ପରୀ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ: ବିଜେପି ପରେ ଆଜି ପରୀର ପରିବାରକୁ ଭେଟିବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ସାଜିଛି ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା । ଆଜି କଂଗ୍ରେସର ଏକ ଟିମ୍ ନୟାଗଡ ଜିଲ୍ଲା ଯଦୁପୁର ଗସ୍ତ କରି ପରୀର ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଓଡ଼ିଶା ପ୍ରଭାରୀ ଏ ଚେଲ୍ଲାକୁମାର ଆଜି ଏହି ଗସ୍ତରେ ଯିବେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏହି ଟିମରେ ନୟାଗଡ଼ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ କିଛି ଦିନ ପୂର୍ବରୁ ବିଜେପି ବିଧାୟକ ଦଳ ପରୀର ଗାଁ ଯଦୁପୁରକୁ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ ।

ଗତ ଡିସେମ୍ବର ୧ରେ ବିଜେପିର ୨୦ ଜଣ ବିଧାୟକ ନୟାଗଡ଼ ବ୍ଲକ୍‌ ଲକ୍ଷ୍ମୀପ୍ରସାଦ ପଞ୍ଚ‌ାୟତ ଅନ୍ତର୍ଗତ ଯଦୁପୁର ଗ୍ରାମକୁ ଯାଇ ପରୀର ପରିବାରକୁ ଭେଟିଥିଲେ। ଏହି ଘଟଣାରେ ବିଜେପି ପରୀର ପରିବାର ସହିତ ଅଛି ବୋଲି କହି ଆଶ୍ବାସନା ଦେଇଥିଲେ। ଏଥିସହିତ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଡା. ଅରୁଣ ସାହୁଙ୍କ ଇସ୍ତଫା ଦାବିକୁ ଦୋହରାଇଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍‌ ପରୀ ବାପା ଅଶୋକ ସାହୁ ଓ ମା‌’ ସୌଦାମିନୀ ସାହୁଙ୍କୁ ଭେଟିଥିଲେ। ବିଜେପିର ଏହି ଟିମ୍‌ରେ ବି‌ରୋଧୀ ଦଳ ନେତାଙ୍କୁ ମିଶାଇ ୨୦ ବିଜେପି ବିଧାୟକ ସାମିଲ୍‌ ହୋଇଥିଲେ। ବିଜେପି ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର