ଭୁବନେଶ୍ବର: ବିଧାନସଭାରେ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନା ହୋଇଛି। ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିଲେ। ଭାଷା ଓ ସଂସ୍କୃତି ମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା ଏହି ଆଲୋଚନା ପ୍ରସ୍ତାବକୁ ଧନ୍ୟବାଦ ଜଣାଇଲେ।
ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗରେ ବିବୃତି ରଖି କହିଛନ୍ତି, ଆଜି ମହାତ୍ମା ଗାନ୍ଧୀଙ୍କର ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆମେ କେବଳ ଇତିହାସରେ କଣ ଘଟିଥିଲା, ତାର ଉପସ୍ଥାପନା କରିବାର ଯେତିକି ଆବଶ୍ୟକତା ଅଛି, ତାଠାରୁ ଅଧିକ ଆବଶ୍ୟକତା ତାଙ୍କ ବିଚାରକୁ କେତେଦୂର ପାଳନ କରୁଛେ ଓ ରାଜ୍ୟ ସରକାରଙ୍କ ନୀତି ଗାନ୍ଧୀ ବିଚାରରେ କେତେ ପରିଚାଳିତ ହେଉଛି, ତାଉପରେ ତର୍ଜମାର ଆବଶ୍ୟକତା ଅଛି। ଗାନ୍ଧୀ ଜଣେ ବ୍ୟକ୍ତି ନୁହଁନ୍ତି, ଗାନ୍ଧୀ ହେଉଛନ୍ତି ଏକ ବିଚାର। ଗାନ୍ଧୀ ଆସିଥିଲେ ମାନେ ଗାନ୍ଧୀଙ୍କ ବିଚାର ଆସିଥିଲା। ଯଦି ଆମେ ଗାନ୍ଧୀଙ୍କ ବିଚାର ଉପରେ ଆଲୋଚନା କରିବା, ହେଲେ ତାକୁ ସରକାରଙ୍କ ନୀତିରେ ପ୍ରତିଫଳିତ କରିବା ନାହିଁ, ତେବେ ଏହା ଲୋକମାନଙ୍କ ଆଗରେ ମିଛ ନାଟକ ଭଳି ଲାଗିବ। ମଦ ବିଷୟରେ ଗାନ୍ଧୀ କହିଥିଲେ, “ଭାରତ ଗରିବ ହୋଇ ରହୁ ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ଲୋକ ମଦୁଆ ହୁଅନ୍ତୁ, ଏହାକୁ ମୁଁ ବରଦାସ୍ତ କରିବି ନାହିଁ ।”(ୟଙ୍ଗ ଇଣ୍ଡିଆ. ୧୫.୦୯.୧୯୨୭) ।
ରାଜ୍ୟ ସରକାର ମଦ ଟିକସ କିପରି ବଢ଼ିବ, ଲୋକେ କିପରି ଅଧିକ ମଦୁଆ ହେବେ, ଯିଏ ଅଧିକ ମଦ ବିକିବ, ତାକୁ ପୁରସ୍କାର ଦେବେ ସେହି ନୀତିରେ ଚାଲୁଛନ୍ତି। ଏହା ଗାନ୍ଧୀଜୀଙ୍କ ପ୍ରତି କି ପ୍ରକାର ଶ୍ରଦ୍ଧାଞ୍ଜଳି ? ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଗୋହତ୍ୟା ନିରୋଧ ଆଇନ ଆସିଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ଗୋଚାଲାଣ ଓଡ଼ିଶାରୁ ହିଁ ହେଉଛି। ପ୍ରତିଦିନ ଗୋଚାଲାଣର ଖବର ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରୁଛି । ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଗୋରକ୍ଷାକୁ ନେଇ ମହାତ୍ମାଙ୍କ ବିଚାର କଣ ଥିଲା ? ଗାନ୍ଧୀ କହିଥିଲେ, “ମୁଁ ଗାଈକୁ ପୂଜା କରେ ଓ ତାର ପୂଜାର ସମର୍ଥନ କରିବା ପାଇଁ ସମଗ୍ର ବିଶ୍ୱର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି। (ୟଙ୍ଗ ଇଣ୍ଡିଆ ୧-୧-୧୯୨୫) ରାଜ୍ୟରେ ଇଂରାଜି ଭାଷାରେ ସରକାରୀ କାମ ହେଉଛି। ଓଡ଼ିଶାରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଛି। ହେଲେ ଗାନ୍ଧିଜୀ କହିଥିଲେ ଯେ - “ଇଂରାଜି ବିନା ଆମର କାମ ଚଳି ପାରିବ ନାହିଁ ବୋଲି ଆମେ ଯାହା ଭାବୁଛେ, ତାହା ଆମର ମାନସିକ ଦାସତ୍ୱର ପ୍ରତିଫଳନ ଅଟେ। ଏହି ପରାଜୟବାଦକୁ ମୁଁ କେବେ ହେଲେ ସମର୍ଥନ କରି ପାରିବି ନାହିଁ ।”(ହରିଜନ, ୨୫.୦୮.୧୯୪୬)