ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ନିଖୋଜ ଘଟଣା: ମନ୍ତ୍ରୀଙ୍କ ବହିଷ୍କାର ଦାବି କଲେ ବିରୋଧୀ

ବିଚାର ବିଭାଗୀୟ କିମ୍ବା ସିବିଆଇ ତଦନ୍ତ ହେଉ: ସାଲୁଜା
ତଦନ୍ତକୁ ବିଭ୍ରାନ୍ତ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ମନ୍ତ୍ରୀ: ବସନ୍ତ
ତଦନ୍ତ ଚାଲିଛି, ରାଜନୀତି କରାନଯାଉ: ବିଜେଡି

ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ନିଖୋଜ ଘଟଣାରେ ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସିଲା ପରେ ଅଡ଼ୁଆରେ ପଡ଼ିଯାଇଛନ୍ତି ମନ୍ତ୍ରୀ। ବିଶେଷ କରି ସେହି ସ୍କୁଲ୍‌ରେ ଯୌନ କେଳେଙ୍କାରୀ ପରି ସଙ୍ଗୀନ ଅଭିଯୋଗ ଏବେ ସରକାରଙ୍କ ପାଇଁ ମଧ୍ୟ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିଛି। ସୋମବାର ଦିନ କଂଗ୍ରେସ ଓ ବିଜେପି ପକ୍ଷରୁ ଭୁବନେଶ୍ୱରରେ ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ମନ୍ତ୍ରିମଣ୍ଡଳରୁ ଶ୍ରୀ ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଛି। ମନ୍ତ୍ରୀଙ୍କୁ ବହିଷ୍କାର କରା ନ ଗଲେ ତଦନ୍ତ ପ୍ରକ୍ରିୟା ଠିକ୍ ଚାଲିବ ନାହିଁ ବୋଲି ବିରୋଧୀ ରୋକ୍‌ଠୋକ୍ ଜଣାଇ ଦେଇଛନ୍ତି। ଏହି ପ୍ରସଙ୍ଗଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ବିଜେଡି ମାପିଚୁପି ବିରୋଧୀଙ୍କୁ ଜବାବ ଦେଇଛି।

କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା‌ ସିଧାସଳଖ ଏହି ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି। ଶ୍ରୀ ସାଲୁଜା କହିଥିଲେ ଯେ ଗତ ୮ ତାରିଖରେ ମମିତା ବସ୍‌ରେ ତାଙ୍କ କାର୍ଯ୍ୟସ୍ଥଳୀକୁ ଯାଉଥିଲେ। ତେବେ ଚାନ୍ଦତାରା ଛକରେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ସନସାଇନ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁ ତାଙ୍କୁ ବସ୍‌ରୁ ଓହ୍ଲାଇ ନିଜ ବ୍ୟକ୍ତିଗତ ଗାଡ଼ିରେ ନେଇଥିବା ସିସିଟିଭି ଫୁଟେଜ୍ ରହିଛି। ସେହିଦିନଠାରୁ ମମିତାଙ୍କ ଖୋଜ ଖବର ମିଳୁନାହିଁ। ପରିବାର ଲୋକଙ୍କ ପକ୍ଷରୁ ୧୩ତାରିଖରେ ସିଂଧେକେଲା ଥାନାରେ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ନାଁରେ ଅପହରଣ ମାମଲା ଦାୟର କରିଥିଲେ। ପୁଲିସ ଅଭି‌ଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଶିକ୍ଷୟତ୍ରୀ ମମିତାଙ୍କ ଘରକୁ ଯାଇ ଲାପଟପ, ପେନ ଡ୍ରାଇଭ୍ ଆଦି ନିଜ ସହିତ ନେଇ ଯାଇଥିଲା। ଗୋବିନ୍ଦ ସାହୁଙ୍କୁ ୪ଦିନ ଧରି ଥାନାରେ ଅଟକ ରଖିବା ପରେ ୧୭ତାରିଖରେ ଛାଡ଼ି ଦେଇଥିଲା। ଥାନାକୁ ଆଣିବାର ୨୪ଘଣ୍ଟା ଭିତରେ ଅଦାଲତଙ୍କ ନିକଟରେ ଉପସ୍ଥିତ କରିବା ପରିବର୍ତେ ଛାଡ଼ିଦେବା ପଛରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସିଧାସଳଖ ସଂପୃକ୍ତି ରହିଛି। ମମିତାଙ୍କ କାକା ତାଙ୍କ ସ୍କୁଲ ମୁଖ୍ୟ ଗୋବିନ୍ଦ ସାହୁଙ୍କ ଭିତରେ ହୋଇଥିବା କଥାବାର୍ତାରୁ ମନ୍ତ୍ରୀଙ୍କ ସଂପୃକ୍ତି ବିଷୟ ଜଣାପଡ଼ୁଛି। ସନସାଇନ ସ୍କୁଲରେ ଅନେକ ଗୁପ୍ତ କୋଠରୀ ରହିଛି। ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବା ମମିତାଙ୍କ ସାଙ୍ଗ ଓ ତାଙ୍କ ଭଣଜାଙ୍କ କଥାବାର୍ତାରୁ ସୂଚନା ମିଳୁଛି। ତେଣୁ ଏହାର ନିରପେକ୍ଷ ତଦନ୍ତ କରାଗଲେ ସଂପୂର୍ଣ୍ଣ ଘଟଣା ଲୋକ ଲୋଚନକୁ ଆସିପାରିବ। ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର। ଏଭଳି ଏକ ସ୍ପର୍ଶକାତର ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବା ଲାଗି ଦାବି କରିଛନ୍ତି ଶ୍ରୀ ସାଲୁଜା। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ବସନ୍ତ ପଣ୍ଡା କହିଥିଲେ ଯେ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ତିନିଟି ଜିଲ୍ଲା ପୁଲିସ ତଦନ୍ତ କରି ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲେ। ଗିରଫ ହୋଇ ହାଜତରେ ଥିଲା ବେଳେ ସେଠାରୁ ଖସିଯିବା ବହୁ ସନ୍ଦେହ ସୃଷ୍ଟି କରିଛି। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଶ୍ରୀ ସାହୁଙ୍କ ଉତ୍ତମ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି। ଏହାକୁ ଶ୍ରୀ ମିଶ୍ର ନିଜେ ସ୍ବୀକାର କରିଛନ୍ତି। ଅଭିଯୁକ୍ତ ଶ୍ରୀ ସାହୁ ଥାନାରୁ ଖସିଯାଇ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିଦେବାର ସମ୍ଭାବନା ରହିଛି ଓ ଏଥିରେ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିବା ଚର୍ଚ୍ଚା ‌ହେଉଛି। କ୍ଷମତାର ଅପବ୍ୟବହାର କରି ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡ଼ଯନ୍ତ୍ର କରୁଥିବାରୁ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ତାଙ୍କ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ। ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉପଯୁକ୍ତ ଦଣ୍ଡ ପ୍ରଦାନ କରାଯାଉ। ମା‘କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ମମତାଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ସ୍ମୃତି ପଟ୍ଟନାୟକ ଉପସ୍ଥିତ ଥିଲେ।

ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଓ ଏହାର ତଦନ୍ତ ଜାରି ରହିଛି। ତେଣୁ ଏପରି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଶସ୍ତା ରାଜନୀତି କରିବାରୁ ଦୂରେଇ ରୁହନ୍ତୁ।

ସମ୍ବନ୍ଧିତ ଖବର