ମେଗା ପାଣି ପ୍ରକଳ୍ପକୁ ନେଇ ବିପକ୍ଷବାଦୀଙ୍କ ରଣହୁଙ୍କାର : ଖରସ୍ରୋତା ଆମ ମା’; ମାରିବାକୁ ଦେବୁନି

ସରକାରଙ୍କ ବିରୋଧରେ ଏକାଠି ହେଲେ ବିରୋଧୀ
ଆନ୍ଦୋଳନକୁ କ˚ଗ୍ରେସ, ବିଜେପି, ବାମପନ୍ଥୀ ଦଳର ସମର୍ଥନ

କେନ୍ଦ୍ରାପଡ଼ା/ରାଜକନିକା/ଆଳି : ‘ଖରସ୍ରୋତା ଆମ ମା। ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ। ସରକାର ଖରସ୍ରୋତାର ମଧୁର ପାଣି ଭଦ୍ରକ ଜିଲ୍ଲାକୁ ଦେଇ ଆମକୁ ଲୁଣି ପାଣି ଦେବା ପାଇଁ ଯେଉଁ ଷଡ଼୍‌ଯନ୍ତ୍ର କରିଛନ୍ତି, ତାକୁ କଦାପି ସାକାର କରିବାକୁ ଦିଆଯିବ ନାହିଁ। ଆମେ ପାଣି ଦବୁନି ନୁହେଁ; ଖରସ୍ରୋତାକୁ ଶୁଖିବାକୁ ଦେବୁ ନାହିଁ ବୋଲି ସ˚କଳ୍ପ ନେଇଛୁ। ଭଦ୍ରକ ଜିଲ୍ଲାକୁ ସେତିକି ବେଳେ ପାଣି ଦିଆଯିବା କଥା ବିଚାର କରାଯିବ,  ଯେବେ ଭୂତଳ ଜଳ ସ˚କଟରେ ଜର୍ଜରିତ ଆମ କେନ୍ଦ୍ରାପଡ଼ାବାସୀଙ୍କ ଜଳ ଆବଶ୍ୟକତା ପୂରଣ ହେବ।’  ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାଣି ଦେବାକୁ ହୋଇଥିବା ମେଗା ପ୍ରକଳ୍ପକୁ ବିରୋଧ କରୁଥିବା ଖରସ୍ରୋତା ବଞ୍ଚାଅ ସ˚ଗ୍ରାମ ସମିତି ସହିତ ହାତ ମିଳାଇ କ˚ଗ୍ରେସ, ବିଜେପି ଓ ବାମପନ୍ଥୀ ଦଳର ନେତା ମାନେ ଆଜି ରାଜକନିକା ଭାରୀଗଦା ପଡ଼ିଆରେ ଆୟୋଜିତ ଏକ ଜନ ସମାବେଶରେ ଏଭଳି ରଣହୁଙ୍କାର ଦେଇଛନ୍ତି।

ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ଜଳ ଯୋଗାଣ ପାଇଁ ହୋଇଥିବା ଏହି ୮୯୨କୋଟିର ପ୍ରକଳ୍ପ ବିରୋଧରେି ଗଲା ୧୫ଦିନରୁ ଅଧିକ ହେବ ସ˚ଗ୍ରାମ ସମିତି ଧାରଣା, ମାନବ ଶୃଙ୍ଖଳ ପୂର୍ବକ ଆନ୍ଦୋଳନ କରି ଆସୁଥିବା ବେଳେ ଆଜି ସ୍ଥାନୀୟ ଗଡ଼ଗଡ଼ି ଘାଟରେ ଜନସମାବେଶ ଆୟୋଜନ ହୋଇଥିଲା। ସମିତିର ସଭାପତି ଦୁର୍ଯ୍ୟୋଧନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାବେଶରେ କ˚ଗ୍ରେସ, ବିଜେପି, ବାମପନ୍ଥୀ ଦଳ ସମେତ ନଦୀ ସୁରକ୍ଷା ପାଇଁ ଲଢ଼ୁଥିବା ବିଭିନ୍ନ ସ˚ଗଠନର ନେତା ସାମିଲ୍‌ ହୋଇ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇବା ବିପଦ ଆସନ୍ନ ଖରସ୍ରୋତାକୁ ବ˚ଚାଇବାକୁ ଆହ୍ବାନ ଦେଇଥିଲେ। ଜନଶକ୍ତି ପାର୍ଟିର ସଭାପତି ପ୍ରଫୁଲ୍ଲ ସାମନ୍ତରା କହିଥିଲେ ଖରସ୍ରୋତା ନଦୀ ଉପରେ ପ୍ରଥମେ ଅଧିକାର ସ୍ଥାନୀୟ ଲୋକଙ୍କର। ଆଗ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ଆବଶ୍ୟକତା ପୂରଣ କରାଯାଉ। ପିଇବା ପାଣି, ଜଳସେଚନ ଓ ଜଳ ସ˚ଚୟର ବ୍ୟବସ୍ଥା କରାଯାଉ। ତା’ ପରେ ବଳକା ପାଣି ରହିଲେ ଭଦ୍ରକକୁ ଦିଆଗଲେ କୌଣସି ଆପତ୍ତି ନାହିଁ। ମାତ୍ର ସରକାର ତାହା ନ କରି ଧାମରାରେ ଅଦାନି ଗ୍ରୁପ୍‌କୁ ପାଣି ଦେବା ପାଇଁ ସ୍ଥାନୀୟ ଲୋକଙ୍କ ଅଧିକାରକୁ ଛଡ଼ାଇ ନେବାକୁ ଯେଉଁ ଉଦ୍ୟମ ଚଳାଇଛି, ତାହାକୁ କଦାପି ସଫଳ କରିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ସାମନ୍ତରା ଦୃଢେ଼ାକ୍ତି ବାଢ଼ିବା ସହିତ ଲଢେ଼ଇ ଜୋରଦାର‌୍‌ କରିବାକୁ ଆହ୍ବାନ ଦେଇଥିଲେ।

ପ୍ରକଳ୍ପ ନାଁରେ ଅଦାନି ଗ୍ରୁପ୍‌କୁ ଫାଇଦା ପହଞ୍ଚାଇବା ପାଇଁ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ହାତ ମିଳାଇଛନ୍ତି ବୋଲି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଅଭିଯୋଗ ଆଣି  ଖୁବ୍‌ ବର୍ଷିଥିଲେ। କହିଥିଲେ, ଭଦ୍ରକରେ ବୈତରଣୀ, ଶାଳନ୍ଦୀ ନଦୀ ଥାଉ ଥାଉ ଖରସ୍ରୋତାରୁ କାହିଁକି ପାଣି ନିଆଯାଉଛି? ଏଠାରେ ପାଣି ଗଲେ ଚାଷ ଉଜୁଡ଼ିବା ସହିତ ଭୂତଳରେ ଲୁଣି ପାଣି ଚରିଯିବ। ମତ୍ସଜୀବୀ ବି ପ୍ରଭାବିତ ହେବେ। ଯଦି ଭଦ୍ରକକୁ ପାଣି ଦେବାକୁ ସରକାର ଚାହୁଁଛନ୍ତି, ତାହେଲେ ପ୍ରଥମେ ଖରସ୍ରୋତାରେ ଏକ ବ୍ୟାରେଜ୍‌ ନିର୍ମାଣ କରାଯାଇ ବହିଯାଉଥିବା ପାଣି ଅଟକାଇ ରଖାଯିବାର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ଶର୍ମା ଦାବି କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ଜିଲ୍ଲା କ˚ଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅ˚ଶୁମାନ ମହାନ୍ତି, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ , ପୋସ୍କୋ ବିରୋଧୀ ନେତା ଅଭୟ ସାହୁ ,  କ˚ଗ୍ରେସ ନେତା ଧରଣୀଧର ନାୟକ, ସତ୍ୟପ୍ରକାଶ ନାୟକ, ଅମୀୟ ପାଣ୍ତବ, ସିପିଆଇଏମ୍‌ ନେତା ଅଳିକିଶୋର ପଟ୍ଟନାୟକ, ଏସ୍‌ସିୟୁଵାଇ ନେତା ସଦାଶିବ ଦାସ ଓ କ୍ଷୀରୋଦ କର, ପ୍ରୋଜେକ୍ଟ୍‌ ସ୍ବରାଜର ଆବାହକ ଚିତ୍ତର˚ଜନ ବେହେରା, ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ତା  ପ୍ରମୁଖ ସ୍ଥାନୀୟ ଲୋକଙ୍କୁ ଉପେକ୍ଷାକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ। ସମିତି ସ˚ପାଦକ ବିଧାନ ଦାସ ସଭା ସ˚ଯୋଜନା କରିଥିବା ବେଳେ ଉମେଶ ମଲ୍ଲ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର