗଲେ ଏହାକୁ ଉଠାଇବାକୁ ଅନୁରୋଧ କରିବୁ। ଶ୍ରୀ ମନ୍ଦିର ପ୍ରଶାସନ ସ୍ବୟଂଶାସିତ ଅନୁଷ୍ଠାନ। ଯେଉଁଠି ଅଧିକ ସୁଧ ସେଠି ସେମାନେ ପଇସା ରଖିପାରିବେ। ଅର୍ଥ ବିଭାଗ କେବଳ ପରାମର୍ଶ ଦେଇଥାଏ ବୋଲି ଶ୍ରୀ ମୀନା କହିଥିଲେ।

ସମ୍ବନ୍ଧିତ ଖବର