କଟକରେ ୨୨ ଦିନ ଧରି ନାବାଳିକା ସହ ଦୁଷ୍କର୍ମ କରିବା ଘଟଣା : ସରକାରଙ୍କୁ ଘେରିଲେ ବିରୋଧୀ

ମହିଳାଙ୍କୁ ସୁରକ୍ଷା ନ ଦେଇପାରିଲେ ଗାଦି ଛାଡ଼: ବିଜେପି
ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦିଅ: କଂଗ୍ରେସ

ଭୁବନେଶ୍ୱର : କଟକର ଚାଉଳିଆଗଞ୍ଜ ଗତିରାଉତ ପାଟଣାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟରେ ନାବାଳିକା ଓ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ। ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳାଙ୍କ ସୁରକ୍ଷା ଦିଗରେ କୌଣସି କଠୋର ଆଇନ ରାଜ୍ୟରେ ଲାଗୁ ହୋଇ ନ ଥିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ମହିଳାଙ୍କ ପ୍ରତି ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ଉଦାସୀନ ମନୋଭାବ ଯୋଗୁଁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ମହିଳାଙ୍କ ସହ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାକୁ କଟକରେ କିଛି ଦୁର୍ବୃତ୍ତ ୨୨ ଦିନ ଧରି ଦୁଷ୍କର୍ମ କରିବା ଘଟଣା ସରକାର ଓ ପୁଲିସର ମୁଖା ଖୋଲିଦେଇଛି। କମିସନରେଟ ଅଧୀନରେ ଥିବା କଟକ ସହରରେ ୩ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଜଣେ ନାବାଳିକା ସହ ଦୁଷ୍କର୍ମ ହେଉଥିବା ବେଳେ ପୁଲିସ୍ କିପରି ଏ ସମ୍ବନ୍ଧରେ କିଛି ଜାଣିପାରିଲା ନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେବଳ ଏହି ଘଟଣା ନୁହେଁ, ମାଲକାନଗିରି ପୁଲିସ କ୍ୟାଣ୍ଟିନ୍‌ରେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଓ ହତ୍ୟା ଘଟଣା, ବୀରମିତ୍ରପୁର ଥାନା ଭିତରେ ଥାନା ଅଧିକାରୀ ଜଣେ ନାବାଳିକା ଆଦିବାସୀ ଝିଅକୁ ୪ ମାସ ଧରି ଦୁଷ୍କର୍ମ କରିବା ଘଟଣା ସମେତ ଅନେକ ଘଟଣାରେ ରାଜ୍ୟ ସରକାର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଅନ୍ୟ ପଟେ ତିର୍ତ୍ତୋଲ ଉପନିର୍ବାଚନରେ ରାଜ୍ୟ ସରକାର, ପୁଲିସ ଓ ପ୍ରଶାସନ ନିର୍ବାଚନ କିପରି ଶାସକ ଦଳ ଜିତିବ ସେ ନେଇ କାର୍ଯ୍ୟ କରୁଛନ୍ତି। ଶାସକ ଦଳ ମହିଳାଙ୍କୁ ସୁରକ୍ଷା ଦେଇପାରୁ ନ ଥିବାରୁ ତାଙ୍କର ଶାସନ ଦାୟିତ୍ୱରେ ରହିବାର କୌଣସି ଅଧିକାର ନାହିଁ। ମହିଳା ଅପରାଧ ଘଟଣାଗୁଡ଼ିକରେ ରାଜ୍ୟ ମହିଳା କମିସନ୍ ରାଜନୈତିକ ଅଭିସନ୍ଧି ଦେଖି କରି ମୁହଁ ଖୋଲନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଗୃହ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷା ଦିଗରେ ସବୁବେଳେ ନୀରବ ରହିବା ନିନ୍ଦନୀୟ। ତୁରନ୍ତ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ପୋକ୍‌ସୋ ଆକ୍ଟ ଲଗାଇ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରିବାକୁ ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ ଓ କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ ପୁଲିସ୍‌ ପାଖରେ ଅପରାଧୀଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟଭିତ୍ତିକ ଅଭିଯୋଗ ହେବାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କୁ ପୁଲିସ ଧରିବାରେ ବିଫଳ ହୋଇଛି। ସମଗ୍ର ଦେଶରେ ଦଣ୍ଡହାରଠାରୁ ରାଜ୍ୟରେ ଦଣ୍ଡହାର ସର୍ବନିମ୍ନ। ସେଥି ପାଇଁ ଅପରାଧୀମାନେ ଅପରାଧ ଘଟାଇବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ଗତ ୨୦ ବର୍ଷର ଶାସନ କାଳରେ ଅଧିକାଂଶ ଆପରାଧିକ ଘଟଣାରେ ସରକାରୀ ଦଳର କର୍ମୀ ସଂପୃକ୍ତ ଥିବାରୁ ତଦନ୍ତକାରୀ ସଂସ୍ଥା ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ରଖି ଅଭିଯୋଗ ଫର୍ଦ୍ଦ ଦାଖଲ କରୁଛି। ରାଜ୍ୟରେ ପିପିଲିର ବେବିନା, ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ଓ ଆୟୁଷ ଡାକ୍ତରାଣୀ ମାଧବୀଲତା ଘଟଣାରେ ସରକାରୀ ଯେପରି ତଦନ୍ତ କରାଇଲେ ତାହା ରାଜ୍ୟବାସୀ ଭଲ ଭାବେ ଅବଗତ ଅଛନ୍ତି। ତେଣୁ ତିର୍ତ୍ତୋଲ ପୀଡ଼ିତାଙ୍କ କ୍ଷେତ୍ରରେ ଏପରି ଘଟଣାର ପୁନରାବୃତ୍ତି ନ ହେଉ। ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ କରାଇବା ସହ ପରିବାରକୁ ସୁରକ୍ଷା, ପୀଡ଼ିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ମାଗଣା ଶିକ୍ଷା ପ୍ରଦାନ କରିବାକୁ କଂଗ୍ରେସ ଦାବି କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ସାମାଜିକ ସୁରକ୍ଷା ପ୍ରଦାନ କରି ୨୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମୀ ମହାପାତ୍ର, ଜିନେଶ ଦାସ, ନାରାୟଣ ଜେନା ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର