ଆଇନଶୃଙ୍ଖଳା ନେଇ ବର୍ଷି‌ଲେ ବିରୋଧୀ

ଓଡ଼ିଶାରେ ଚାଲିଛି ଜଙ୍ଗଲ ଶାସନ: ନରସିଂହ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ନାରୀ ନିର୍ଯାତନା। ଏସ୍‌ସି-ଏସଟି ମାମଲା ବି ବଢ଼ୁଛି। ହଜାର ହଜାର ଶିଶୁ ନିଖୋଜ। ସମ୍ପୂର୍ଣ୍ଣ ଭାବେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏଠି ଆଇନର ଶାସନ ନାହିଁ। ଚାଲିଛି ଜଙ୍ଗଲରାଜ। ଆଜି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରି ବିଲ୍‌ ଆଲୋଚନା ବେଳେ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ବିରୋଧୀ। ଜବାବରେ ଶାସକଦଳର ସଦସ୍ୟ କହିଛନ୍ତି, ଆଇନଶୃଙ୍ଖଳା ଠିକ ଅଛି। କରୋନା ମହାମାରୀ ସମୟରେ ରାଜ୍ୟକୁ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍‌ ଯୋଗୁ ରାଜ୍ୟ ଅର୍ଥନୀତି ପୁଣି ଥରେ ଟ୍ରାକକୁ ଫେରିପାରିଛି। ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଫଳରେ ବାରମ୍ବାର ଲୋକେ ତାଙ୍କ ସରକାରଙ୍କୁ ନିର୍ବାଚିତ କରିଆସିଛନ୍ତି।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ଗୃହ ବିଭାଗ ଦାୟିତ୍ବରେ ନିଜେ ମୁଖ୍ୟମନ୍ତ୍ରୀ ଥାଇ ରାଜ୍ୟର ଆଇନ ଶୃଙ୍ଖଳା ଅବସ୍ଥା ନ କହିଲେ ଭଲ। ମହିଳାଙ୍କୁ ସଶକ୍ତ କରିବା ପାଇଁ ଡିଣ୍ଡିମ ପିଟୁଛନ୍ତି। ଅଥଚ ପୁଲିସରେ ମହିଳାଙ୍କ ନିଯୁକ୍ତି ମାତ୍ର ୧୦ ପ୍ରତିଶତ। ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ ମହିଳା ପୁଲିସଙ୍କ ସଂଖ୍ୟା ଯଥେଷ୍ଟ କମ୍‌। ମୁଖ୍ୟମନ୍ତ୍ରୀ ତାଙ୍କ ବିଭାଗକୁ ଆଦୌ ଗୁରୁତ୍ବ ଦିଅନ୍ତି ନାହିଁ।

ବିଜେଡିର ଅମର ଶତପଥୀ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ ଥିବାରୁ କରୋନା ମହାମାରୀ ସମୟରେ ବହୁ ପୁଞ୍ଜି ବିନିଯୋଗକାରୀ ରାଜ୍ୟରେ ପୁଞ୍ଜି ଲଗାଣ କରିଛନ୍ତି। ଏହା ସରକାରଙ୍କ ସଫଳତା ନୁହେଁ ତ ଆଉ କଣ? ପୁରୀ ଐତିହ୍ୟ କରିଡର୍‌, ଏକାମ୍ର କ୍ଷେତ୍ରର ବିକାଶ, ସମ୍ବଲପୁରର ସମଲେଶ୍ବରୀଙ୍କ ସମେତ ଅନ୍ୟ ପ୍ରସିଦ୍ଧ ପୀଠସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅଭିନବ ପଦକ୍ଷେପ ନେଇଛନ୍ତି। ଶାସକ ଦଳ ସଦସ୍ୟ ଭୂପିନ୍ଦର ସିଂ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ୫’ଟି’ ସଂସ୍କାର କାର୍ଯ୍ୟକ୍ରମ ପ୍ରଶାସନରେ ସ୍ବଚ୍ଛତା ଆଣିବାରେ ଯଥେଷ୍ଟ ସହାୟକ ହୋଇଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ନିକଟରେ ସରକାର ଶ୍ବେତପତ୍ର ଜାରି କରିଛନ୍ତି। ଏହା ଶ୍ବେତପତ୍ର ନୁହେଁ କଳାପତ୍ର। ସେଥିରେ ଉଲ୍ଲେଖ ଅଛି ପୁଲିସ ୮ ଥର ଗୁଳିଚାଳନା କରିଛି। ଶ୍ରୀ ଶତପଥୀ ବିଜେଡିକୁ ବାରମ୍ବାର ଲୋକେ ଭୋଟ ଦେଇ ନିର୍ବାଚିତ କରୁଥିବା ନେଇ ଯାହା କହିଲେ, ତାହେଲେ ପ୍ରଶ୍ନ ଉଠୁଛି ପୁଲିସ ଗୁଳିଚାଳନା କରିବାକୁ ଲୋକ‌େ କଣ ଭୋଟ ଦେଇଥିଲେ? ଦଳିତ ଆଦିବାସୀଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। ଶ୍ବେତପତ୍ରରେ ବହୁତ କଥା ସରକାର ଲୁଚାଇଛନ୍ତି। କେତେ ବାଳିକା ନିଖୋଜ ଅଛନ୍ତି ତାର ପରିସଂଖ୍ୟାନ ଦିଆଯାଇନାହିଁ। ଏଠି ଆଇନର ଶାସନ ଚାଲିନାହିଁ। ଜଙ୍ଗଲ ଶାସନ ଚାଲିଛି।ସେ କହିଥିଲେ, ପୁଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବିରୋଧୀଙ୍କୁ ଦମନ କରିବା ପାଇଁ ବ୍ୟବହାର କରାଯାଉଛି। ରାଜ୍ୟରେ କେତେ ଦୁର୍ନୀତିଗ୍ରସ୍ତ ଆଇଏଏସ୍‌, ଆଇପିଏସ୍‌ ଓ ଓଏଏସ୍‌ ଅଧିକାରୀ ଅଛନ୍ତି ବୋଲି ପ୍ରଶ୍ନ ପଚାରିଲେ ସରକାର ତଥ୍ୟ ନାହିଁ ବୋଲି କହିଛନ୍ତି। ସ୍ବତନ୍ତ୍ର କୋର୍ଟ ଆଇନ କୁଆଡ଼େ ଗଲା? ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଆଯାଉଛି। ତେଣୁ ଏ ସରକାର ଉପରେ ଆମର ବିଶ୍ବାସ ନାହିଁ। ବିଜେପି ଦଳ ମୁଖ୍ୟମନ୍ତ୍ରୀଙ୍କ ନିବାସ ଯାଇ ନୂଆ ଇତିହାସ ସୃଷ୍ଟି କଲେ। ବିରୋଧୀ ଦଳ ନେତା ପଦ ଗୋଟିଏ ସାମ୍ବିଧାନିକ ପଦବି। ଏହି ପଦବିର ଅମର୍ଯ୍ୟାଦା ହୋଇଛି। ଏହାକୁ କଂଗ୍ରେସ ନିନ୍ଦା କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ।

ଶ୍ରୀ ମିଶ୍ରଙ୍କ ଅଭିଯୋଗକୁ ଖଣ୍ଡନ କରି ବିରୋଧୀ ଦଳ ନେତା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଆମେ ନବୀନ ନିବାସ ଯାଇଥିଲୁ। ତାଙ୍କ ସହିତ ଆଲୋଚନା କରିବା ଠିକ୍ ନ ଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଲତିକା ପ୍ରଧାନ, ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ନିତ୍ୟାନନ୍ଦ ଗଣ୍ଡ, କିଶୋର ନାୟକ, ପ୍ରଫୁଲ୍ଲ ସାମଲ, ସୁରେଶ କୁମାର ରାଉତରାୟ, ଗଣେଶରାମ ସିଂହ ଖୁଣ୍ଟିଆ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର