ଭୁବନେଶ୍ବର: କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭାରୁ ନିଲମ୍ବିତ କରାଯିବା ଘଟଣାକୁ ନେଇ ବିରୋଧୀ ଦଳମାନେ ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟର ଡବଲ୍‌ ଇଞ୍ଜିନ୍‌ ସରକାର ଗଣତନ୍ତ୍ରର କଣ୍ଠରୋଧ କରୁଥିବା ଅଭିଯୋଗ କରିଛନ୍ତି। ତେଣୁ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଲାଗି ବିରୋଧୀ ଦଳମାନେ ଦାବି କରିଛନ୍ତି। ସିପିଆଇ(ଏମ୍‌ଏଲ୍‌) ରାଜ୍ୟ କମିଟି ସଦସ୍ୟ ମହେନ୍ଦ୍ର ପରିଡ଼ା କହିଛନ୍ତି, ବିଧାନସଭା ଗୃହକୁ ପରିଚାଳନା କରିବାର ପ୍ରାଥମିକ ଓ ସାମ୍ବିଧାନିକ ଦାୟିତ୍ୱ ହେଉଛି ସରକାରୀ ଦଳର। ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେବା ଉଚିତ। ସଂସଦୀୟ ବ୍ୟବସ୍ଥାରେ ବିରୋଧୀ ଦଳ ହେଉଛି ଜାଗ୍ରତ ପ୍ରହରୀ। ସେମାନଙ୍କ ଦାବିକୁ ସରକାର କର୍ଣ୍ଣପାତ ନ କରି ନିଲମ୍ବନ କରିବା ଅସାମ୍ବିଧାନିକ। ଦଳ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରାଯାଉଛି। ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଉ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ବାଭାବିକ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରନ୍ତୁ। ବିଧାନସଭା ଭିତରକୁ ପୂର୍ବତନ ବିଧାୟକମାନେ ପ୍ରବେଶ କରିବା ଆଇନ ସମ୍ମତ। ବିଜେପି ଗଣତନ୍ତ୍ର ଓ ଆଇନର ଶାସନକୁ ହତ୍ୟା କରୁଛି ବୋଲି ଶ୍ରୀ ପରିଡ଼ା କହିଛନ୍ତି। 

Advertisment

ସେହିପରି ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତିରଂଜନ ମହାପାତ୍ର କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ବିଧାନସଭାରେ ବିରୋଧୀ କଂଗ୍ରେସ ବିଧାୟକମାନେ ଏକ ଗୃହ କମିଟି ଗଠନ କରି ଏହା ଉପରେ ଆଲୋଚନା ପାଇଁ ଦାବି କରିଆସୁଛନ୍ତି। ସରକାରୀ ଦଳ ଏହି ଦାବିକୁ ଗ୍ରହଣ କରିବା ପରିବର୍ତ୍ତେ କଂଗ୍ରେସ ବିଧାୟକମାନଙ୍କୁ ନିଲମ୍ବନ କରିଛନ୍ତି। ଯାହା ସଂସଦୀୟ ଗାଣତନ୍ତ୍ରିକ ବ୍ୟବସ୍ଥାରେ ଏକ କଳା ଅଧ୍ୟାୟ। ଶାସକ ବିଜେପି ଦଳ ନିଜର ଏକଛତ୍ରବାଦୀ-ଫାଶୀବାଦୀ ମାନସିକତା କାରଣରୁ ଏଭଳି ଅସାମ୍ବିଧାନିକ ଓ ଅଗାଣତନ୍ତ୍ରିକ କାର୍ଯ୍ୟ କରୁଛି। ରାତି ଅଧରେ କଂଗ୍ରେସ ବିଧାୟକମାନଙ୍କୁ ରାସ୍ତା ଉପରେ ଛାଡ଼ିବା ଭଳି ଘଟଣାକୁ ଫରୱାର୍ଡ ବ୍ଲକ୍ ପକ୍ଷରୁ ନିନ୍ଦା କରାଯାଇଛି। ଆଜି ସକାଳେ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ କଂଗ୍ରେସ ବିଧାୟକମାନେ ଶୋଇଥିବା ମାଷ୍ଟରକ୍ୟାଣ୍ଟିନ ଛକ ନିକଟସ୍ଥ ମହାତ୍ମା ଗାନ୍ଧୀ ମାର୍ଗକୁ ଯାଇ ବରିଷ୍ଠ କଂଗ୍ରେସ ବିଧାୟକଙ୍କୁ ଭେଟିଥିଲେ। ଗାଣତନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ କଂଗ୍ରେସ ଚଳାଇଥିବା ସଂଗ୍ରାମ ପ୍ରତି ନୈତିକ ସମର୍ଥନ ଜଣାଇଥିଲେ। 

ଅପରପକ୍ଷରେ ରାଜ୍ୟ ସିପିଆଇ ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ଡବଲ୍‌ ଇଞ୍ଜିନ୍‌ ସରକାର ସଂସଦୀୟ ଗଣତନ୍ତ୍ରର କଣ୍ଠରୋଧ କରୁଛନ୍ତି। ରାଜ୍ୟରେ ନାରୀ ନିର୍ଯାତନା, ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ି ଚାଲିଥିବା ବେଳେ ଗୃହ ବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେଇନାହାନ୍ତି। ମାତ୍ର ଆକ୍ରୋଶମୂଳକ ଭାବେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ବିଧାନସଭା ଭିତରେ ପୁଲିସର ପ୍ରବେଶ ବିଜେପିର ଅତୀତର କଳଙ୍କିତ ଇତିହାସକୁ ମନେ ପକାଇ ଦେଇଛି। ସଂସଦୀୟ ଗଣତନ୍ତ୍ରର ହତ୍ୟା ଘଟଣାରେ ସିପିଆଇ ନିରବ ଦ୍ରଷ୍ଟା ସାଜିବ ନାହିଁ। ଖୁବ୍‌ଶୀଘ୍ର ସମସ୍ତ ବାମପନ୍ଥୀ ଦଳଙ୍କ ପକ୍ଷରୁ ଗଣତନ୍ତ୍ରର ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ ହେବ ବୋଲ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ପୁର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ ଓ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି।