ବିଧାନସଭାରେ ଗର୍ଜିଲେ ବିରୋଧୀ : କରୋନା କାରଣରୁ ସରକାର କୋମାରେ

ଅଣକୋଭିଡ୍ ରୋଗୀଙ୍କୁ କେହି ଦେଖୁନାହାନ୍ତି, ସ୍ଥିତି ଗମ୍ଭୀର
ବାହାର ରାଜ୍ୟକୁ ଗଲେଣି ରୋଗୀ, ସରକାର ନ ପାରିବେ ଯଦି କୁହନ୍ତୁ
ସରକାରୀ ଦଳ କହିଲା, ‘ହୁ’ ପ୍ରଶଂସା କରିଛି, କେନ୍ଦ୍ର ସ୍ବତନ୍ତ୍ର ପ୍ୟାକେଜ୍ ଦେଉ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣ ବାହାରେ। କେନ୍ଦ୍ର ଦେଇଥିବା ଭେଣ୍ଟିଲେଟର ପଡ଼ିରହିଛି। ଡାକ୍ତର ନାହାନ୍ତି। ଥିଲେ ବି ଅଣକୋଭିଡ୍ ରୋଗୀଙ୍କୁ କେହି ଛୁଉଁନାହାନ୍ତି। ସରକାର ଅସତ୍ୟ ତଥ୍ୟ ଦେବାରେ ଲାଗିଛନ୍ତି। ଲୋକେ ଚିକିତ୍ସା ପାଇଁ ଏବେ ପଡ଼ୋଶୀ ରାଜ୍ୟକୁ ଯିବା ଆରମ୍ଭ କଲେଣି। ସରକାର ଏବେ କରୋନା ଜନିତ କୋମାରେ ଆକ୍ରାନ୍ତ। ଆଜି କୋଭିଡ୍ ସଂକ୍ରାନ୍ତରେ ଆସିଥିବା ମୁଲତବୀ ଆଲୋଚନାରେ ବିରୋଧୀ ଦଳର ବିଧାୟକମାନେ ଏଭଳି ଢଙ୍ଗରେ ସରକାରଙ୍କୁ ଶାଣିତ ଆକ୍ରମଣ କରି ବିଧାନସଭା କମ୍ପାଇଥିଲେ। ପୁଳା ପୁଳା ଉଦାହରଣ ରଖି ପ୍ରମାଣ କରିବାକୁ ଚାହିଁଥିଲେ ଯେ କରୋନା ମୁକାବିଲାରେ ସରକାର ଫେଲ୍ ମାରିଛନ୍ତି। ଅନ୍ୟପକ୍ଷରେ କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ସଫଳତା ବର୍ଣ୍ଣନା କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିଭଳି ପ୍ରଶଂସା କରିଛି, ସେ ସଂପର୍କରେ ଶାସକ ଦଳ ସଭ୍ୟମାନେ ବଖାଣିଥିଲେ।

ଆଜି କୋଭିଡ୍ ସଂକ୍ରାନ୍ତରେ ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଲେ, କରୋନା ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହାେଇଛନ୍ତି। ଯେଉଁ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ସେମାନେ ସାଧାରଣ ଲୋକଙ୍କ କଥା ଦୂରେ ଥାଉ ଲୋକ ପ୍ରତିନିଧିଙ୍କ ଫୋନ୍ ଉଠାଉନାହାନ୍ତି। କଳାହାଣ୍ଡି ଆଦି ଜିଲ୍ଲାର ଡାକ୍ତର, କର୍ମଚାରୀଙ୍କୁ ଗଞ୍ଜାମ ଓ ବ୍ରହ୍ମପୁର ପଠାଗଲା। କେବଳ କଣ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ହୋଇଥିଲା? ବର୍ତମାନ ବି ସଂକ୍ରମିତଙ୍କୁ ହସ୍ପିଟାଲରେ ଚିକିତ୍ସା ମିଳୁନି। ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇନଥିବା ବେଳେ ୭/୮ ଦିନରେ ଛାଡି ଦିଆଯାଉଛି। ସେମାନେ ହିଁ ବାହାରକୁ ଆସି ରୋଗର ବିସ୍ତାର କରୁଛନ୍ତି। ସ୍ଥିତି ଏବେ ନିୟନ୍ତ୍ରଣ ବାହାରେ। ଯେତେବେଳେ କରୋନା ଆୟତ୍ତ ଭିତ୍ତିରେ ଥିଲା, ସେବେ ସୁବ୍ରତ ବାଗ୍‌ଚୀ ଭାଗବତ ପଢିବା ଭଳି ପ୍ରତିଦିନ ଭାଷଣ ଦେଉଥିଲେ। ଏବେ ସ୍ଥିତି ଭୟଙ୍କର, ତାଙ୍କର ଆଉ ଦେଖା ନାହିଁ।

ଶ୍ରୀ ନାଏକ କହିଥିଲେ ଯେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସିସିଟିଭି ଲଗାଇବାକୁ ସେ ପ୍ରସ୍ତାବ ଦେଇଥିଲେ। ସରକାର ତାହା କାର୍ଯ୍ୟକାରୀ କଲେ ନାହିଁ। କଳାହାଣ୍ଡି, ସମ୍ବଲପୁର ରୋଗୀ ଏବେ ବୁର୍ଲା ଯାଉନାହାନ୍ତି ବରଂ ରାୟପୁର ଯିବାକୁ ପସନ୍ଦ କରୁଛନ୍ତି। ବ୍ରହ୍ମପୁର ରୋଗୀ ମେଡିକାଲ କଲେଜ ନ ଯାଇ ବିଜୟଵାଡା ଯିବାକୁ ଚାହୁଁଛନ୍ତି। ଏଇଥିପାଇଁ ଯେ ଅଣକୋଭିଡ୍ ରୋଗୀଙ୍କୁ କେହି ଦେଖୁନାହାନ୍ତି। କରୋନା ଯୋଦ୍ଧା ସମ୍ମାନଯୋଗ୍ୟ। ତାଙ୍କ ଭିତରେ ଏପରି କିଛି ଅଛନ୍ତି, ଯେଉଁମାନେ ରୋଗୀ ପାଖକୁ ଯାଉନାହାନ୍ତି। ନର୍ସ ବି ଯାଉନାହାନ୍ତି। ସେ ପ୍ରତିଦିନ ସ୍ବାସ୍ଥ୍ୟମନ୍ତ୍ରୀ ଓ ଅଧିକାରୀଙ୍କୁ ଗୋଟିଏ ଦୁଇଟି ଘଟଣା ସଂପର୍କରେ ହ୍ବାଟସ୍ ଅପ୍, ମେସେଜ୍ କରି ଜଣାଉଛନ୍ତି। ୨୫ଲକ୍ଷ ଟଙ୍କାର ଟେଷ୍ଟିଂ ମେସିନ୍ ୫୦ଲକ୍ଷରେ କିଣାଗଲା। କଟକ-ଭୁବନେଶ୍ବରରେ ଲାଗିଲା। ସମ୍ବଲପୁରରେ କାହିଁକି ଲାଗିବନି? ରାଜ୍ୟରେ କରୋନା ମୁକାବିଲାରେ ୨୨୦୦ କୋଟି ଟଙ୍କା ଖର୍ଚ୍ଚ ହେଲାଣି ବୋଲି ସରକାର କହୁଛନ୍ତି। ଏ ଅର୍ଥରେ କେତେ ଭିତ୍ତିଭୂମି ତିଆରି ହୋଇଛି? କେନ୍ଦ୍ର ସରକାର ୫୬୭ଟି ଭେଣ୍ଟିଲେଟର ଦେଲେ। ସେ ମଧ୍ୟରୁ ୪୨୦ ଲାଗିଲାନି। କୁଆଡେ ଗଲା ଏ ଭେଣ୍ଟିଲେଟର? ଅଣକୋଭିଡ୍ ରୋଗୀଙ୍କ ଅବସ୍ଥା ଏବେ କୋଭିଡ୍ ଠାରୁ ବଳିଗଲାଣି। ତାଙ୍କ ରକ୍ତଚାପ ବି କେହି ମାପୁନାହାନ୍ତି। ହସ୍ପିଟାଲ ଭିତରେ ପୂରାଇ ଦେଉନାହାନ୍ତି। ଏଥିପାଇଁ ଦାୟୀ କିଏ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର କହିଲେ, ସ୍ବାସ୍ଥ୍ୟମନ୍ତ୍ରୀ ଗୃହରେ ଯେତେସବୁ କଥା କହିଛନ୍ତି, ତାହା କାଗଜପତ୍ରରେ ସତ ହୋଇପାରେ, କିନ୍ତୁ ବାସ୍ତବତା ହେଉଛି ଭିନ୍ନ। ପମ୍ଫା ମାଠିଆର ଶବ୍ଦ ବେଶି। ମୁଁ ଏକଥା କହୁନି ଯେ ସ୍ବାସ୍ଥ୍ୟମନ୍ତ୍ରୀ ବା ବିଭାଗୀୟ ସଚିବ କିଛି ଉଦ୍ୟମ କରୁନାହାନ୍ତି ବୋଲି। ଏଠି ବ୍ୟବସ୍ଥା ଫେଲ୍ ମାରିଯାଇଛି। ସରକାର ଏବେ କୋମାରେ। ଏ ମହାମାରୀ ସମୟରେ ଜୀବନ ବଞ୍ଚିବ କିପରି। ୧୮୯୯ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଥିଲେ, ସେତେବେଳେ ପୁରୀ ବଡଦାଣ୍ଡରେ କୁଢ଼ କୁଢ଼ ଶବ ପଡ଼ିଥିଲା। ଉଦାହରଣ ଦେଇ ସେ କହିଥିଲେ, ବଲାଙ୍ଗୀର ମେଡିକାଲ କଲେଜରେ ୨୯ଟି ଭେଣ୍ଟିଲେଟର ବେକାର ହୋଇପଡିଛି। ତାକୁ କାର୍ଯ୍ୟକ୍ଷମ କରାଯାଉନାହିଁ। ସେହିପରି ଜଣେ ରୋଗୀ ପରୀକ୍ଷା ପାଇଁ ଗଲାା, କିନ୍ତୁ ଡାକ୍ତର ତାକୁ ମନା କରିଦେଲେ। ଡାକ୍ତର କହିଲେ, ଜିଲ୍ଲାପାଳ ମନା କରିଛନ୍ତି। ଜିଲ୍ଲାପାଳ କହିଲେ, ଡାକ୍ତରଙ୍କୁ ଏଭଳି ନିର୍ଦେଶ ଦିଆଯାଇନାହିଁ। ଏଭଳି କେତେ ରୋଗୀଙ୍କ ପାଇଁ ପ୍ରଶାସନକୁ ଲୋକ ପ୍ରତିନିଧିମାନେ ଫୋନ୍ କରିବେ। ଶ୍ରୀ ମିଶ୍ର କହିଥିଲେ, ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଅଣକୋଭିଡ୍ ରୋଗୀଙ୍କୁ ଚିକିତ୍ସା ମିଳୁନାହିଁ। ରୋଗୀଙ୍କ ଉପରକୁ ପାଣି ପାଉଚ୍ ଫୋପାଡିବାର ନଜିର ରହିଛି। ସରକାର ଏବେ କରୋନା କୋମାରେ ପୂର୍ଣ୍ଣ ଭାବେ ସଂକ୍ରମିତ ହୋଇଛନ୍ତି। ଏହି କୋମାରୁ ସରକାରଙ୍କୁ ଉଦ୍ଧାର କରିବା ଦରକାର। ଏବେ ବି ସମୟ ଅଛି, ସରକାର ହେଜନ୍ତୁ ଓ ରୋଗୀଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ମିଳିବ, ସେ ନେଇ ଦୃଷ୍ଟି ଦିଅନ୍ତୁ।

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଲେ, ଅଣକୋଭିଡ୍ ରୋଗୀଙ୍କୁ ଆଦୌ ହସ୍ପିଟାଲରେ ଚିକିତ୍ସା କରାଯାଉନାହିଁ। ଏପରିକି ହୃଦ୍‌ରୋଗୀ ମେଡିକାଲକୁ ଗଲେ ତାକୁ ପ୍ରଥମେ କୋଭିଡ୍ ପରୀକ୍ଷା କରିବାକୁ କୁହାଯାଉଛି। ଥରେ ପରୀକ୍ଷା କରାଗଲେ, ଚାରିରୁ ପାଞ୍ଚ ଦିନ ପରେ ରିପୋର୍ଟ ଆସୁଛି। ସେହି ଲୋକଟିର ହୃଦ୍‌ଘାତରେ ପ୍ରାଣ ଯାଉଛି। ପ୍ରତିଦିନ ସମ୍ବଲପୁରରେ ହାରାହାରି ୩ଟି ଶବ ପୋଡ଼ାଯାଇଥାଏ। ଏବେ ଏହି ସଂଖ୍ୟା ୨୨ରେ ପହଞ୍ଚିଛି। ଭୁବନେଶ୍ବର ସତ୍ୟ ନଗର ମଶାଣିରେ ୧୦୦ ଶବ ଦେଖିବାକୁ ମିଳୁଛି। ବିଏମସି କମିସନର କହୁଛନ୍ତି, ଏସବୁ ବାହାର ଲୋକଙ୍କର। ସରକାର ଘୋଷଣା କରିଦିଅନ୍ତୁ ଯେ ଏବେ ଆଉ ସ୍ଥିତି ଆମ ନିୟନ୍ତ୍ରଣରେ ନାହିଁ।

ବିଜେପି ବିଧାୟକ କେ ନାରାୟଣ ରାଓ କହିଥିଲେ ଯେ ସଚିବ ଯାହା ଲେଖିଛନ୍ତି, ମନ୍ତ୍ରୀ ତାକୁ ପଢିଗଲେ। ବାସ୍ତବତା ଭିନ୍ନ। ମନ୍ତ୍ରୀଙ୍କ ଉତ୍ତରରେ କିଛି ସତ୍ୟତା ରଖୁନାହିଁ। କରୋନା ପରିଚାଳନା ତଥ୍ୟ ଲୁଚାଇବାକୁ ସରକାର ଚେଷ୍ଟିତ। ଆରଟିଆଇରେ ବି ମିଳୁନାହିଁ। ଗଜପତି ଅବ୍ୟବସ୍ଥା ସଂପର୍କରେ ସେ ଜିଲ୍ଲାପାଳଙ୍କୁ ତଥ୍ୟ ଦେବାରୁ ଓଲଟା ତାଙ୍କ ଗସ୍ତ ଉପରେ କଟକଣା ଲାଗିଥିଲା। କରୋନାରେ ଆକ୍ରାନ୍ତରେ ସେ ନିଜେ ସୁସ୍ଥ ହୋଇଗଲେ। କିନ୍ତୁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ସେମାନଙ୍କ ତଥ୍ୟ ସରକାର ଦେଉନାହାନ୍ତି। ସରକାର କାହାକୁ ଡରି ବାସ୍ତବ ତଥ୍ୟ ଲୋକଲୋଚନକୁ ଆଣୁନାହାନ୍ତି ତାର ଉତ୍ତର ଗୃହରେ ଦେବା ଉଚିତ୍। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ, ସ୍ଥିତି ବର୍ତମାନ ଭୟାବହ। ଲକଡାଉନ୍ ସମୟରେ ଅଲଗା ଥିଲା। ଏବେ ସେ ସ୍ଥିତି ବଦଳିଯାଇଛି। ଡାକ୍ତର, ନର୍ସ, ପୁଲିସ ଭଲ କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଡାକରାରେ ସମସ୍ତେ ସହଯୋଗ କଲୁ। କିନ୍ତୁ ଜଟଣୀ ଷ୍ଟେସନରେ ଯେଉଁଭଳି ୨ଲକ୍ଷ ପ୍ରବାସୀଙ୍କୁ ଓହ୍ଳାଇଲେ, ତାହା ବଡ଼ ଭୁଲ ଥିଲା। ଏଣୁ ଭୁବନେଶ୍ବର, ଖୋର୍ଧା ସଂକ୍ରମଣରେ ଏକ ନମ୍ବର ପାଲଟିଛି। କେନ୍ଦ୍ର ସରକାରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଲଦହସ ନ ହୋଇ କୋଲ୍ ରୟାଲିଟି, ଜିଏସ୍‌ଟି ପାଉଣା ଆଦି ଆଣନ୍ତୁ। କରୋନାକୁ ମୁକାବିଲା କରି ରାଜ୍ୟବାସୀଙ୍କୁ ବଞ୍ଚାନ୍ତୁ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆଜି ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଅହରହ ସଂଗ୍ରାମ କରୁଛନ୍ତି। ବିଧାନସଭାରେ ସେମାନଙ୍କୁ ପ୍ରଶଂସା କରି ଏକ ପ୍ରସ୍ତାବ ପାରିତ କରାଯାଉ। ସରକାର ସ୍ବାସ୍ଥ୍ୟସେବା ପାଇଁ ଚଳଚଞ୍ଚଳ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ। ଏଣୁ ପ୍ରତିଦିନ ହଜାର ହଜାର ସଂଖ୍ୟରେ ଟେଷ୍ଟିଂ, ଟ୍ରେସିଂ କରାଯାଉଛି ଓ ଟେଲି ମେଡିସିନ୍ ବ୍ୟବସ୍ଥା ହେଉଛି। ବିଜେଡି ବିଧାୟକ ପ୍ରତାପ ଦେବ କହିଲେ, ଗତ ୧୦୦ ବର୍ଷରେ ଏମିିତି କେବେ ହୋଇନଥିଲା। ଇଏ ଏମିତି ଏକ ମହାମାରୀ, ଯାହା ପାଇଁ ଏସଓପି ନାହିଁ। ବିରୋଧୀ ସରକାରଙ୍କୁ ଯେପରି ସମାଲୋଚନା କରୁଛନ୍ତି, ସେମାନେ ଜାଣିବା ଦରକାର ଯେ ଏକ ବର୍ଷ ଚାରିମାସ ଭିତରେ ବାତ୍ୟା, ବନ୍ୟା ଓ ମହାମାରୀ ସହ ରାଜ୍ୟ ସଂଗ୍ରାମ ଚଳାଇଛି। ବିରୋଧୀ କହିବା ସହଜ। ଯେତେବେଳେ କରୋନା ପାଇଁ ମାର୍ଚ୍ଚ ମାସରେ ଗୃହ ମୁଲତବୀ କରାଗଲା, ସେମାନେ ଗାନ୍ଧୀ ମୂର୍ତି ତଳେ ବସିଥିଲେ। ୪ମାସ ଭିତରେ ଲକ୍ଷାଧିକ ଲୋକ ଫେରିଛନ୍ତି। ଜୟନାରାୟଣଙ୍କୁ ସମର୍ଥନ କରି ଶ୍ରୀ ଦେବ କହଲେ, ଅଣକୋଭିଡ୍ ରୋଗୀଙ୍କୁ କେମିତି ଚିକିତ୍ସା ମିଳିବ, ତାହା ସରକାର ଦେଖିବା କଥା। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ କହିଥିଲେ, ଭଲ କାମ କରିଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓଡ଼ିଶା ସରକାରଙ୍କୁ ପ୍ରମାଣପତ୍ର ଦେଇଛି। ଯେଉଁଭଳି ଭାବେ ରାଜ୍ୟ ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ ଅହରହ ଉଦ୍ୟମ କରୁଛନ୍ତି, କେନ୍ଦ୍ର ସ୍ବତନ୍ତ୍ର ପ୍ୟାକେଜ୍ ରାଜ୍ୟକୁ ଦେଉ। ବିଧାୟକ କିଶୋର ମହାନ୍ତି କହିଥିଲେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବାମୀନାଥନ୍ ଲେଖିଛନ୍ତି, ଆଗାମୀ ଦିନରେ ୯୦ ପ୍ରତିଶତ ଲୋକ ସଂକ୍ରମିତ ହେବେ। ଏଣୁ ଏହା ଓଡ଼ିଶା କଣ ଭାରତ ସରକାରଙ୍କ ପାଇଁ ବଡ଼ ଆହ୍ବାନ। କିଭଳି ଲୋକଙ୍କୁ ରକ୍ଷା କରାଯାଇପାରିବ, ସେଥିପାଇଁ ସମସ୍ତେ ସହଯୋଗ କରିବା ଦରକାର।

ସମ୍ବନ୍ଧିତ ଖବର