ଭୁବନେଶ୍ବର: ଓଡ଼ିଶାର ନିରନ୍ତର ବିକାଶରେ ବିରୋଧୀ ଖୁସି ନାହାନ୍ତି। ବିକାଶରେ ବାଧା ସୃଷ୍ଟି କରିବାରେ ସେମାନଙ୍କୁ ଆନନ୍ଦ ମିଳୁଛି। ଯେଉଁଥିପାଇଁ ସେମାନେ ଲୋକଙ୍କୁ ଭୁଲ ଖବର ଦେଉଛନ୍ତି। ନିର୍ବାଚନ ଆସିଲେ ସେମାନେ ସବୁବେଳେ ଏଭଳି କାମ କରିଥା’ନ୍ତି। ତେଣୁ ଜନସାଧାରଣ ସେମାନଙ୍କୁ ସବୁବେଳେ ପ୍ରତ୍ୟାଖାନ କରି ଆସୁଛନ୍ତି। ସେମାନଙ୍କ ଏହି ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକେ ଭଲ ଭାବେ ବୁଝିଛନ୍ତି। ଲିଙ୍ଗରାଜ ଓ ଜଗନ୍ନାଥ ମନ୍ଦିର ବିକାଶ କାମକୁ ବନ୍ଦ କରିବାକୁ ସେମାନେ ଚକ୍ରାନ୍ତ କରୁଛନ୍ତି। ଲୋକଙ୍କ ଅଭିଯୋଗର ସମାଧାନକୁ ଯେଉଁମାନେ ବିରୋଧ କରିଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେନି। ଆଜି ଗାନ୍ଧୀ ଜୟନ୍ତୀରେ ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’କୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରି ଏଭଳି କହିଛନ୍ତି।
ଏକାମ୍ର ନିର୍ବାଚନମଣ୍ଡଳୀ ତଥା ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୫୭ସ୍ଥିତ ବଡ଼ଗଡ଼ ବ୍ରିଟ୍ କଲୋନି ନେତାଜୀ ପଡ଼ିଆରୁ ପଦଯାତ୍ରାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବିଜେଡି ସରକାରଙ୍କ ସଫଳତା ବଖାଣିବା ସହ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜନସଭାକୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଲେ, ଗାନ୍ଧୀଜୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହି ଆସିଛନ୍ତି। ସବୁ ଲୋକଙ୍କ ସନ୍ତୋଷ ହିଁ ଗଣତନ୍ତ୍ରର ବଡ଼ ସଫଳତା, ଗାନ୍ଧୀଜୀ ଏହି ବାର୍ତ୍ତା ଦେଇ ଯାଇଛନ୍ତି। ସାଧାରଣ ଲୋକର ଖୁସି ଆମର ସବୁଠାରୁ ବଡ଼ ଖୁସି। ତେଣୁ ବିଜେଡି ମା’ମାନଙ୍କ ସହ ଗରିବ, ଯୁବସମାଜ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଓ ସେମାନଙ୍କୁ ସଶକ୍ତ କରିବା ପାଇଁ କାମ କରୁଛି। ମହିଳାମାନଙ୍କୁ ସମାଜରେ ଅଗ୍ରାଧିକାର ଦେବା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା। ଯେଉଁଥିପାଇଁ ଆମେ ପ୍ରୟାସ କରି ଆସୁଥିଲୁ। ଆଉ ଖୁସିର କଥା ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଆଇନ ଆସିଲା। ବିଜେଡିର ବହୁଦିନର ପ୍ରୟାସ ସଫଳ ହେଲା।
ବିଜେଡି ସଫଳତା ବଖାଣିଲେ, ବିରୋଧୀଙ୍କୁ ଟାର୍ଗେଟ କଲେ
ସେ ଆହୁରି କହିଲେ, ଓଡ଼ିଶା ଆଜି ରୂପାନ୍ତରଣ କ୍ଷେତ୍ରରେ ଆଗେଇ ଚାଲିଛି। ବିଜେଡି ସରକାରରେ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଓଡ଼ିଶାର ରୂପାନ୍ତର ହେଉଛି, ସ୍ବାସ୍ଥ୍ୟ ସେବା ପାଇଁ ‘ବିଏସ୍କେୱାଇ’ ଗେମ୍ ଚେଞ୍ଜର ପାଲଟିଛି। ଲୋକମାନେ ମାଗଣାରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଉଛନ୍ତି। ଏଥିସହ ସରକାରୀ ଓ ଘରୋଇ ସ୍କୁଲ ମଧ୍ୟରେ ଯେଉଁ ଭେଦଭାବ ଥିଲା, ତାହା ଆଜି ଦୂର ହୋଇଛି। ସରକାରୀ ସ୍କୁଲର ପିଲା ଉନ୍ନତ ଓ ଅତ୍ୟାଧୁନିକ ଶିକ୍ଷା ପାଇପାରୁଛନ୍ତି। ଖାଦ୍ୟ ସୁରକ୍ଷା, କ୍ରୀଡ଼ା, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପାଇଁ ସାରା ଦେଶରେ ଓଡ଼ିଶା ରୋଲ ମଡେଲ ପାଲଟିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଜି ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ବିଜେଡିର କର୍ମୀ ଭାଇ ଭଉଣୀ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସହ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନେତୃତ୍ବରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଦଳର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ବର ମେୟର ସୁଲୋଚନା ଦାସ, ସାଂସଦ ଅମର ପଟ୍ଟନାୟକ, ସୁଲତା ଦେଓ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ୪୪ ନମ୍ବର ୱାର୍ଡର କର୍ପୋରେଟର ଅଜିତ୍ ବେହେରା, ୫୭ ନମ୍ବର ୱାର୍ଡର କର୍ପୋରେଟର ସନ୍ତୋଷ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ ସଭା ସଂଯୋଜନା କରିଥିଲେ।
ତେବେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଯାଏ ସାରା ଓଡ଼ିଶାରେ ବିଜେଡି ପକ୍ଷରୁ ଏହି ପଦଯାତ୍ରା ଚାଲିବ। ଏହି ପଦଯାତ୍ରା ଅବସରରେ ଗାନ୍ଧୀ ଜୟନ୍ତୀ, ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ସମେତ ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ।