ଜେଏସ୍‌ଡବ୍ଲୁ ଖଣି ଜନଶୁଣାଣିକୁ ସବୁ ବର୍ଗର ବିରୋଧ: ‘ଜୀବନ ଦେଇଦେବୁ, ଜମି ଦେବୁନାହିଁ’

ଲୋକଙ୍କ କଥା ଶୁଣିବାକୁ କମ୍ପାନିର ଆନ୍ତରିକତା ନାହିଁ!

ରାଉରକେଲ: ଜମି ଅଧିଗ୍ରହଣକୁ ନେଇ କୁତ୍ରା ବ୍ଲକ୍‌ର ଖତକୁରବାହାଲ ଗାଁରେ ଭୀଷଣ ପରିସ୍ଥିତି ଉପୁଜିବା ଆଶଙ୍କା ଦେଖା ଦେଇଛି। ଜେଏସ୍ ଡବ୍ଲୁର ଜମି ଅଧିଗ୍ରହଣକୁ ନେଇ ପୂର୍ବରୁ ଆଦିବାସୀ ତାତିଥିବା ବେଳେ ବର୍ତ୍ତମାନ ସବୁ ବର୍ଗର ଲୋକ ଏକାଠି ହୋଇଛନ୍ତି। ଜେଏସ୍‌ଡବ୍ଲୁ ଅଧିକୃତ ଶିବା ସିମେଣ୍ଟର ଚୂନପଥର ଖଣି ପାଇଁ ଜୁନ ୬ ତାରିଖରେ ଜନଶୁଣାଣି ଅନୁଷ୍ଠିତ ହେବବୋଲି ପ୍ରଶାସନ ନୋଟିସ ଜାରି କରିଛି। ଏହାକୁ ଗ୍ରାମବାସୀ ପ୍ରବଳ ବିରୋଧ କରିବେ ବୋଲି ସୂଚନା ମିଳିଛି। ଦଲାଲଙ୍କ ସାହାଯ୍ୟରେ କମ୍ପାନି ଶାଗମାଛ ଦରରେ ଜମି କିଣିନେବାକୁ ବସିଥିବା ଅଭିଯୋଗ କରିଛନ୍ତି ଖତକୁରବାହାଲ ଓ ଫଲସାକାନି ଗ୍ରାମବାସୀ। ପୂର୍ବରୁ ଖଣି ସଂପ୍ରସାରଣ ପାଇଁ ଜମି ଚିହ୍ନଟ ସମୟରେ ଆନ୍ଦୋଳନକାରୀ ପ୍ରବଳ ବିରୋଧ କରିଥିଲେ। ସେ ସମୟରେ କମ୍ପାନି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ ବୁଡାକଟା ଗାଁର ଡମ୍ବରୁଧର ସେଠଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଣି ସମାନ ପରିସ୍ଥିତି ଦେଖାଦେଲାଣି। କମ୍ପାନିର ଖଣି ସଂପ୍ରସାରଣ ପାଇଁ ହେବାକୁଥିବା ଜନଶୁଣାଣିକୁ ସବୁ ବର୍ଗର ସାଧାରଣ ଲୋକଙ୍କ ସହ ସବୁ ରାଜନୈତିକ ଦଳର ନେତା ମିଶି ବିରୋଧ କରିବା ଆରମ୍ଭ କରିଦେଇଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଖତକୁରବାହାଲ ମୁଖ୍ୟତଃ ହେଉଛି ଏକ ସଂଖ୍ୟାଲଘୁ ସଂପ୍ରଦାୟର ଗାଁ। ପିଢ଼ି ପିଢ଼ି ଧରି ଗାଁରେ ରହି ଆସୁଥିବା ଏହି ଲୋକଙ୍କର ଏକାଧିକ ଧର୍ମୀୟ ସ୍ଥଳୀ ଏଠାରେ ରହିଛି। ଖଣି ସଂପ୍ରସାରଣ ହେଲେ ଏସବୁ କିଛି ରହିବ ନାହିଁ। ସେଥିପାଇଁ ଉକ୍ତ ଲୋକମାନେ ଗାଁକୁ ଛାଡ଼ି ଯିବାଲାଗି କୌଣସି ପ୍ରକାର ରାଜି ହେଉ ନାହାନ୍ତି । ଏହି ମାଟି ସହିତ ତାଙ୍କର ଭାବଗତ ସଂପର୍କ ରହିଛି, ତେଣୁ ‘ଜୀବନ ଦେଇଦେବୁ, ଜମି ଦେବୁନାହିଁ’ ବୋଲି ସେମାନେ କମ୍ପାନି ବିରୋଧୀଙ୍କ ସହିତ ସ୍ବର ମିଳାଇଛନ୍ତି। ଶନିବାର ସନ୍ଧ୍ୟାରେ ଖତକୁରବାହାଲ ଗାଁରେ ଗ୍ରାମବାସୀଙ୍କର ଏକ ବଡ ଧରଣର ବୈଠକ ହୋଇଥିଲା। ଶତାଧିକ ଗ୍ରାମବାସୀ ଉପସ୍ଥିତ ହୋଇ ଜେଏସ୍‌ଡବ୍ଲୁ ଖଣିର ଜନଶୁଣାଣିକୁ ଜୋରଦାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ସେମାନେ ‘‘ଜାନ୍ ଦେ ଦେଙ୍ଗେ, ଜମିନ୍ ନହିଁଦେଙ୍ଗେ’’ ବୋଲି ହୁଙ୍କାର ଦେଇଥିଲେ। ଏହାକୁ ନେଇ କଂଗ୍ରେସର ରାଜଗାଙ୍ଗପୁର ବିଧାୟକ ଡ. ରାଜେନ ଏକ୍କା ମଧ୍ୟ ମୁହଁ ଖୋଲି ସେଇ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, ‘‘ମୁଁ ଲୋକଙ୍କ ସହିତ ଅଛି। ଲୋକେ ଯାହା କହିବେ, ମୁଁ ମଧ୍ୟ ତାହା କହିବି।’’

