ଭୁବନେଶ୍ବର : ଧାନ କିଣାକୁ ନେଇ ପଶ୍ଚିମ ଓଡ଼ିଶାରେ ଚାଷୀମାନେ ରାସ୍ତାକୁ ଓହ୍ଲାଇଥିଲା ବେଳେ ବିଧାନସଭା ବି ଆଜି ହୁଲସ୍ତୁଲ ହୋଇଛି। ଗତକାଲି ଟୋକନ୍ ବ୍ୟବସ୍ଥା ସମ୍ପର୍କରେ ସମବାୟ ମନ୍ତ୍ରୀ ଗୃହରେ ଯେତେ ବୁଝାଇଥିେଲ ବି ବିରୋଧୀଙ୍କ ଉପରେ ତାହାର ପ୍ରଭାବ ପଡ଼ି ନାହିଁ। ଆଜି ପୁଣି ବିଜେପି ଓ କଂଗ୍ରେସ ମିଳିତ ଭାବେ ସରକାରଙ୍କୁ ଘେରିଛନ୍ତି। ଉଭୟ ଦଳର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରି ବିଧାନସଭା ଚଳାଇବା ସମ୍ଭବ ହୋଇ ନ ଥିଲା। ବାରମ୍ବାର ଗୃହ ମୁଲତବୀ ହୋଇଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା, ଖର୍ଚ୍ଚଦାବି ଆଲୋଚନା କିଛି ସମ୍ଭବ ହୋଇ ନ ଥିଲା। ସର୍ବଦଳୀୟ ବୈଠକ ବି ବିଫଳ ହୋଇଥିଲା।
ଆଜି କଂଗ୍ରେସ ପକ୍ଷରୁ ପ୍ରଥମେ ଧାନ କିଣା ପ୍ରସଙ୍ଗ ଉଠାଯାଇଥିଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ଧାନ କିଣା ଅବ୍ୟବସ୍ଥା ନେଇ ହୋହଲ୍ଲା କରିଥିଲେ। ରାଜ୍ୟରେ ନାରୀ ନିର୍ଯାତନା ଓ ଖଣିଜ ସମ୍ପଦ ଚୋରା ଚାଲାଣ ବନ୍ଦ କରିବାକୁ ଦାବି କରିଥିଲେ। ପ୍ରଶ୍ନକାଳ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଅଡ଼ି ବସିଥିଲେ। ବାଚସ୍ପତି ସେମାନଙ୍କୁ ବସିବା ପାଇଁ ଅନୁରୋଧ କରି ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ କଂଗ୍ରେସ ସଭ୍ୟମାନେ ଅନୁରୋଧ ନ ଶୁଣି ହୋହଲ୍ଲା ଜୋର୍ଦାର୍ କରିଥିଲେ। ବିଧାୟକ ସନ୍ତୋଷ ସିଂହ ସାଲୁଜା, କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ରମେଶ ଜେନା, ଦାଶରଥୀ ଗମାଙ୍ଗ ପ୍ରମୁଖ ହଟ୍ଟଗୋଳ କରିବାରୁ ବାଧ୍ୟ ହୋଇ ବାଚସ୍ପତି ୧୦ଟା ୩୧ରେ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।
୧୧ଟା ୩୦ରେ ଗୃହର ଦୃଶ୍ୟ ସମାନ ରହିଲା। ପ୍ରତିବାଦର ସ୍ବର ଆହୁରି ଶାଣିତ ହେଲା। କଂଗ୍ରେସ ସହ ବିଜେପି ସଭ୍ୟ ଏବଂ ସିପିଏମ୍ ସଭ୍ୟ ବି ଗୃହ ମଧ୍ୟ ଭାଗକୁ ଚାଲି ଆସିଲେ। ଚେୟାର ଉପରେ ଠିଆ ହୋଇ ସରକାରଙ୍କ ବିରୋଧରେ ନାରାବାଜି କଲେ। ତୁରନ୍ତ ଧାନ କିଣିବାକୁ ଦାବି କଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ୧୧ଟା ୩୧ରେ ଗୃହକୁ ୧୨ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୧୨ଟା ୩୦ରେ ଆଉ ୧୦ ମିନିଟ୍ ପାଇଁ ମୁଲତବୀ ରଖାଗଲା। ତାହା ପରେ ଅପରାହ୍ନ ୩ଟା ଯାଏ ମୁଲତବୀ ରହିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଥିଲେ ବି ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ କିଛି ବାଟ ବାହାରିପାରି ନ ଥିଲା।
ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବୈଧାନିକ ପ୍ରଶ୍ନ ଉତ୍ଥାପନ କରି ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ଧାନ ବିକ୍ରି କରି ନ ପାରି ଚାଷୀ ଆନ୍ଦୋଳନରେ ବସିଛନ୍ତି। ଦୁଇଦିନ ହେଲାଣି ଗୃହରେ ନିର୍ଦିଷ୍ଟ ଭାବେ ପ୍ରଶ୍ନ ପଚାରିଲେ ଉତ୍ତର ମିଳୁନି। ବଲାଙ୍ଗୀର ବାଇପାସ୍ ରାସ୍ତା ନେଇ ମଧ୍ୟ ଦୁଇଦିନ ହେଲାଣି ସେଠାରେ ଆନ୍ଦୋଳନ ଚାଲିଛି। ଏହି ପ୍ରସଙ୍ଗରେ ଗୃହ ଭିତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଗଲା। ଗୃହ ବାହାରେ ପୂର୍ତ୍ତମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି କିଛି ପଦକ୍ଷେପ ନିଆଗଲାନି। ଶ୍ରୀପଦ୍ଧତିରେ ଧାନ ଚାଷ ପାଇଁ ଚାଷୀମାନଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହି ପଦ୍ଧତିରେ ହେକ୍ଟର ପିଛା ୪୦ କ୍ବିଣ୍ଟାଲ ଧାନ ଉତ୍ପାଦନ ହେଉଛି। କିନ୍ତୁ ଚାଷୀଙ୍କଠୁ ସରକାର ୧୩ କ୍ବିଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ କରିଛନ୍ତି। ବାକି ଧାନକୁ ଚାଷୀ କଣ କରିବ? ଏ ନେଇ ଗତକାଲି ଯୋଗାଣ ଓ ସମବାୟ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାରେ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦିଷ୍ଟ ଭାବେ ପ୍ରଶ୍ନ ପଚାରିଲେ ବି ଉତ୍ତର ମିଳିଲାନି। ବାଧ୍ୟ ହୋଇ ଉତ୍ପାଦନ ଖର୍ଚ୍ଚ ଭରଣା କରିବାକୁ ମିଲର ଓ ଦଲାଲମାନଙ୍କୁ ଚାଷୀ ତାର ବଳକା ଧାନ ବିକ୍ରି କରୁଛି। ଏପରି କରି ସରକାର ଚାଷୀଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ବାଧ୍ୟ କରୁଛନ୍ତି। ଟୋକନ୍ ବ୍ୟବସ୍ଥା ଯୋଗୁ ଆଜି ମିଲରମାନଙ୍କ ଗୋଦାମରେ ଗଦା ଗଦା ଧାନ ବସ୍ତା ଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଧାନ ଚାଷୀଙ୍କ ସମସ୍ୟା ନେଇ ଗୃହର ଅଚଳାବସ୍ଥା ଦୂର କରିବାକୁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଲେ। କିନ୍ତୁ ବିଭାଗୀୟ ମନ୍ତ୍ରୀ ଓ ସଚିବ ବୈଠକକୁ ଆସିଲେନି।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇ କହିଥିଲେ ଯେ ଯାଜପୁରର ଭିଏଲ୍ଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟ ରହସ୍ୟ ନେଇ ଏ ଗୃହରେ ଆଲୋଚନା ହେଲା। କିନ୍ତୁ ଫଳ ଶୂନ୍। ଏହି ଘଟଣାରେ ପୁଲିସ ବିରୋଧରେ ତଦନ୍ତ କରିବା ନେଇ ମଧ୍ୟ ଦାବି ହେଲା। କିନ୍ତୁ ଏବେ ସୁଦ୍ଧା କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ତା’ ହେଲେ ବିଧାନସଭାରେ ଆଲୋଚନା କରିବାରେ ମୂଲ୍ୟ କ’ଣ ଅଛି? ବିଧାନସଭାରେ ଲୋକଙ୍କ ସ୍ବାର୍ଥ ପାଇଁ ଆଲୋଚନା କରାଯିବ ନା ସରକାରଙ୍କ ବିକାଶ ଏଜେଣ୍ଡା ପାଇଁ ଆଲୋଚନା କରାଯିବ ତାକୁ ନେଇ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଥିଲେ।
ଶ୍ରୀ ମିଶ୍ର କହିସାରିଲା ପରେ ପୁଣି କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଚାଷୀଙ୍କ ସ୍ବାର୍ଥ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ସେମାନଙ୍କ ହୋହଲ୍ଲା ଯୋଗୁ ବାଚସ୍ପତି ୩ଟା ୨୪ରେ ଗୃହକୁ ଏକ ଘଣ୍ଟା ପାଇଁ ମୁଲତବୀ ଘୋଷଣା କଲେ। ୪ଟା ୨୪ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀମାନେ ପୁଣି ଗୃହ ମଧ୍ୟ ଭାଗକୁ ଆସିଥିଲେ। ହୋହଲ୍ଲା ମଧ୍ୟରେ ବାଚସ୍ପତି ରାଜସ୍ବ ମନ୍ତ୍ରୀଙ୍କୁ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଗତ କରିବା ପାଇଁ ଡାକିଥିଲେ। ମନ୍ତ୍ରୀ ଖର୍ଚ୍ଚଦାବି ଆଗତ ପରେ ଶାସକ ଦଳ ସଭ୍ୟ ଅନନ୍ତ ଦାସ ଆଲୋଚନା ଆରମ୍ଭ କରିଥିଲେ। ତେବେ ବିରୋଧୀଙ୍କ ନାରାବାଜିରେ ଅଧିକ ସମୟ ଗୃହ ଚଳାଇବା ସମ୍ଭବ ନ ଥିଲା। ୪ଟା ୩୦ରେ ଅଧ ଘଣ୍ଟା ପାଇଁ ଗୃହକୁ ମୁଲତବୀ ରଖାଗଲା। ୫ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ଅନନ୍ତ ଦାସ ଆଲୋଚନା ଜାରି ରଖିଥିଲେ। କିନ୍ତୁ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପୋଡିୟମ୍ ଉପରକୁ ଉଠି ନାରାବାଜି କରିଥିଲେ। ଏହି ହୋହଲ୍ଲା ଭିତରେ ରାଜସ୍ବ ବିଭାଗର ୫୪ କୋଟି ୮୭ ଲକ୍ଷ ୫୦ ହଜାର ଟଙ୍କାର ଅତିରିକ୍ତ ଖର୍ଚ୍ଚଦାବି ଗୃହର ଅନୁମୋଦନ ଲାଭ କରିଥିଲା। ୫ଟା ୬େର ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।