ଭୁବନେଶ୍ବର : ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। କଳାହାଣ୍ଡିରୁ ଭୁବନେଶ୍ୱର ଓ ବଲାଙ୍ଗୀରରୁ ପୁରୀ ଯାଏଁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ଆଜି କଳାହାଣ୍ଡି ବନ୍ଦ କରିଥିବା ବେଳେ ଗୁରୁବାର ବଲାଙ୍ଗୀର ବନ୍ଦ ଡାକରା ଦେଇଛି। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲେ ହେଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବିରେ ବିରୋଧୀ ଅଟଳ ଅଛନ୍ତି। ପୁଲିସର ତଦନ୍ତ ଉପରେ ବିରୋଧୀ ବିଜେପି ଓ କଂଗ୍ରେସ ଅଙ୍ଗୁଳି ଉଠାଇବା ସହ ରାଜ୍ୟପାଳଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ଅନ୍ୟପଟେ ବିଜେଡି ପ୍ରଶ୍ନ କରିଛି ଯେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସବୁକିଛି ସମାଧାନ ହୋଇଯିବ କି? ଯଦି ମମିତାଙ୍କ ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ଥିବ ତେବେ ତାଙ୍କୁ ନିଶ୍ଚିତ ଦଣ୍ଡ ମିଳିବ।
ଆଜି ରାଜଧାନୀରେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବେଚ୍ଛାସେବା ଅନୁଷ୍ଠାନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସି ଉପ-ସଭାପତି ତଥା ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ୮ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧିମଣ୍ଡଳୀ ସହିତ ଆଲୋଚନା କରିବା ପରେ ରାଜ୍ୟପାଳ ଏ ସଂପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି। ଶ୍ରୀ ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ଓ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିପାରିବ ବୋଲି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ କହିଛନ୍ତି।
ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରି ଗିରଫ କରିବାକୁ ଦାବି କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ଶ୍ରୀ ମହାନ୍ତି କହିଛନ୍ତି, ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଦୁଃଖ ଓ ଲଜ୍ଜାଦାୟକ। ମୁଖ୍ୟ ଅଭିଯୁକ୍ତ ତଥା ସନ୍ସାଇନ୍ ପବ୍ଲିକ ସ୍କୁଲର ମୁଖ୍ୟ ସଂଚାଳକ ଗୋବିନ୍ଦ ସାହୁର ତତ୍ତ୍ବାବଧାନରେ ସେଠାରେ ଯୌନ ବ୍ୟଭିଚାର ଚାଲିଥିଲା। ସାହୁଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା, ନିରଞ୍ଜନ ପୂଜାରୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଭଳି ବହୁ ମନ୍ତ୍ରୀ, ନେତାମାନେ ବାରମ୍ବାର ସେ ସ୍କୁଲକୁ ଆସୁଥିଲେ। କିଏ ହେଲିକପ୍ଟରରେ ଆସୁଥିଲେ ତ କିଏ ସ୍କୁଲକୁ ମୋ ଜୀବନ ବୋଲି ସମ୍ବୋଧନ କରୁଥିଲେ। ସେ କହିଛନ୍ତି ଯେ ନିଖୋଜ ହେବା ପରେ ବିଭିନ୍ନ ଆଳ ଦେଖାଇ ମୃତା ମମିତାର ବାପାଙ୍କ ଏତଲା ପୁଲିସ ରଖିନଥିଲା। ପୁଲିସ ଜବତ କରିଥିବା ମମିତାଙ୍କ ଲାପଟପ୍, ପେନ୍ଡ୍ରାଇଭ୍, ମୋବାଇଲକୁ ପ୍ରକୃତ ଯାଞ୍ଚ କଲେ ସତ୍ୟାସତ୍ୟ ଏବଂ ସମସ୍ତ ଅସମାହିତ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିପାରିବ। ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଓ ଭାଇରାଲ୍ ହୋଇଥିବା ବିଭିନ୍ନ ଅଡିଓକୁ ଅନୁଧ୍ୟାନ କଲେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତି ସ୍ପଷ୍ଟ ଜଣାପଡ଼ୁଛି। ତେଣୁ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ନିହାତି ଆବଶ୍ୟକ। ସେହିପରି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶରେ ୨୦୧୦ରୁ ୨୦୧୭ ମଧ୍ୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏହି ସ୍କୁଲ ଓ କଲେଜକୁ ପର୍ଯ୍ୟାୟକ୍ରମେ ୩୧ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନ ମିଳିଛି। ଯାହା ସଂପୂର୍ଣ୍ଣ ଜନବିରୋଧୀ।
ବିରୋଧୀଙ୍କୁ ଜବାବ୍ ଦେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ସମ୍ବେଦନଶୀଳ ଅପରାଧିକ ମାମଲାକୁ ନେଇ ବିଜେପି ରାଜନୀତି କରୁଛି। ବିନା ପ୍ରମାଣରେ ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି। ଏପରି ଜଘନ୍ୟ ମାମଲାରେ ପୀଡ଼ିତା କିମ୍ବା ତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ବିଜେପି ଚାହୁଁନି। ଶ୍ରୀମତୀ ମଲ୍ଲିକ ଆହୁରି କହିଛନ୍ତି, ମମିତା ମେହେରଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ। ଆମର ଗଭୀର ସମବେଦନା ଅଛି। ଆମର ବିଶ୍ବାସ ଅଛି ଯେ ଏହି ମାମଲାର ଅଭିଯୁକ୍ତମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ଏବଂ ପୀଡ଼ିତା ପରିବାର ନ୍ୟାୟ ପାଇବେ। ଏନ୍ଆଇଏରେ କାର୍ଯ୍ୟକରିଥିବା ଜଣେ ଅଭିଜ୍ଞ ପୁଲିସ ଅଧିକାରୀ ଏହି ମାମଲାର ମନିଟରିଂ କରୁଛନ୍ତି। ୨୦୧୩ ପରଠାରୁ ଓଡ଼ିଶା ବିଜେପି ପ୍ରତ୍ୟେକ ଅପରାଧିକ ମାମଲାକୁ ସମ୍ବେଦନଶୀଳ କରିବା ସହ ଏହାକୁ ନେଇ ଶସ୍ତା ରାଜନୀତି କରୁଛି। ଉତ୍ତରପ୍ରଦେଶରେ କୃଷକଙ୍କୁ ହତ୍ୟା କରାଯାଇଥିବା ମାମଲାରେ ବିଜେପି ମନ୍ତ୍ରୀଙ୍କ ପୁଅ ସମ୍ପୃକ୍ତ ଥିଲା। ଜାତୀୟ ଆକ୍ରୋଶ ଓ ସମାଲୋଚନା ପରେ ତାଙ୍କୁ ଗିରଫ କରାଯାଇଥିଳା। ସେତେବେଳେ ଓଡ଼ିଶା ବିଜେପି ଚୁପ୍ ରହିଥିଲା। ଓଡ଼ିଶା ବିଜେପିର ଏହି ଦୋମୁହଁା ନୀତି ଏବଂ ପୀଡ଼ିତ ଓ ସେମାନଙ୍କ ପରିବାରଙ୍କ ପ୍ରତି ସହାନୁଭୂତିର ଅଭାବ ବିଷୟ ଏଥିରୁ ଜଣାପଡ଼ୁଛି।
ସେହିପରି ସମସ୍ତ ଦଳର ବହୁ ରାଜନୈତିକ ନେତା ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦିଅନ୍ତି। ସେହି ଅନୁସାରେ ଜଣଙ୍କର ଭୁଲ୍କୁ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଉଥିବା ବ୍ୟକ୍ତିଙ୍କ ସହ ଯୋଡ଼ାଯାଇପାରବନି। କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପି ନେତାଙ୍କର ବହୁ ଫଟୋ ଓଡ଼ିଶାରେ ଅନେକ ଅପରାଧିକ ମାମଲାରେ ଜଡ଼ିତ ଅଭିଯୁକ୍ତଙ୍କ ସହ ରହିଛି। ଆମେ କହୁନାହୁଁ ଯେ କେନ୍ଦ୍ରୀୟ ମନ୍ତ୍ରୀମାନେ ସେହି ମାମଲା ସହ ଜଡ଼ିତ।