ରାଜ୍ୟ ବିଜେପିର ପ୍ରଶ୍ନ: ‘ବନ୍ଦେ ଉତ୍କଳ ଜନନୀ..’କୁ ପ୍ରଦେଶ ସଙ୍ଗୀତ ମର୍ଯ୍ୟାଦା ମିଳିନି କାହିଁକି

ଭୁବନେଶ୍ୱର : ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା ପାଇଛି। ୨୦୦୩ରୁ ‘ବନ୍ଦେ ଉତ୍କଳ ଜନନୀ..’ ଗୀତକୁ ପ୍ରଦେଶ ସଙ୍ଗୀତର ମର୍ଯ୍ୟାଦା ପ୍ରଦାନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁବାର ରାଜ୍ୟ ସରକାରଙ୍କ ସହିତ ଆଲୋଚନା ମଧ୍ୟ ହୋଇଛି। ଆଞ୍ଚଳିକ ଦଳ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ବିଜେଡି ଦୀର୍ଘ ଦିନ ଧରି କ୍ଷମତାରେ ଥିଲେ ବି ବର୍ତମାନ ସୁଦ୍ଧା ଏହି ଗୀତକୁ କାହିଁକି ପ୍ରଦେଶ ସଙ୍ଗୀତ ମର୍ଯ୍ୟାଦା ମିଳିନାହିଁ ବୋଲି ରାଜ୍ୟ ବିଜେପି ପ୍ରଶ୍ନ ପଚାରିଛି। ଏ ନେଇ ଏକ ପ୍ରେସ୍‌ ବିବୃତିରେ ଦଳୀୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ପ୍ରଶ୍ନ କରିଛନ୍ତି ଯେ ବର୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ କାହିଁକି ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବେ ଦୁଃଖ ଓ ପରିତାପର ବିଷୟ। ଏ ନେଇ ମୁଖ୍ୟମନ୍ତ୍ରୀ ଓ ବିଜେଡି ସମଗ୍ର ଓଡ଼ିଆ ଓ ଓଡ଼ିଶାବାସୀଙ୍କ ପ୍ରତି ଥିବା ଆନ୍ତରିକତାକୁ ସ୍ପଷ୍ଟ କରିଥିବା ସେ କହିଛନ୍ତିି। ତିଳେ ମାତ୍ର ଆନ୍ତରିକତା ଥିଲେ ରାଜ୍ୟ ସରକାର ତୁରନ୍ତ ବିଜ୍ଞପ୍ତି ମାଧ୍ୟମରେ ‘ବନ୍ଦେ ଉତ୍କଳ ଜନନୀ..’ ଗୀତକୁ ପ୍ରଦେଶ ସଙ୍ଗୀତର ମର୍ଯ୍ୟାଦା ପ୍ରଦାନ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତିି।

ସମ୍ବନ୍ଧିତ ଖବର