ଏସବୁ ଭିତରେ ଗୋଟିଏ ବିଚିତ୍ର କଥା ଦେଖିବାକୁ ମିଳିଛି। ବିରୋଧ ଓ ଉତ୍ତେଜନା ଶୀର୍ଷରେ ପହଞ୍ଚିଥିଲେ ହେଁ ଏହାକୁ ସମାଧାନ କରିବାଲାଗି ଏଯାଏ କମ୍ପାନି ଆଦୌ ଆନ୍ତରିକ ଉଦ୍ୟମ କରିନାହିଁ ବୋଲି ଅଭିଯୋଗ ହେଉଛି। ଅତିକମ୍‌ରେ ଯେଉଁମାନେ ଜମି ହରାଇବାକୁ ଯାଉଛନ୍ତି, ବା ପ୍ରଭାବିତ ହେବାକୁ ଯାଉଛନ୍ତି, କମ୍ପାନି ସେମାନଙ୍କ ସହିତ ଦିନଟିଏ ମଧ୍ୟ ବସି ଆଲୋଚନା କରିନାହିଁ ବୋଲି ଲୋକେ କହୁଛନ୍ତି। ଖତକୁରବାହାଲ ପଞ୍ଚାୟତରେ ଜେଏସ୍‌ଡବ୍ଲୁ ଚୂନପଥର ଖଣି ପାଇଁ ୨୪୮.୮୮ ଏକର ଜମି ଅଧିଗ୍ରହଣ କରିବାକୁ ଥିବାବେଳେ ଖତକୁରବାହାଲ ଗାଁର ୨୨୬.୦୮ ଏକର ଓ ଫଲସାକାନିର ୨୨.୮୦ ଏକର ଜମି ଦେବାଲାଗି ଗ୍ରାମବାସୀ ତଥା ଅଞ୍ଚଳର ଆଦିବାସୀ ରାଜି ହେଉ ନାହାନ୍ତି।

ଗ୍ରାମବାସୀ ଅଭିଯୋଗ କରୁଛନ୍ତି, ଜେଏସ୍‌ଡବ୍ଲୁ ସ୍ଥାନୀୟ ଆଦିବାସୀଙ୍କୁ ସମସ୍ତ ସୁବିଧା ଓ ବିକାଶ ପ୍ରତିଶ୍ରୁତି ଦେଇ ଭଣ୍ଡିବା ସହ ଶୋଷଣ କରିଚାଲିଛି। ଅନ୍ୟପଟେ ଲୋକେ ଯେ କେବଳ ଖଣି ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି, ତାହା ନୁହେଁ; ତେଲିଘଣାସ୍ଥିତ କମ୍ପାନିର କାରଖାନାକୁ ମଧ୍ୟ ବିରୋଧ କରୁଛନ୍ତି। ଯାହା ଉଭୟ ପ୍ରଶାସନ ଓ କମ୍ପାନି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏକପାଖିଆ ଜନଶୁଣାଣି ନକରି ପ୍ରଶାସନ ଓ କମ୍ପାନି ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର