ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଗର୍ଜିଲେ ବିରୋଧୀ

ଦୁଇ ମନ୍ତ୍ରୀଙ୍କୁ ବିବାଦକୁ ଟାଣିଲେ
ଶିଶୁ ଅପହରଣ, ନିଶା କାରବାର, ସାଇବର ଅପରାଧ ନେଇ ଉଦ୍‌ବେଗ
ଶାସକ ସଭ୍ୟ ବଖାଣିଲେ ପୁଲିସର ସଫଳତା

ଭୁବନେଶ୍ବର : ମାହାଙ୍ଗା ଠାରୁ ପରୀ ଆଦି ଘଟଣାରେ ଦୁଇ ଦୁଇ ମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନଚିହ୍ନ ଲାଗିଛି। ରାଜ୍ୟରେ ଶିଶୁ ଅସୁରକ୍ଷିତ। ନିଶା କାରବାର ବଢ଼ିଲାଣି। ପୁଲିସ ରାଜନୈତିକ କାର୍ଯ୍ୟରେ ଲିପ୍ତ। ଏମିତି ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଆଣି ଆଜି ବିଧାନସଭାରେ ବିରୋଧୀ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଲଦିଥିଲେ। କେବଳ ସେତିକି ନୁହେଁ, ରାଜ୍ୟରେ ଜଙ୍ଗଲରାଜ ଚାଲିଛି ବୋଲି ମଧ୍ୟ କହିବାକୁ ପଛାଇନଥିଲେ। ସରକାରୀ ଦଳ ସଭ୍ୟମାନେ କିନ୍ତୁ ଏହାକୁ ରୋକ୍‌ଠୋକ୍ ପ୍ରତ୍ୟାଖାନ କରିବା ସହିତ ପୁଲିସ ସଫଳତା ବଖାଣିଥିଲେ। ରାଜ୍ୟରେ ଆଇନଶୃ୍ଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭାରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ଆଜି ଏଭଳି ଢଙ୍ଗରେ ଶେଷ ହୋଇଛି।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଦୁଇ ଦିନ ତଳେ ଖବରକାଗଜରେ କଟକର ମାନସିଂପାଟଣାରେ ହାତଗୋଡ଼ ବାନ୍ଧି ଗୋଟିଏ ଝିଅକୁ ମାରିଦେବାକୁ ଉଦ୍ୟମ ଖବର ପ୍ରକାଶ ପାଇଛି। ରାଜଧାନୀରେ ଦିନ ଦି’ ପହରେ ଛିନ୍‌ତାଇ, ଚୋରି, ଲୁଣ୍ଠନ, ଡକାୟତି ହେଉଛି। ଅବସ୍ଥା ଏପରି ହେଲାଣି ଯେ ସାଧାରଣ ଲୋକଟିଏ ଘରୁ ବାହାରିବାକୁ ଡରିଲେଣି। ବ୍ୟାଙ୍କ ଡକାୟତି, ଏଟିଏମ୍ ଲୁଟ୍ କଣ ସରକାର ଦେଖିପାରୁନାହାନ୍ତି? ଶିଶୁଙ୍କୁ ଅପହରଣ କରାଯାଉଛି। ୭ହଜାର ଶିଶୁ ନିଖୋଜ ହେଲେଣି। କେବେ ଅଙ୍ଗପ୍ରତ୍ୟଙ୍ଗ କାରବାର ପାଇଁ ଆଉ କେବେ ଯୌନଶୋଷଣ କାରଣରୁ ଶିଶୁକୁ ମାରିଦିଆଯାଉଛି। ଯାହାର ଉଦାହରଣ ପରୀ, ପିହୁ ଭଳି ଶିଶୁଙ୍କ ନିଖୋଜ ଘଟଣା ପ୍ରମାଣ କରିଛି। ପୁଲିସ ଅପରାଗତା ଯୋଗୁ ଏଭଳି ଜଘନ୍ୟ ଘଟଣାର ଅପରାଧୀ ଧରାପଡ଼ୁନାହାନ୍ତି। ଗତ ବିଧାନସଭା ଚାଲିଥିବା ବେଳେ ପରୀ ମା’ ବାପା ଆତ୍ମାହୁତି ଉଦ୍ୟମ କଲେ। ଜଣେ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଉଠିଛି। ମୁଖ୍ୟମନ୍ତ୍ରୀ ତାଙ୍କୁ ଘଣ୍ଟଘୋଡ଼ାଇଛନ୍ତି। ଗୁଣିଗାରେଡି କାରଣରୁ ମୟୂରଭଂଜରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଅନେକ ହତ୍ୟାକାଣ୍ଡ ଘଟୁଛି। ମାହାଙ୍ଗାରେ ଘଟିଥିବା ଡବଲ୍ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୦୧୮ରେ ଜଣେ ବିଜେପି କର୍ମୀଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ବିଜେଡିର ଜଣେ ଟାଣୁଆ ନେତା ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ଏତଲା ଦିଆଯାଇଛି। ସେ ରାଜ୍ୟ ସରକାରଙ୍କ ଆଇନମନ୍ତ୍ରୀ। କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସ ତାଙ୍କ ପାଖେ ପହଞ୍ଚିପାରୁନି କି ତାଙ୍କୁ ଗିରଫ କରାଯାଉନାହିଁ। ଯେତେବେଳେ ଜଣେ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସୁଛି, ମୁଖ୍ୟମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବାକୁ ନ କହି ଓଲଟା ଘଣ୍ଟ ଘୋଡ଼ାଉଛନ୍ତି। କଥାକଥାକେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ମୁଖ୍ୟମନ୍ତ୍ରୀ ଏବେ ଶ୍ରୀ ଜେନାଙ୍କ ପାଇଁ ଚୁପ୍ କାହିଁକି? ତାଙ୍କୁ ଇସ୍ତଫା ଦେବାକୁ କହି ସିବିଆଇ ତଦନ୍ତ ପାଇଁ ଶ୍ରୀ ମାଝୀ ଦାବି କରିଥିଲେ। ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଜଳେଶପଟ୍ଟା ଆଶ୍ରମର ଜୀବନ ଚୈତନ୍ୟଙ୍କୁ ହତ୍ୟା ଧମକ ପ୍ରଶ୍ନ ଉଠାଇ ଶ୍ରୀ ମାଝୀ ସରକାରଙ୍କ ଉପରେ ବର୍ଷିବା ସହିତ ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ଗୃହ ସାମ୍ନାରେ ରଖିଥିଲେ। ସେ କହିଥିଲେ ବିଜେପୁର ଉପନିର୍ବାଚନ ସମୟରେ ବର୍ତମାନର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଗିରଫ କରାଯାଇଥିଲା ଓ ଜେଲ ଭିତରେ ତାଙ୍କୁ ମାରିବାକୁ ଉଦ୍ୟମ ହୋଇଥିଲା। ମହିଳା ସଂରକ୍ଷଣ କଥା କହୁଛନ୍ତି, ଅଥଚ ରାଜ୍ୟରେ ମହିଳା ଅସୁରକ୍ଷିତ ବୋଲି ସେ କହିଥିଲେ। ଏହି ଅବସରରେ ସେ ତଦନ୍ତକୁ ଆଇନଶୃଙ୍ଖଳାରୁ ଅଲଗା ପାଇଁ ପୁଲିସ କମିସନର ଡି଼ଜିଙ୍କୁ ଲେଖିଥିବା ଚିଠି ସଂପର୍କରେ କହିଥିଲେ।

ବିଜେପି ବିଧାୟକ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର କହିଥିଲେ ଯେ ରାଜ୍ୟରେ ଯିଏ ରକ୍ଷକ, ସେମାନେ ଭକ୍ଷକ ପାଲଟିଛନ୍ତି। ଢେଙ୍କାନାଳରେ ପୁଲିସ ଯୌତୁକ ନିର୍ଯାତନା ମାମଲାକୁ ରଫାଦଫା କରିବା ପାଇଁ ଉତ୍କୋଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନିଶା ବେପାରିଙ୍କ ଆ଼ଡ୍ଡା ପାଲଟିଲାଣି ରାଜ୍ୟ। ରାଜଧାନୀର ବିଭିନ୍ନ ପାର୍କରେ ଖୋଲାଖୋଲି ନିଶା କାରବାର ହେଉଛି। ପୁଲିସ ସରକାରୀ ଦଳର କର୍ମୀ ସାଜିଛି। ନିର୍ବାଚନରେ ଟଙ୍କା ବାଣ୍ଟିବା, ରାଜନୈତିକ ଉଦ୍ଦେଶ୍ୟ ରଖି ରାଜନେତାଙ୍କୁ ଧମକଚମକ ଦେବା, ରାଜ୍ୟ ପୁଲିସର ଅଭ୍ୟାସରେ ପରିଣତ ହେଲାଣି। ବିହାର ଓ ପଶ୍ଚିମବଙ୍ଗ ଠାରୁ ବି ବଳିପଡ଼ିଲାଣି ଓଡ଼ିଶା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟରେ ଜଙ୍ଗଲରାଜ ଚାଲିଛି। ସାଇବର ଅପରାଧ ସବୁଠାରୁ ବଡ଼ ଆହ୍ବାନ ହୋଇଗଲାଣି। ପ୍ରତିଦିନ ଏହି ଅପରାଧର ଶିକାର ହେଉଛନ୍ତି, ଅଥଚ ପୁଲିସ ଅପରାଧୀଙ୍କୁ ଧରିପାରୁନି। ନାବାଳିକା ମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢ଼ୁଛି। ମାହାଙ୍ଗାରେ ଯେଉଁ ଘଟଣା ଘଟିଛି,ଜଣେ ମନ୍ତ୍ରୀ ଏଥିରେ ସଂଶ୍ଳିଷ୍ଟ ବୋଲି ଅଭିଯୋଗ ଆସିଛି। ସଂପୃକ୍ତ ମନ୍ତ୍ରୀ ନିଜକୁ ନିର୍ଦୋଷ ଭାବେ ପ୍ରମାଣିତ କରିବା ଦରକାର। ବାସ୍ତବରେ ସତ କଣ, ତାହା ମୁଖ୍ୟମନ୍ତ୍ରୀ ଏ ବିଷୟରେ କହିବା ଦରକାର। ପରୀ ଘଟଣାରେ ମଧ୍ୟ ଜଣେ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଛି। ସେ କହିଥିଲେ, ଜଣେ ମନ୍ତ୍ରୀ ବଲାଙ୍ଗୀରରେ ଜଣେ ଅଧିକାରୀଙ୍କୁ ମାଡ଼ ମାରିଲେ। କିନ୍ତୁ ଏ ବିଷୟରେ ତଦନ୍ତ ହେଲା କି? ସେହିଭଳି ଶାସକ ଦଳର ନେତା ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରୁଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ହାଇକୋର୍ଟ କେବେଠାରୁ କହିଲେଣି ଯେ ଆଇନଶୃଙ୍ଖଳାରୁ ତଦନ୍ତ ଅଲଗା କର। ରାଜ୍ୟ ସରକାର ଏହାକୁ ପାଳନ କରୁନାହାନ୍ତି।

ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ରାଜ୍ୟରେ ବାହୁବଳ ଓ ଟଙ୍କାବଳ ବ୍ୟବହାର କରି ନିର୍ବାଚନ ଜିତିବା ଜାଣିଛନ୍ତି ସରକାର। ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗିନ୍ ମାମଲା ଲାଗିଛି। ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା କଥା। ଏମିତି କଲେ ସରକାରଙ୍କ ପ୍ରତି ବିଶ୍ବସନୀୟତା ବଢିବ। ପୂର୍ବରୁ ମଧ୍ୟ ଅନେକ ନଜିର ରହିଛି।

ସରକାରୀ ଦଳ ପକ୍ଷରୁ ବିଧାୟକ ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ଅମର ପ୍ରସାଦ ଶତପଥୀ ଓ ପ୍ରୀତିରଂଜନ ଘଡ଼ାଇ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଶ୍ରୀ ଦେବ କହିଥିଲେ ଯେ ବିରୋଧୀ ଗୋଟିଏ ପାଖିଆ କହିଚାଲିଛନ୍ତି। ରାଜ୍ୟରେ ନକ୍ସଲ ସମସ୍ୟା ନିୟନ୍ତ୍ରଣକୁ ଆସିଲାଣି, ଏକଥା ସେମାନଙ୍କୁ ଦେଖାଯାଉନି। ୨ବର୍ଷ ଭିତରେ ଯେତିକି ନିଶା ମାମଲା ଧରାପଡିଛି, ତାହା କଣ ସଫଳତା ନୁହେଁ? ଖାଦ୍ୟ ଅପମିଶ୍ରଣ ପ୍ରତି ଦିନ ଧରପଗଡ଼ ଚାଲିଛି। ମୋହନ ବାବୁ ଯାହା କହିଲେ, ଶିଶୁ ନିଖୋଜ ହେବା ସତ। ଯଦି ଏହା ବିରୋଧରେ ପଦକ୍ଷେପ ନ ହେଉଥାନ୍ତା, ତେବେ ମୁଖ୍ୟମନ୍ତ୍ରୀ ୫ଥର ନିର୍ବାଚିତ ହେଉଛନ୍ତି କେମିତି। ସୁଶାନ୍ତ ସିଂ ଓ ଗୋଧ୍ରାକାଣ୍ଡରେ ନୈତିକତା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଥିଲେ। କରୋନା ସମୟରେ ପୁଲିସ ଭୂମିକାକୁ ପ୍ରଶଂସା କରିଥିଲେ ବିଧାୟକ ଶ୍ରୀ ଶତପଥୀ। ଅଞ୍ଜନା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଓଡ଼ିଶା ପୁଲିସ ବାନ୍ଧିଛି। ସିବିଆଇ ଏ ଦାୟିତ୍ବ ନେଇଥିଲା। ଏଇଟା ସଫଳତା ନୁହେଁ କି? ଶ୍ରୀ ଘଡାଇ କହିଥିଲେ, ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅପରାଧକୁ ରାଜନୀତିକରଣ କରାନଯାଉ। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାରରେ ଯେମିତି ଘଟଣା ଘଟୁଛି, ଓଡ଼ିଶା ସେ ସ୍ତରରେ ନାହିଁ। ଶ୍ରୀମତୀ ମଲ୍ଲିକ କହିଥିଲେ, ଅପରେସନ୍ ପରି ଜରିଆରେ ନିଖୋଜ ଶିଶୁଙ୍କୁ ଖୋଜି ଅଣାଯାଉଛି।

ସମ୍ବନ୍ଧିତ ଖବର