ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ବୁର୍ଲାରେ କରାଯାଉ ପଶ୍ଚିମ ଓଡ଼ିଶା ଜିଲ୍ଲାର କରୋନା ପରୀକ୍ଷା କେନ୍ଦ୍ର: ପ୍ରଦୀପ୍ତ ନାଏକ

ଭୁବନେଶ୍ବର : ସମ୍ବଲପୁର ସମେତ ପଡ଼ୋଶୀ ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ଜିଲ୍ଲାରୁ କରୋନା ପରୀକ୍ଷା ପାଇଁ ସଂଗୃହୀତ ହେଉଥିବା ସମସ୍ତ ନମୁନା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜଠାରେ କରାଯାଉ। ଏ ନେଇ ଅନୁରୋଧ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଛନ୍ତି।

ଶ୍ରୀ ନାଏକ ଲେଖିଛନ୍ତି, କରୋନା ଭୂତାଣ ଚିହ୍ନଟ ପାଇଁ ରାଜ୍ୟରେ ବର୍ତ୍ତମାନ ୭ଟି ପରୀକ୍ଷଣ କେନ୍ଦ୍ର କାର୍ଯ୍ୟ କରୁଛି। ଜିଲ୍ଲାଗୁଡ଼ିକୁ ଭାଗ କରାଯାଇ ୭ଟି ସ୍ଥାନରେ ପରୀକ୍ଷଣ କେନ୍ଦ୍ର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ପାଇଁ ଭିଏସ୍‌ଏସ୍‌ ମେଡିକାଲ୍‌ରେ କୋଭିଡ୍‌ ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଏହି କେନ୍ଦ୍ରରେ କେବଳ ସମ୍ବଲପୁର ଜିଲ୍ଲାକୁ ସୀମିତ ରଖାଯାଇଛି। ଅନ୍ୟ ଜିଲ୍ଲାର କରୋନା ସନ୍ଦିଗ୍ଧଙ୍କ ପରୀକ୍ଷା ଭୁବନେଶ୍ବର ସ୍ଥିତ ଆରଏମ୍‌ଆର୍‌ସି, ଏମ୍‌ସ୍‌ ଓ ଆଇଏଲ୍‌ଏସ୍‌ଠାରେ କରାଯାଉଥିବାରୁ ରିପୋର୍ଟ ଆସିବା ବେଳଖୁ ବହୁ ବିଳମ୍ବ ହେଉଛି। ବଲାଙ୍ଗୀର ଠାରେ ଆଉ ଗୋଟିଏ ପରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ନ ହେବା ଯାଏଁ ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ଭିଏସ୍‌ଏସ୍‌ ମେଡିକାଲ୍‌ କଲେଜ୍‌ ସହିତ ଯୋଡ଼ିବା ଆବଶ୍ୟକ। ଏ ସମସ୍ତ ପ୍ରସଙ୍ଗକୁ ଗୁରୁତର ବିଚାର କରି ତୁରନ୍ତ ବିହୀତ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର