ଜୟପୁର : ପଞ୍ଚାୟତ ନିର୍ବାଚନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡିକୁ ମିଳିଥିଲା ଅଭୂତପୂର୍ବ ସଫଳତା। ସିଂହଭାଗ ଜିଲ୍ଲା ପରିଷଦ ଆସନ ଦଖଲ କରି ଅତି ସହଜରେ ଜିଲ୍ଲା ପରିଷଦ ଗଠନ କରିଥିଲା। କିନ୍ତୁ ମାସକ ପରେ ହୋଇଥିବା ପୌର ନିର୍ବାଚନରେ ବିଜେଡିର ସେହି ବିଜୟ ରଥକୁ ବିଶେଷ ଆଗକୁ ବଢ଼ିବାକୁ ଦେଇନାହାନ୍ତି ବିରୋଧୀ। ଅପ୍ରତ୍ୟାଶିତ ଏବଂ ଅବିଶ୍ବନୀୟ ସଫଳତା ହାସଲ କରି ମୋଟାମାଟି ଭାବେ ୧୧ରୁ ୬ଟି ପୌରାଧ୍ୟକ୍ଷ ଆସନ ବିରୋଧୀ ନିଜ ଦଖଲକୁ ନେଇଛନ୍ତି। ବିଜେଡିର ସର୍ବାଧିକ କ୍ଷତି କୋରାପୁଟ ଜିଲ୍ଲାରେ ହୋଇଥିବା ବେଳେ ଗୁଣପୁର ସହର ଭୋଟର ବିଜେଡି ସପକ୍ଷରେ ନଥିବା ବାର୍ତ୍ତା ଦେଇଛନ୍ତି। ନବରଙ୍ଗପୁର ଏବଂ ବାଲିମେଳାରେ ପ୍ରତ୍ୟାବର୍ତ୍ତନ ସହ ବିଜେପି ଶକ୍ତି ପ୍ରଦର୍ଶନ କରିଛି।
ପୌର ନିର୍ବାଚନ ପାଇଁ ଘୋଷଣା ପରେ ସର୍ବାଧିକ ଚର୍ଚ୍ଚାରେ ରହିଥିଲା ଜୟପୁର ପୌରପାଳିକା। ଲଗାତାର ତିନି ଥର ପୌରାଧ୍ୟକ୍ଷା ଆସନକୁ ନିଜ ଅକ୍ତିଆରରେ ରଖିଥିବା ବିଜେଡି କିନ୍ତୁ ଏଥର ଫେଲ୍ ହୋଇଛି। କଂଗ୍ରେସ ପ୍ରାର୍ଥୀ ନରେନ୍ଦ୍ର ମହାନ୍ତି ୫ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ରଥଙ୍କୁ ପରାସ୍ତ କରିଛନ୍ତି। ସୁନାବେଡ଼ା ପୌରପାଳିକାରେ ଯୁବ ଚେହେରା ଭାବେ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରୱାଲଙ୍କୁ ପୌରଧ୍ୟକ୍ଷ ପ୍ରାର୍ଥୀ କରିଥିଲା ବିଜେଡି। କିନ୍ତୁ ସ୍ବାଧୀନ ପ୍ରାର୍ଥୀଙ୍କୁ ସହରବାସୀ ଭରସା କରିଛନ୍ତି। ପାଖାପାଖି ୧୧ଶହ ଭୋଟ ବ୍ୟବଧାନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ପାତ୍ର ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। କୋଟପାଡ଼ ଏନ୍ଏସିରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି ବିଜେଡି। କଂଗ୍ରେସ ପ୍ରାର୍ଥୀ ଏସ୍. ଶଙ୍କର ରାଓ ୫ଶହରୁ ଊର୍ଦ୍ଧ୍ବ ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ରାମେଶ୍ବର ଜେନାଙ୍କୁ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥୀ ନରେନ୍ଦ୍ର ସ୍ବାଇଁ ତୃତୀୟ ସ୍ଥାନରେ ରହିଛନ୍ତି। ଏପରିକି ୧୩ଟି ୱାର୍ଡ ମଧ୍ୟରୁ କଂଗ୍ରେସ ୭ ୱାର୍ଡରେ ବିଜୟୀ ହୋଇଛି। କୋରାପୁଟ ପୌରପାଳିକାରେ ବିଜେଡିକୁ ସାନ୍ତ୍ବନା ମୂଳକ କିନ୍ତୁ ବଡ଼ ବିଜୟ ମିଳିଛି। ବିଜେଡି ପ୍ରାର୍ଥୀ ଲଲାଟ ରଞ୍ଜନ ସେଠୀ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଦେବାନନ୍ଦ ବେହେରାଙ୍କୁ ୬ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ମାଲକାନଗିରି ଜିଲ୍ଲାରେ ବିଜେପିକୁ ମୂଳପୋଛ କରି ଦେଇଥିବା ବିଜେଡି ବାଲିମେଳା ଏନ୍ଏସିରେ ସଫଳତା ଦୋହରାଇ ପାରିନି। ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ନାୟକ ୨୭୮୧ ଭୋଟ ପାଇଁ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ମାଲକାନଗିରି ପୌରପାଳିକାରେ ନିଜ ଦବଦବାକୁ କାଏମ ରଖିବାରେ ବିଜେଡି ସଫଳ ହୋଇଛି। ବିଜେଡି ପୌରାଧ୍ୟକ୍ଷ ପ୍ରାର୍ଥୀ ମନୋଜ କୁମାର ବାରିକ ୧୨୭୬ ଖଣ୍ଡ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଜି. ଶ୍ରୀନିବାସ ରାଓଙ୍କୁ ପରାସ୍ତ କରିଛନ୍ତି।
ନବରଙ୍ଗପୁର ପୌରପାଳିକାରେ ଅପ୍ରତ୍ୟାଶିତ ପ୍ରଦର୍ଶନ କରିଛି ବିଜେପି। ବିଜେପି ପ୍ରାର୍ଥୀ କୁନୁ ନାୟକ ୨ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଭୀମ ହରିଜନଙ୍କୁ ପରାସ୍ତ କରିଛନ୍ତି। ସେହିପରି ଉମରକୋଟରେ ବିଜେଡି ପ୍ରାର୍ଥୀ ରାଧା ଭତ୍ରା ୩୫୭୦ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ରିଙ୍କି ଗଣ୍ଡଙ୍କୁ ପରାସ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ବିଜେପି ପତିଆରା ଦେଖାଇଥିବା ବେଳେ କଂଗ୍ରେସ ଉଭୟ ପୌରାଞ୍ଚଳରେ ତୃତୀୟ ସ୍ଥାନକୁ ଖସି ଯାଇଛି। ଏପରିକି ଜିଲ୍ଲାର ଦ୍ବିତୀୟ ବଡ଼ ଦଳ ଭାବେ ବିଜେପି ଉଭା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/bjd-bjp-congress.jpg)