ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା, ସମସ୍ତ ପଞ୍ଚାୟତ କର୍ମଚାରୀଙ୍କୁ ୫୦ ଲକ୍ଷର ସହାୟତା ମିଳୁ: ପ୍ରଦୀପ୍ତ ନାଏକ

ଭୁବନେଶ୍ବର : କୋଭିଡ୍‌ ମହାମାରୀରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ କର୍ମଚାରୀମାନେ କରୋନା ଯୋଦ୍ଧା। କରୋନା ସଂକ୍ରମଣରେ ସେମାନଙ୍କ ଭିତରୁ କାହାର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉ। ଆଜି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଚିଠି ଲେଖିଛନ୍ତି।

ଶ୍ରୀ ନାଏକ ଜଣାଇଛନ୍ତି, କରୋନାରେ ସଂକ୍ରମଣ ହୋଇ କୌଣସି ସରପଞ୍ଚଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯାହା ସ୍ବାଗତଯୋଗ୍ୟ। ସେହିପରି ରାଜ୍ୟର ସମୁଦାୟ ୬ ହଜାର ୭୯୮ ପଞ୍ଚାୟତରୁ ୪ ହଜାର ୮୬୨ ଗ୍ରାମ ପଞ୍ଚାୟତରେ ପିଇଓ କାର୍ଯ୍ୟରତ ଥିବାବେଳେ ଅବଶିଷ୍ଟ ପଦବି ଖାଲି ପଡ଼ିଛି। ବହୁ ପିଇଓ ଅଧିକାଂଶ ସ୍ଥାନରେ ଦୁଇଟି ଲେଖାଏଁ ପଞ୍ଚାୟତ ଦାୟୀତ୍ବରେ ରହି କୋଭିଡ୍‌ ସଂଗ୍ରାମରେ ସାମିଲ ହୋଇଛନ୍ତି। ସ୍ବଳ୍ପ ବେତନରେ ଅସ୍ଥାୟା କର୍ମଚାରୀ ଭାବେ ଜିଆରଏସ୍‌, ପିଅନ ଓ ରାତି ଜଗୁଆଳି ମଧ୍ୟ ଦିନରାତି ଏକ କରିଦେଇଛନ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କ ପାଇଁ ଉଚିତ୍‌ ପଦକ୍ଷେପ ନେବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର