ଗୋଟିଏ ଦିନରେ ୭ଟି ବିଲ୍‌ ଆଗତ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ, ଗୃହରେ ଉପସ୍ଥାପିତ ହେଲା ୧୧ଟି ଅଧ୍ୟାଦେଶ

ବିଲ୍‌ ଆଲୋଚନା ନେଇ କାର୍ଯ୍ୟ ପରାମର୍ଶଦାତା ବୈଠକରେ ସମୟ ଧାର୍ଯ୍ୟ

ଭୁବନେଶ୍ବର: ଗୋଟିଏ କି ଦୁଇଟି ନୁହେଁ, ମଙ୍ଗଳବାର ବିଧାନସଭାରେ ୭ଟି ବିଲ୍‌ ଆଗତ କରିଛନ୍ତି ସରକାର। ଯାହାକୁ ନେଇ ବିରୋଧୀ ଖପ୍ପା। ଏକାଧିକ ବିଲ୍‌ ଉପରେ ତର୍ଜମା କରିବା ସମୟସାପେକ୍ଷ ବୋଲି ବିରୋଧୀ ଆପତ୍ତି ଉଠାଇଛନ୍ତି। ଏହାସହିତ ସରକାର ଜାରି କରିଥିବା ୧୧ଟି ଅଧ୍ୟାଦେଶ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି। ତେବେ ଆସନ୍ତାକାଲି ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌-୨୦୨୦ ଉପରେ ବିଧାନସଭାରେ ଆଲୋଚନା ହେବ। ଏଥିପାଇଁ ୩ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ଏହାସହିତ ଅନ୍ୟ ଦୁଇଟି ଯଥା ଓଡ଼ିଶା ମହାମାରୀ ରୋଗ ସଂଶୋଧନ ବିଲ୍‌-୨୦୨୦ ଏବଂ କୋର୍ଟ୍‌ ଫି (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୦ ମଧ୍ୟ ଆଲୋଚନା ହେବ। ଆଜି ଗୃହ ମୁଲତବି ହେବା ପରେ କାର୍ଯ୍ୟ ପରାମର୍ଶଦାତା ବୈଠକ ବସି ଉପସ୍ଥାପିତ ହୋଇଥିବା ବିଲ୍ ଉପରେ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ଗୋଟିଏ ଦିନରେ ୭ଟି ବିଲ୍‌ ଆଗତକୁ ବିରୋଧ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ସରକାର ତରବରିଆ ଭାବେ ବିଲ୍‌ ପାରିତ କରିବାକୁ ବୋଧହୁଏ ଏହି ଅଧିବେଶନ ଡାକିଛନ୍ତି। ଗୋଟିଏ ଦିନରେ ଏତେଗୁଡ଼ିଏ ବିଲ୍‌ ଆଗତ ହୋଇଛି ସେ ନେଇ କେଉଁଦିନ କାର୍ଯ୍ୟ ପରାମର୍ଶଦାତା ବୈଠକରେ ନିଷ୍ପତ୍ତି ହେଲା ତାହା ଏ ଗୃହର କୌଣସି ସଦସ୍ୟ ଜାଣିନାହାନ୍ତି। ଗତ ମାର୍ଚ୍ଚ ୧୩ ତାରିଖରେ ବିଧାନସଭାର ବଜେଟ୍‌ ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ଜଳ ସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବାର ଥିଲା। କିନ୍ତୁ କୋଭିଡ୍‌ ମହାମାରୀ ପାଇଁ ଗୃହକୁ ସ୍ଥଗିତ ରଖାଗଲା। ପରେ ବାକି ଥିବା ଅନ୍ୟ ବିଭାଗର ଖର୍ଚ୍ଚଦାବି ସହିତ ବିନା ଆଲୋଚନାରେ ବଜେଟ୍‌ ପାରିତ କରିବାରେ ଆମେ ସରକାରଙ୍କୁ ସହଯୋଗ କରିଥିଲୁ। ଏପରି ନ କରି କାର୍ଯ୍ୟପରାମର୍ଶଦାତା ବୈଠକ ଡକାଇ କେଉଁ ବିଲ୍‌ ଗୃହରେ ଆସିବ ସେ ନେଇ ସ୍ଥିର କରାଯାଉ ବୋଲି ଶ୍ରୀ ସାଲୁଜା ଦାବି କରିଥିଲେ। ଶ୍ରୀ ସାଲୁଜାଙ୍କୁ ସମର୍ଥନ କରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଏକାଧିକ ବିଲ୍‌ ଗୃହରେ ଆଗତ ନେଇ ସମାଲୋଚନା କରିଥିଲେ।

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟପରାମର୍ଶଦାତା ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ମହାମାରୀ ରୋଗ (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୦ ଉପରେ ୧ ଘଣ୍ଟା ଓ କୋର୍ଟ ଫି (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୦ ଉପରେ ଗୃହରେ ଅଧଘଣ୍ଟାଏ ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏହାସହିତ ଅନ୍ୟ ବିଲ୍‌ ଯଥା ଓଡ଼ିଶା ଆଇନଜୀବୀ କଲ୍ୟାଣ ପାଣ୍ଠି (ସଂଶୋଧନ) ବିଲ୍‌-୨୦୨୦ ପାଇଁ ଅଧଘଣ୍ଟା, ଶିଳ୍ପ ବିବାଦ (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୦ ଉପରେ ୧ ଘଣ୍ଟା, ଓଡ଼ିଶା ମହାନଗର ନିଗମ ଆଇନ (ସଂଶୋଧନ) ବିଲ୍‌-୨୦୨୦ ଉପରେ ୧ ଘଣ୍ଟା ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବାକର (ସଂଶୋଧନ) ବିଲ୍‌-୨୦୨୦ ଉପରେ ଅଧଘଣ୍ଟା ଆଲୋଚନା କରିବାକୁ କାର୍ଯ୍ୟ ପରାମର୍ଶଦାତା ବୈଠକରେ ସ୍ଥିର ହୋଇଛି। କିନ୍ତୁ ଏସବୁ ବିଲ୍‌ କେଉଁଦିନ ଗୃହରେ ଆଲୋଚନା ହେବ ସେ ନେଇ ଦିନ ଧାର୍ଯ୍ୟ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର