ଭୁବନେଶ୍ବର: ଦିଲ୍ଲୀରେ ଆୟୋଜିତ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ସାମିଲ ହୋଇ ବିଜେପି ବିଧାୟକମାନେ ଭୁବନେଶ୍ୱର ଫେରିଛନ୍ତି। ଭୁବନେଶ୍ବର ଫେରିବା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, କେନ୍ଦ୍ରର ଛାମୁଆ ନେତୃତ୍ୱଙ୍କ ସହ ବୈଠକ ହୋଇଛି। ଯେଉଁ ଉଦ୍ଦେଶ୍ୟରେ ଯାଇଥିଲୁ ପ୍ରଧାନମନ୍ତ୍ରୀ ଓ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କଥା ହେଲୁ। ଉଭୟ ନେତାଙ୍କ ସହ କଥାବାର୍ତ୍ତା ଆମକୁ ବହୁ ଉତ୍ସାହିତ କରିଛି।
ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ ପାଇଁ ଆଗକୁ ସବୁ ପ୍ରକାର ସହଯୋଗ କେନ୍ଦ୍ର କରିବ। ଦଳ କୋଟିଏ ଲୋକଙ୍କ ପାଖକୁ ଯିବ। ସାଂସଦ, ବିଧାୟକ, କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ଲୋକଙ୍କ ପାଖେ ପହଂଚିବୁ। ଏଥର ରାଜ୍ୟ ପ୍ରତି ଆଭିମୁଖ୍ୟ ବିଲକୁଲ ନରମ ନାହିଁ ଯୁଦ୍ଧ ହେବ। ଓଡିଶାର ସଂଗଠନ ନେଇ ଗୁରୁତ୍ବ ଦିଆଯିବ।
ଜାନୁଆରିରୁ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଜେପି ନଡ୍ଡା, ରାଜନାଥ ସିଂ, ନିତିନ ଗଡ଼କାରୀ, ମନସୁଖ ମଣ୍ଡଭିୟ, ୟୁପି ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବେ। ବିଜେପି ୨୦୨୪ରେ ସରକାରକୁ ଆସିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।