ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ଗତ ୧୩ ତାରିଖରୁ ଆରମ୍ଭ ହୋଇଥିଲା। ବିଜ୍ଞପ୍ତି ଅନୁଯାୟୀ ଏହାର ଅବଧି ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ। ଅଧିବେଶନର କାର୍ଯ୍ୟ ଅବଧି ଅଧା ସରି ନ ଥିଲା ବେଳେ ଗୃହକୁ ବନ୍ଦ କରିଦେବା ପାଇଁ ମନ୍ତ୍ରଣା ଚାଲିଛି ବୋଲି ଶୁଣିବାକୁ ମିଳୁଛି। ୨୭ ତାରିଖରେ ବିଧାନସଭା ବନ୍ଦ କରିଦେବାକୁ ତୃତୀୟ ମହଲାରୁ ଚାପ ପଡ଼ୁଥିବା କୁହାଯାଉଛି। ଏହା କ’ଣ ସତ? ଯଦି ସତ ହୋଇଥାଏ, ଏହାର କାରଣ କ’ଣ? ଆଜି ବିଧାନସଭାର ଶୂନ୍ୟକାଳରେ ଅଧିବେଶନ ଆଗୁଆ ବନ୍ଦ ହେବା ସମ୍ପର୍କରେ ଏମିତି ଢଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
ଶ୍ରୀ ନାଏକ କହିଥିଲେ ଯେ ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ ବିଜ୍ନେସ୍ ନାହିଁ ବୋଲି କୁହାଯାଉଛି। ସରକାରଙ୍କ ପାଖରେ କେତେ ବିଜ୍ନେସ୍ ଅଛି ଓ ଅଧିବେଶନ କେତେ ଦିନ ଚାଲିବାର ଆବଶ୍ୟକତା ରହିଛି, ଏକଥା କ’ଣ ସରକାର ବିଜ୍ଞପ୍ତି ପୂର୍ବରୁ ଜାଣି ନ ଥିଲେ? ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କ’ଣ ଗୃହର ବିଜ୍ନେସ୍ ନୁହେଁ? ଆହୁରି ହଜାର ହଜାର ସଂଖ୍ୟକ ପ୍ରଶ୍ନର ଉତ୍ତର ଦେବାକୁ ରହିଛି। ସରକାର ଆଲୋଚନାକୁ ଏତେ ଡରୁଛନ୍ତି କାହିଁକି? ସେହିପରି ବିଭାଗୀୟ ଅତିରିକ୍ତ ବଜେଟ୍ ଉପରେ ଆଲୋଚନାକୁ ଏପରି କାଟଛାଣ୍ଟ୍ କାହିଁକି କରାଯାଉଛି? ବିଧାନସଭାରେ ଆଲୋଚନା ଓ ଜନସାଧାରଣଙ୍କ ସମସ୍ୟା ଉପରେ ସରକାରଙ୍କ ପ୍ରତିକ୍ରିୟା ହିଁ ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥା। ଏହି ଲୋକତାନ୍ତ୍ରିକ ବ୍ୟବସ୍ଥାର ଏପରି ଚକ୍ରାନ୍ତ କାହିଁକି କରାଯାଉଛି? ଜନସାଧାରଣଙ୍କ ସ୍ବାର୍ଥ ଜଡ଼ିତ ବହୁତ ଗୁଡ଼ିଏ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେବାର ଥିଲା। ମହିଳାମାନଙ୍କ ଉପରେ ଅତ୍ୟାଚାର, ହତ୍ୟା, ଧାନ ବିକ୍ରିରେ ଅବ୍ୟବସ୍ଥା, ବିଧାନସଭାରେ ମନ୍ତ୍ରୀଙ୍କ ଘୋଷଣା ଓ ବାହାେର ଆଉ ଏକ ପ୍ରକାର ଘୋଷଣା ନେଇ ଚାଷୀମାନଙ୍କ ମନରେ ସନ୍ଦେହ, କାଳିଆ ଯୋଜନାରେ ସରକାରଙ୍କ ଘୋଷଣା ଅନୁଯାୟୀ କିସ୍ତିୱାରି ଟଙ୍କା ପ୍ରଦାନ ନ କରିବା, ଚିଟ୍ଫଣ୍ଡ୍ ଠକେଇରେ ପଡ଼ିଥିବା ସ୍ବଳ୍ପ ସଞ୍ଚୟକାରୀମାନଙ୍କୁ କ୍ଷତିପୂରଣ ନ ଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଆଦି ଅଭିଯୋଗ ଉପରେ ସରକାରଙ୍କ ଆଭିମୁଖ୍ୟ କ’ଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏପରି ସ୍ଥିତିରେ ଗୃହକୁ ହଠାତ ବନ୍ଦ କରିବା କାହା ସ୍ବାର୍ଥରେ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ।ବିରୋଧୀ ଦଳ ନେତା ଆହୁରି କହିଥିଲେ ଯେ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି କାଳିଆ ଯୋଜନାରେ ଲୋକଙ୍କୁ ଟଙ୍କା ଦେବା ପାଇଁ ଅନୁମତି ମାଗିଥିଲେ। ଅନୁମତି ମିଳି ନ ଥିଲେ ବି ଘୋଷଣା ହୋଇଥିଲା ଯେ ନିର୍ବାଚନରେ ଜିତି ଶପଥ ନେବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନା ଟଙ୍କା ଲୋକଙ୍କୁ ମିଳିବ। ନିର୍ବାଚନ ସରିଲା ଓ ନବୀନ ବାବୁ ଶପଥ ନେଲେ। କିନ୍ତୁ ଲୋକ ଟଙ୍କା ପାଇଲେ ନାହିଁ କି କେବେ ପାଇବେ ତାହା ମଧ୍ୟ ଜଣାଇଲେ ନାହିଁ। ସେହିପରି ଯୋଜନାବଦ୍ଧ ଭାବେ ଆଉ ଏକ ନାଟକ ଚାଲିଲା। ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ବିଜ୍ଞାପନ ବାହାରିଲା। ଚିନ୍ତାଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ‘ମୋ ରାଜ୍ୟର ଜଣେ ଲୋକଙ୍କୁ ବି ଖାଦ୍ୟ ଅଭାବରୁ ମରିବାକୁ ଦେବିନି’ ଭଳି ଘୋଷଣା କରାଗଲା। କିନ୍ତୁ ସରକାରକୁ ଆସିବା ପରେ ଆଧାର ଲିଙ୍କ୍ ନ ହେବା କାରଣରୁ ବହୁ ଭୂତ ଓ ଅଯୋଗ୍ୟ ହିତାଧିକାରୀ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିେଲ। ଯେତିକି ଲୋକ ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିଲେ, ସେତିକି ଲୋକଙ୍କୁ ଆଧାର ଲିଙ୍କ୍ର ଆଳ ଦେଖାଇ କାଟି ଦିଆଯାଇ ସେମାନଙ୍କୁ ପୁଣି କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଦିଆଗଲା। ଏବେ ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ‘ଜିରୋ’। ନୂଆ ସରକାର ଆସିବାର ମାତ୍ର ଗୋଟିଏ ବର୍ଷ ପୂରି ନାହିଁ। କିନ୍ତୁ ରାଜ୍ୟରେ ଏତେ ଆନ୍ଦୋଳନ କାହିଁକି ମୁଣ୍ଡ ଟେକୁଛି। ଲୋୟର୍ ପିଏମ୍ଜିରେ ଧାରଣା ଦେଇଥିବା ଲୋକଙ୍କୁ ଗଣିଦେଲେ ଜଣାପଡ଼ିଯିବ ଯେ ଲୋକଙ୍କ ମଧ୍ୟରେ ଅସନ୍ତୋଷ କେତେ। ଲୋୟର୍ ପିଏମ୍ଜିରେ ଆଉ ଜାଗା ନାହିଁ। ନଚେତ ଆହୁରି ବହୁ ଆନ୍ଦୋଳନକାରୀ ତମ୍ବୁ ପକାଇ ସାରନ୍ତେଣି ବୋଲି ଶ୍ରା ନାଏକ ସରକାରଙ୍କୁ କଟାକ୍ଷ କରିଥିଲେ।